ହାଇଦ୍ରାବାଦ:ଷ୍ଟାଡିୟମ ହେଉ କି ଷ୍ଟାଡିୟମ ବାହାରେ, ଭାରତୀୟ ଟିମ୍ ଷ୍ଟାର ବ୍ୟାଟର ବିରାଟ କୋହିଲଙ୍କ ଫ୍ୟାନ ଫଲୋଇଂ ଆଖିରେ ନଦେଖିଲେ ବିଶ୍ୱାସ ହେବନି । କୋହିଲଙ୍କ କ୍ରିକେଟ ପଡିଆରେ ଶାନଦାର ପ୍ରଦର୍ଶନ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଥିବା ବେଳେ କୋହଲିଙ୍କ ଲୁକରେ ମଧ୍ଯ ଫିଦା ଲକ୍ଷ ଲକ୍ଷ ଲେଡି ଫ୍ୟାନ । କୋହଲି କିଟ୍ ବ୍ୟାଗ ଉଠାଇ ପଡିଆରେ ପହଞ୍ଚିଗଲେ, ଖେଳ ଦେଖିବା ପାଇଁ ପହଞ୍ଚି ଯାଇଥାନ୍ତି ହଜାର ହଜାର ପ୍ରଶଂସକ । ନିକଟରେ କୋହଲି ଦିଲ୍ଲୀ ପକ୍ଷରୁ ରଣଜୀ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ ହଜାର ହଜାର ଦର୍ଶକ ମ୍ୟାଚ ଦେଖିବାକୁ ରୁଣ୍ଡ ହୋଇଥିଲେ । ଖାଲି ସେତିକି ନୁହେଁ, କଟକରେ ଯେତେବେଳେ କୋହଲି ଅଭ୍ୟାସ ପାଇଁ ପହଞ୍ଚିଥିଲେ ସେହି ସମୟରେ ମଧ୍ୟ ହଜାର ହଜାର ଦର୍ଶକ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲେ । ତେବେ ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିପାଇଁ କୋହଲିଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି । ଆଉ ଏହି ଭିଡିଓ ଦେଖି କ୍ରିକେଟ ଫ୍ୟାନ୍ସ କହୁଛନ୍ତି କିଏ ସେ 'ଲକି ଲେଡି' ।
'ଲକି ଲେଡି'ଙ୍କୁ ହଗ୍ କଲେ କୋହଲି-
ଟିମ୍ ଇଣ୍ଡଆର ଭେଟେରାନ କ୍ରିକେଟର ତଥା ୟୁଥ୍ ଆଇକନ କୋହଲିଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡିଥାଏ । ପୁଣି କୋହଲିଙ୍କ ସହ ହାତ ମିଳାଇବା ପାଇଁ ମଧ୍ୟ ନାହିଁ ନଥିବା କସରତ କରିବାକୁ ପଡେ । ହେଲେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଉଛି କି କୋହଲି ନିଜେ 'ଲକି ଲେଡି'ଙ୍କ ପାଖକୁ ଯାଇ ତାଙ୍କୁ ହଗ କରିଥିଲେ । ଭୁବନେଶ୍ୱର ଏୟାର ପୋର୍ଟରେ ଘଟିଥିଲା ଏହି ଘଟଣା । ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ସବୁଠୁ ଚର୍ଚ୍ଚିତ ବିଷୟ । ସମସ୍ତ ଫ୍ୟାନ୍ସ ପଚାରୁଛନ୍ତି କିଏ ସେ ଲକି ଲେଡି । କାହିଁକି କୋହଲି ତାଙ୍କୁ ହଗ୍ କଲେ ।
ପ୍ରକାଶ ଥାଉକି, ଗତ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରଜର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତୀୟ ଦଳ 4 ଓ୍ବିକେଟ ବିଜୟୀ ହେବା ସହିତ ସିରିଜରେ 2-0ରେ ଆଗରେ ରହିଛି ।