ଓଡିଶା

odisha

ETV Bharat / sports

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ; ଶୁଭେଚ୍ଛା ଜଣାଇ ଭାରତୀୟଙ୍କ ହୃଦୟ ଜିତିଲେ କେଶବ ମହାରାଜ - Keshav Maharaj wish for Ram Temple

Keshav Maharaj: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଲେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର କେଶବ ମହାରାଜ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢ଼ନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ନେଇ ଶୁଭେଚ୍ଛା ଜଣାଇଲେ କେଶବ ମହାରାଜ
ରାମ ମନ୍ଦିର ପ୍ରତିଷ୍ଠା ନେଇ ଶୁଭେଚ୍ଛା ଜଣାଇଲେ କେଶବ ମହାରାଜ

By ETV Bharat Odisha Team

Published : Jan 21, 2024, 10:17 PM IST

ନୂଆଦିଲ୍ଲୀ: ରାତି ପାହିଲେ (22 ଜାନୁଆରୀ) ଅଯୋଧ୍ୟାରେ ହେବ ବହୁ ପ୍ରତିକ୍ଷୀତ ମହୋତ୍ସବ । ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ସହ ହେବ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବରେ ଭାରତର ଅନେକ ବଡ଼ ବଡ଼ କ୍ରିକେଟର ସାମିଲ ହେବାର ସମ୍ଭାବନା ରହିଛି । ତେବେ ଏହି ସମାରୋହ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର କେଶବ ମହାରାଜଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ସମସ୍ତ ଭାରତୀୟଙ୍କୁ କେଶବ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି । କେଶବଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ଓ ସେୟାର କରୁଛନ୍ତି ।

ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର କ୍ରିକେଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ କେଶବ ମହାରାଜ କହୁଛନ୍ତି, "ଆପଣ ସମସ୍ତଙ୍କୁ ନମସ୍କାର । କାଲି ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଉଦ୍‌ଘାଟନ ପାଇଁ ମୋ ପକ୍ଷରୁ ସମସ୍ତ ଭାରତୀୟ ଓ ଦକ୍ଷିଣ ଆଫ୍ରିକୀୟ ଲୋକଙ୍କୁ ଶୁଭେଚ୍ଛା । ମୁଁ ଆଶା କରୁଛି ସମସ୍ତଙ୍କୁ ଜୀବନରେ ଶାନ୍ତି ଓ ଆଧ୍ୟାତ୍ମିକ ଜ୍ଞାନ ମିଳୁ ।" ପ୍ରକାଶ ଥାଉ, କେଶବ ମହାରାଜ ଭାରତୀୟ ବଂଶୋଦ୍ଭବ ଓ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଅଟନ୍ତି । ସେ ନିଜ ଦଳ ପାଇଁ ସ୍ପିନ ବୋଲିଂ ସହ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିବାର କ୍ଷମତା ରଖନ୍ତି । ସେ ନିଜ ଧର୍ମ ଓ ପୂଜାପାଠରେ ବହୁତ ଶ୍ରଦ୍ଧା ରଖନ୍ତି ଓ ମନ୍ଦିରରେ ଭଗବାନଙ୍କ ପୂଜା କରୁଥିବାର ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ । ଯେତେବେଳେ ଆଇସିସି ବିଶ୍ବକପ୍‌ ଖେଳିବାକୁ କେଶବ ଭାରତ ଆସିଥିଲେ, ସେତେବେଳେ ସେ ଧର୍ମଶାଳା ଓ ଚେନ୍ନାଇରେ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ ମଧ୍ୟ କରିଥିଲେ । ଯାହାର ଫଟୋ ସେହି ସମୟରେ ପ୍ରବଳ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ବାହାରିଲେ ସେଲିବ୍ରିଟି

ଯେତେବେଳେ କେଶବ ମହାରାଜ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାନ୍ତି, ସେତେବେଳେ ପ୍ରାୟତଃ 'ରାମ ସିୟାରାମ ସିୟାରାମ ଜୟ ଜୟ ରାମ' ଗୀତ ବାଜୁଥିବା ଶୁଣିବାକୁ ମିଳେ । ଏନେଇ ଭାରତୀୟ କ୍ରିକେଟର କେଏଲ୍‌ ରାହୁଲଙ୍କ ସମେତ ଅନେକ କ୍ରିକେଟର କେଶବଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, 'ତମେ ଯେତେବେଳେ ଖେଳିବାକୁ ଆସ, ସେତେବେଳେ ଏହି ଗୀତ କାହିଁକି ବାଜେ ?' ସେ ମଧ୍ୟ ଏହାକୁ ସ୍ବୀକାର କରି ଉତ୍ତରରେ କହିଥିଲେ, "ମୁଁ ପ୍ରଭୁ ରାମଙ୍କୁ ବିଶ୍ବାସ କରେ ଏବଂ ତାଙ୍କର ଏହି ଭଜନ ଶୁଣିଲେ ମୋତେ ସକାରାତ୍ମକ ଅନୁଭବ ହୁଏ ଓ ଶକ୍ତି ମିଳେ ।" ତେବେ ସେ ଆଧ୍ୟାତ୍ମିକତା ସହିତ ବହୁତ ଜଡିତ ଏବଂ ଅନେକ ସମୟରେ ପୂଜାପାଠର ଫଟୋ ଏବଂ ଭିଡିଓ ମଧ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details