ଓଡିଶା

odisha

କଂଗ୍ରେସରୁ ନିର୍ବାଚନ ଲଢ଼ିବେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ! ପାର୍ଟି ହାଇକମାଣ୍ଡଙ୍କୁ ଭେଟିଲେ - Vinesh Phogat and Bajrang Punia

By ETV Bharat Sports Team

Published : Sep 4, 2024, 1:41 PM IST

Vinesh Phogat and Bajrang Punia May Join Congress : ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ଭେଟିଲେ ଦୁଇ କୁସ୍ତିଯୋଦ୍ଧା । ଅଧିକ ପଢ଼ନ୍ତୁ

Vinesh Phogat and Bajrang Punia Meets Rahul Gandhi
Vinesh Phogat and Bajrang Punia Meets Rahul Gandhi (@INCIndia)

ନୂଆଦିଲ୍ଲୀ : ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ପ୍ୟାରିସ ଅଲିମ୍ପିକ୍ସ 2024 ପରେ ସାରା ଦେଶରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିବା ଷ୍ଟାର ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ଉଭୟ ଭିନେଶ ଓ ପୁନିଆଙ୍କର ହରିୟାଣାରେ ରହିଛି ବେଶ ଲୋକପ୍ରିୟତା । ତେବେ ଏହା ପୂର୍ବରୁ ଅନେକ ଥର କୁସ୍ତିଯୋଦ୍ଧାମାନଙ୍କର କଂଗ୍ରେସ ସହିତ ବନ୍ଧୁତା ଦେଖିବାକୁ ମିଳିଥିବାବେଳେ ଏବେ ସେମାନେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହାପରେ ସେମାନେ କଂଗ୍ରେସ ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ମଧ୍ୟ ସାକ୍ଷାତ କରିଥିବା ସୂଚନା ମିଳିଛି ।

ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କୁ ଭେଟିଲେ କୁସ୍ତିଯୋଦ୍ଧା :-

କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏବେ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କ ଭଳି ଦଳର ହାଇକମାଣ୍ଡଙ୍କୁ ଭେଟିବା ପରେ ଚିତ୍ର କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦିନେ କିମ୍ବା ଦୁଇଦିନ ଭିତରେ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଏହା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପୁନିଆ ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ଭେଟିବା ସୂଚାଇ ଦେଉଛି ଯେ ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ଏହା ପୂର୍ବରୁ ସେମାନଙ୍କୁ ଅନେକ ଥର ହରିୟାଣାର ବରିଷ୍ଠ କଂଗ୍ରସ ନେତା ଦୀପେନ୍ଦ୍ର ସିଂ ହୁଡା ଓ ଭୁପିନ୍ଦର ସିଂ ହୁଡାଙ୍କ ସହିତ ଦେଖିବାକୁ ମିଳିଛି ।

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାଗ୍ୟ ଦେଲାନି ସାଥ :-

ଅଲିମ୍ପିକ୍ସରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଷ୍ଟାର ରେସଲର ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍‌ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ତାଙ୍କର ଓଜନ ମାତ୍ର 100 ଗ୍ରାମ ଅଧିକ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ପଦକ ଆଶା ମଉଳି ଯାଇଥିଲା ।

ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ :-

ପ୍ୟାରିସ ଅଲିମ୍ପିକ୍ସରେ ବିଫଳ ହେବାପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ ଫୋଗାଟ । ଦେଶବାସୀଙ୍କଠାରୁ ଭରପୁର ସମର୍ଥନ ପାଇଥିଲେ ରେସଲର । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭିନେଶଙ୍କ ସମର୍ଥନରେ ଟ୍ବିଟ କରି ଯାହା ସମ୍ଭବ ଭିନେଶଙ୍କ ପାଇଁ କରିବାକୁ ଭାରତୀୟ ଅଲିମ୍ପିକ୍ସ ସଂଘକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଭିନେଶ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରିଥିଲେ ହରିୟାଣା କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ସିଂ ହୁଡା । ଏହାପରେ ଦିଲ୍ଲୀରୁ ହରିୟାଣା ଭିନେଶଙ୍କ ଗାଁ ପର୍ଯ୍ୟନ୍ତ ଭିନେଶଙ୍କୁ ରୋଡ ଶୋ'ରେ ନିଆଯାଇଥିଲା । ସେତେବେଳେ ମଧ୍ୟ କଂଗ୍ରେସ ନେତା ଭିନେଶଙ୍କ ସମର୍ଥନରେ ଯାଇଥିଲେ । ସେହି ସମୟରେ ଭିନେଶ କଂଗ୍ରେସରେ ମିଶି ରାଜନୀତିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ବିଜେପି ସାଂସଦଙ୍କ ବିରୋଧରେ ଦୀର୍ଘ ଦିନ ଧରି କରିଥିଲେ ଆନ୍ଦୋଳନ :-

ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ତଥା ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ରେସଲର ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଦିଲ୍ଲୀ ଜନ୍ତରମନ୍ତରରେ ସେହି ଆନ୍ଦୋଳନର ସଦସ୍ୟ ଥିଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଏହି ଆନ୍ଦୋଳନ ମଧ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । କଂଗ୍ରସ ସମେତ ବିଭିନ୍ନ ବିରୋଧୀ ଦଳ ସେହି ସମୟରୁ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ରହିଆସିଛନ୍ତି । ଏହାରି ଭିତରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିବା ସହ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ । ସଞ୍ଜୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ଏହି ସମୟରେ ଭିନେଶ ମଧ୍ୟ ନିଜର ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜନୀତିରେ ପାଦ ଦେବେ ଭିନେଶ ଫୋଗାଟ; ଭଉଣୀଙ୍କ ବିରୋଧରେ ଲଢିବେ ନିର୍ବାଚନ ! - Vinesh Phogat may join Politics

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details