ବେନୋନି: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ ଆଇସିସି ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପ ଫାଇନାଲ ମୁକାବିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇଟ । ବିଶ୍ୱକପ ହାତେଇବାକୁ ଦୁଇ ଦଳ ମଧ୍ୟରେ ହେବ ଟକ୍କର । ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ପୁରୁଷ(ସନିୟର) ବିଶ୍ବକପ ଫାଇନାଲରେ ଯାହା ଭାରତ କରି ପାରିନଥିଲା ତାହା ଆଜି ଜୁନିୟର ଟିମ କରିବ ବୋଲି ସମସ୍ତଙ୍କର ଆଶା । ସେପଟେ କଙ୍ଗାରୁ ଟିମ ମଧ୍ୟ ଭାରତୀୟ ଦଳକୁ ପରାସ୍ତ କରି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ଏଥିପାଇଁ ଦୁଇ ଦଳ ପୁରା ପ୍ରସ୍ତୁତ । ଆଜି ଦିନ ୧ଟା ୩୦ ମିନିଟ ସମୟରେ ଦକ୍ଷିଣ ଆଫ୍ରିକାର ସାହାରା ପାର୍କ ୱିଲୋମୋରେ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।
ସିନିୟର ଯାହା କରିପାରିନଥିଲେ ତାହା କରିବେ ଜୁନିୟର ଟିମ:ଗତବର୍ଷ ନଭେମ୍ବର 19ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇସିସି ପୁରୁଷ ବିଶ୍ବକପର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଭାରତ । ଲିଗ ଠାରୁ ସେମିଫାଇନାଲ ଯାଏଁ ଅପରାଜୟ ରହିଥିବା ଭାରତ ଫାଇନାଲରେ କିନ୍ତୁ ଫେଲ୍ ମାରିଥିଲା । ଶେଷରେ କଙ୍ଗାରୁ ଦଳ ଭାରତ ଠାରୁ ଟ୍ରଫି ଛଡାଇ ନେଇଥିଲା । ସେହି ଦୁଇ ଦଳର ଜୁନିୟର ଟିମ ମଧ୍ୟରେ ଆଜି ଫାଇନାଲ ମୁକାବିଲା ରହିଛି । ଭାରତ ମଧ୍ୟ ଲିଗ ଠାରୁ ସୁପର ୬ ମ୍ୟାଚ ପର୍ଯ୍ୟନ୍ତ ଅପରାଜୟ ରହିଛି । ଏହି ଧାରା ବଜାୟ ରଖି ଆଜି କଙ୍ଗାରୁ ଦଳକୁ ହରାଇ ଭାରତୀୟ ଦଳ ଟ୍ରଫି ହାତାଉ ବୋଲି ସମସ୍ତଙ୍କ ଆଶା । ଯେଉଁ ସ୍ୱପ୍ନ ଆଇସିସି ପୁରୁଷ ବିଶ୍ୱକପରେ ପୂରଣ ହୋଇପାରିନଥିଲା ତାହା ଭାରତୀୟ ଜୁନିୟର ଦଳ ଆଜି ପୂରଣ କରିବ ।