ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଆଇସିସି 19 ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି । ଜାରି ରହିଥିବା ସୁପର 6 ମ୍ୟାଚରେ ନେପାଳକୁ ହରାଇ ସେମିରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଉଦୟ ସହାରନ ଓ ସଚିନ ଧାସଙ୍କ ଶତକୀୟ ପାଳି ଯୋଗୁ 132 ରନରେ ଭାରତଠାରୁ ପରଜାତି ହୋଇଛି ନେପାଳ । ଗ୍ରୁପ-ଏ ପଏଣ୍ଟ ତାଲିକାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ସେମି ଫାଇନାଲରେ ଭାରତ ଗ୍ରୁପ-ବିର ଦ୍ବିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ ।
ଉଦୟ ସହାରନ ଓ ସଚିନ ଧାସଙ୍କ ଶତକୀୟ ପାଳି:ଟିମକୁ ସେମିରେ ପହଞ୍ଚାଇବାକୁ ବିସ୍ଫୋରୋକ ବ୍ୟାଟିଂ କରିଥିଲେ ଉଦୟ ଓ ସଚିନ । ଏହି ଦୁଇ ବ୍ୟାଟରଙ୍କୁ ଆଉଟ କରିବାକୁ ନାକେଦମ ହୋଇଥିଲେ ନେପାଳ ଟିମର ବୋଲର । ଗୋଟିଏ ପରେ ଗୋଟିଏ ସଟ ଖେଳି ବଲକୁ ବାଉଣ୍ଡ୍ରି ବାହାରକୁ କରିଥଲେ ଏହି ଦୁଇ ବ୍ୟାଟର । ଉଦୟ 107 ବଲରେ 100 ରନ କରିଥିଲେ । ଏଥିରେ 9ଟି ଚୌକା ସାମିଲ ରହିଛି । ବିନା ଛକାରେ ସେ ଶତକ ହାସଲ କରିଥିଲେ ।ସେହିପରି ସଚିନ 101 ବଲରେ 116 ରନ ସଂଗ୍ରହ କରି ସେଞ୍ଚୁରି କରିଥିଲେ । ଏଥିରେ 11ଟି ଚୌକା ଓ 3ଟା ଛକା ସାମିଲ ରହିଛି ।