ରାୟଗଡା: ବିଷମ କଟକ ବ୍ଲକରେ ଝାଡାବାନ୍ତିର ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ସ୍ଥିତ ଅନୁଧ୍ୟାନ କରୁଛି ମେଡିକାଲ ଟିମ। ଗତ ପାଞ୍ଚ ଦିନ ମଧ୍ୟରେ ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତରେ ଏହି ଝାଡାବାନ୍ତି ବ୍ୟପି ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ୭ଜଣ ଗୁରତର ଅବସ୍ଥାରେ ବିଷମ କଟକ ଖ୍ରୀଷ୍ଟିଆନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଗତ ପାଞ୍ଚଦିନ ହେବ ଏହି ଗ୍ରାମରେ ଜଣକ ପରେ ଜଣେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଝାଡାବାନ୍ତି ବ୍ୟାପିବା ପର ଦୁଇ ଜଣ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଥିବା ବେଳେ ଅନ୍ୟ ୬ଜଣ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋପାଳ କାଣ୍ଡାମାକାଙ୍କ ଅବସ୍ଥା ସଙ୍କାଟାପନ୍ନ ହେବାରୁ ରବିବାର ରାତିରେ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇ ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ଗୋପାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଝାଡା ବାନ୍ତିରେ ୫ ଆକ୍ରାନ୍ତ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଝାଡାବାନ୍ତି କେଉଁ କାରଣରୁ ବ୍ୟାପିଛି ତାହା ଜଣା ପଡିନଥିବା ବେଳେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।