ଓ୍ବାଶିଂଟନ:ଯେଉଁ ଦିନକୁ ଅପେକ୍ଷା ଥିଲା ତାହା ଉପନୀତ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଘଣ୍ଟାର କଣ୍ଟା ଯେତିକି ଆଗକୁ ଯାଉଛି 140 କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ହେବ ହାଇଭୋଲଟେଜ ମ୍ୟାଚ । ଷ୍ଟାଡିୟମରେ ଛାଇଯିବ ନୀଳ ଓ ସବୁଜ ରଙ୍ଗର ଜର୍ସି । ସୁପର ସଣ୍ଡେରେ ହେବ ସୁପର ଫାଇଟ । ରଣନୀତି, ଅଙ୍କକଷା ଶେଷ ହୋଇଛି । କେବଳ ମୁକାବିଲାକୁ ଅପେକ୍ଷା । ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଧାରା ବଜାୟ ଲକ୍ଷ୍ୟରେ ରହିଛି । ଆମେରିକାର ନ୍ୟୁୟର୍କ ସ୍ଥିତ ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8ଟାରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଆଗରେ ଦର୍ଶକଙ୍କ ଭିଡ ଜମିଲାଣି ।
ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ବାହିନୀ: ପାକିସ୍ତାନକୁ ମାତ୍ ଦେବାକୁ ଭାରତୀୟ ଟିମ ପୁରା ପ୍ରସ୍ତୁତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଦଳ । ଦ୍ବିତୀୟ ମ୍ୟାଚ ଜିତି ଟିମ ଇଣ୍ଡିଆ ବିଜୟ ଧାରା ବଜାୟ ରଖିବାକୁ ଆଜି ଜୋରଦାର ଉଦ୍ୟମ କରିବ । ସେପଟେ ପାକିସ୍ତାନ ମଧ୍ୟ ଭାରତ ସହ କଡା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଶ୍ବକପରେ ପ୍ରଥମ ମ୍ୟାଚ ହାରିଥିବାରୁ ଦ୍ବିତୀୟ ମ୍ୟାଚରେ ଦଳ ପାଇଁ ବିଜୟ ଜରୁରୀ । ପୂର୍ବ ରେକର୍ଡ ଅନୁଯାୟୀ ଟି20 ବିଶ୍ବକପରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ତଥାପି ବାବାର ଆଜମଙ୍କ ଦଳ ନିକଟରେ ଆଜିର ମ୍ୟାଚ ଜିତିବାକୁ ଯଥେଷ୍ଟ କ୍ଷମତା ରହିଛି ।
ପାକିସ୍ତାନ ପେସ ବାହିନୀ-ଭାରତ ବ୍ୟାଟରଙ୍କ ମଧ୍ୟରେ ଲଢେଇ:ଆଜି ପାକିସ୍ତାନ ପେସ ବାହିନୀ ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଅସଲ ଲଢେଇ ହେବ । ରୋହିତ, କୋହଲିଙ୍କୁ ଆଉଟ କରିବାକୁ କୌଣସି ମୌକା ଛାଡିବେ ନାହିଁ ସହିନ ଆଫ୍ରିଦ, ନସିମ, ମହମ୍ମଦ ଅମୀର ଓ ହ୍ୟାରିସ । ଏହି 4 ଘାତକ ବୋଲର ଭାରତୀୟ ବ୍ୟାଟରଙ୍କ ବ୍ୟାଟକୁ ଚଲାଇ ନଦେବାକୁ ମନସ୍ତ କରିଛନ୍ତି । କିନ୍ତୁ ପାକିସ୍ତାନ ବୋଲରଙ୍କୁ ଜବାବ ଦେବାକୁ ଭାରତୀୟ ବ୍ୟାଟର ପୁରା ପ୍ରସ୍ତୁତ ।