ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାନୁଆରୀ 25ରୁ ଆରମ୍ଭ ହେବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ଏଥିପାଇଁ ହାଇଦ୍ରାବାଦରେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଦୁଇ ଦେଶର ଖେଳାଳି । ତେବେ ସିରିଜ୍ ପୂର୍ବରୁ ଇଂଲଣ୍ଡ ଦଳ ଅଡ଼ୁଆରେ ପଡ଼ିଯାଇଛି । ଦଳର ସମସ୍ତ ଖେଳାଳି ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ ୟୁଏଇରେ ଫସି ଯାଇଛନ୍ତି ଇଂଲଣ୍ଡ ଦଳରେ ସାମିଲ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଶୋଏବ ବଶିର । ଅନ୍କ୍ୟାପଡ୍ ଅଫ ସ୍ପିନର ଶୋଏବ ବଶିରଙ୍କୁ ଇଂଲଣ୍ଡ ଏହାର ଟେଷ୍ଟ ସ୍କ୍ବାଡ୍ରେ ସାମିଲ କରିଥିଲା । ହେଲେ ତାଙ୍କୁ ଭାରତୀୟ ଭିସା ନମିଳିବାରୁ ସେ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇପାରିନାହାନ୍ତି ।
ଅନ୍କ୍ୟାପଡ୍ ଅଫ୍ ସ୍ପିନର ଶୋଏବ ବଶିର କାଉଣ୍ଟି କ୍ରିକେଟ୍ କ୍ଲବ ସମରସେଟ୍ ପାଇଁ ଖେଳନ୍ତି । ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି । ଏଥର ତାଙ୍କୁ ଇଂଲଣ୍ଡ ଭାରତ ବିପକ୍ଷ ଟେଷ୍ଟ ସ୍କ୍ବାଡ୍ରେ ସ୍ଥାନ ଦେଇଥିଲା । ଯଦିଓ ଇଂଲଣ୍ଡରେ ତାଙ୍କର ଜନ୍ମ, ହେଲେ ବଶିରଙ୍କ ବାପା ଓ ମାଆ ପାକିସ୍ତାନର ମୂଳ ନିବାସୀ ଅଟନ୍ତି । ସେଥିପାଇଁ ତାଙ୍କୁ ଭାରତର ଭିସା ମିଳିବାରେ ବିଳମ୍ବ ହେଉଥିବା କୁହାଯାଉଛି । ହାଇଦ୍ରାବାଦରେ ପହଞ୍ଚିବା ପୂର୍ବରୁ ଇଂଲଣ୍ଡ ଦଳ ଆବୁଧାବିରେ ପ୍ରଶିକ୍ଷଣ ଶିବିର ଲଗାଇଥିଲା । ସେଠାରୁ ରବିବାର ସମସ୍ତ ଖେଳାଳି ଭାରତରେ ଆସି ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିବାବେଳେ ଭିସା ନପାଇ ସେହିଠାରେ ହିଁ ଫସିଯାଇଛନ୍ତି ବଶିର ।