ହାଇଦ୍ରାବାଦ: T-20 ପାଇଁ ଭାରତୀୟ ଦଳ ଘୋଷଣା । ଜାନୁଆରୀ 22ରୁ ଇଂଲଣ୍ଡ ବିପକ୍ଷ ଟି20 ମ୍ୟାଚ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି BCCI । ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି । ସେପଟେ ବାଦ ପଡ଼ିଛନ୍ତି ଋଷଭ ପନ୍ତ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଖେଳିବ ଭାରତୀୟ ଦଳ । 5 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ 22ରେ କୋଲକାତାରେ ଖେଳାଯିବ ।
ବାଦ ପଡିଲେ ରିଷଭ ପନ୍ତ:
BCCIର ଯୁଗ୍ମ ସଚିବ ଦେବଜିତ ସାଇକିଆ ଆଜି (ଶନିବାର) ସନ୍ଧ୍ୟାରେ ଏକ ଗଣମାଧ୍ୟମ ବିବୃତ୍ତି ମାଧ୍ୟମରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା କରିଛନ୍ତି । ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ ପ୍ୟାନେଲ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ କରିଛନ୍ତି । ସେହିପରି ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ । ଚୟନ ପ୍ୟାନେଲ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ବାଦ୍ ଦେଇଛନ୍ତି । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି ।
ଫେରିଲେ ସାମି:
ସେହପରି କେ. ଏଲ ରାହୁଲ ଓ ଜସପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଅଲରାଉଣ୍ଡର ଭାବରେ ଥିବାବେଳେ ସ୍ପିନର ଦାୟିତ୍ୱ ଉପ-ଅଧିନାୟକ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ ଏବଂ ୱାସିଂଟନ୍ ସୁନ୍ଦରଙ୍କ କାନ୍ଧରେ ରହିବ । ସେପଟେ ଆହତ କାରଣରୁ ଭାରତୀୟ ଦଳରୁ ବିଶ୍ରାମ ନେଇଥିବା ଦ୍ରୁତ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି । ଦଳରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଓପନର୍ ଭାବରେ ମନୋନୀତ ହୋଇଛନ୍ତି ।
ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଶିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ସାମ୍ମି, ବରୁଣ ଚକ୍ରବର୍ତ୍ତି, ରବି ବିଷ୍ଣୋଇ, ୱାସିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ ।