ପୁରୀ: ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ । ଏହା ପୂର୍ବରୁ ଜଗା ସରଣରେ ଭାରତୀୟ କ୍ରିକେଟ ଦଳର ଖେଳାଳି । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ଦଳର ତିନି ଯୁବ ଖେଳାଳି ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ । ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ଗତକାଲି (ଶୁକ୍ରବାର) ଭାରତୀୟ ଟିମର ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ ।
ଶ୍ରୀମନ୍ଦିରରେ ଭାରତୀୟ ଖେଳାଳି:
ଆଜି ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ପୁରୀ ଶ୍ରୀମନ୍ଦିରେ ପହଞ୍ଚିଥିଲେ । ଏହି ତିନି ଖେଳାଳି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପ୍ରଥମେ ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳିଙ୍କୁ ମହାପ୍ରଭୁଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା । ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ହାସଲ କରିବା ପାଈଁ ଶ୍ରୀମନ୍ଦିରରେ ବାନା ଲଗାଯିବା ନେଇ ବ୍ୟବସ୍ଥା ହୋଇଛି । ଟିମ୍ ଇଣ୍ଡିଆର କେଳାଳିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ କ୍ରିକେଟ ପ୍ରେମୀଙ୍କ ନାହିଁ ନଥିବା ଭିଡ ହୋଇଥିଲା । ଖେଳାଳିଙ୍କ ପାଇଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।