ହାଇଦ୍ରାବାଦ :ବିଶ୍ବକ୍ରିକେଟକୁ ନୂଆ ପରିଚୟ ଦେଇଛି ବିସିସିଆଇ । ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ ବୋର୍ଡ ଏହାର ଖେଳାଳିମାନଙ୍କୁ କୋଟି କୋଟି ଟଙ୍କା ଦରମା ଦେଉଛି, ଏବଂ ବିଭିନ୍ନ ସୁବିଧାସୁଯୋଗ ପ୍ରଦାନ କରୁଛି । ହେଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ବିସିସିଆଇ ସ୍ବତନ୍ତ୍ର ଭାବେ ବିଭିନ୍ନ ସୁବିଧାସୁଯୋଗ ଓ ଆତିଥ୍ୟତା ପ୍ରଦାନ କରୁଛି । ଯାହାକୁ ନେଇ ବିସିସିଆଇ ଉପରେ ଖପ୍ପା ପୂର୍ବତନ କ୍ରିକେଟର ।
ନିକଟରେ ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ତେବେ ଆର୍ ଅଶ୍ବିନ, ଶୁବମନ ଗିଲ, ଋଷଭ ପନ୍ତ ଏବଂ ଜସପ୍ରୀତ ବୁମରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଦଳ ଏହି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ କେବଳ 11 ରନ୍ ସ୍କୋର କରିଥିବାବେଳେ ଷ୍ଟାର ମିଡିଲ ଅର୍ଡର ବ୍ୟାଟର କୋହଲି ଉଭୟ ଇନିଂସରେ ମାତ୍ର 23 ରନ୍ ହିଁ ସ୍କୋର କରିପାରିଥିଲେ ।
'ପକ୍ଷପାତିତା କରୁଛି ବିସିସିଆଇ' :-
ଦୁଲୀପ ଟ୍ରଫିରେ ଖେଳିବାକୁ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମୁକ୍ତ କରାଯାଇଥିଲା । ଏନେଇ ପୂର୍ବତନ କ୍ରିକେଟରକ ସଞ୍ଜୟ ମଞ୍ଜରେକର ଉଭୟଙ୍କ ପ୍ରତି ବିସିସିଆଇର ପକ୍ଷପାତ ପୂର୍ଣ୍ଣ କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏହି (ଦୁଲୀପ ଟ୍ରଫି) ଟୁର୍ଣ୍ଣାମେଣ୍ଟରେ ନଖେଳିବା ଭାରତୀୟ କ୍ରିକେଟର କ୍ଷତି କରିଛି । 'ESPNcricinfo' ସହ ଆଲୋଚନା କରି ମଞ୍ଜରେକର କହିଛନ୍ତି, "ମୁଁ ଚିନ୍ତିତ ନୁହେଁ, କିନ୍ତୁ ମୁଁ ନିଶ୍ଚିତ ଯେ କେହି ଜାଣିପାରୁଥିବେ, ଯେ ଯଦି ଏହି ଦୁଇଜଣ କିଛି ରେଡ୍ ବଲ୍ କ୍ରିକେଟ୍ ଖେଳିଥାନ୍ତେ, ତେବେ ଭଲ ହୋଇଥାନ୍ତା । ତାଙ୍କୁ ଦୁଲୀପ୍ ଟ୍ରଫି ଖେଳାଇବାର ବିକଳ୍ପ ଥିଲା । ତେଣୁ ଜଣେ ଖେଳାଳିଙ୍କୁ ଭିନ୍ନ ଭାବରେ ବ୍ୟବହାର କରିବା ଏବଂ ଭାରତୀୟ କ୍ରିକେଟ୍ ଏବଂ ଖେଳାଳିଙ୍କ ପାଇଁ ଯାହା ଭଲ ତାହା କରିବା ପାଇଁ ଯତ୍ନବାନ ହେବା ଉଚିତ୍ । ବିରାଟ ଏବଂ ରୋହିତ ଦୁଲୀପ୍ ଟ୍ରଫି ନଖେଳିବା, ଭାରତୀୟ କ୍ରିକେଟ୍ ପାଇଁ ବା ଉଭୟ ଖେଳାଳିଙ୍କ ପାଇଁ ଭଲ ବିକଳ୍ପ ନଥିଲା । ଯଦି ସେ ଦୁଲୀପ୍ ଟ୍ରଫି ଖେଳିଥାନ୍ତେ ଏବଂ ରେଡ୍ ବଲ୍ କ୍ରିକେଟରେ କିଛି ସମୟ ବିତାଇଥାନ୍ତେ, ତେବେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ସେମାନଙ୍କର ପ୍ରଦର୍ଶନ ଭିନ୍ନ ହୋଇଥାନ୍ତା ।"
ତେବେ ମଞ୍ଜରେକର ପ୍ରଥମ ନୁହେଁ, ଷ୍ଟାର ଭାରତୀୟ କ୍ରିକେଟରମାନେ ଘରୋଇ ସର୍କିଟରେ ଖେଳୁ ନଥିବାରୁ ପୂର୍ବରୁ ଅନେକ ପୂର୍ବତନ କ୍ରିକେଟର ଚିନ୍ତା ପ୍ରକଟ କରିଛନ୍ତି । ଏହି ଆଲୋଚନା ବାରମ୍ବାର ସାମ୍ନାକୁ ଆସୁଛି ଏବଂ ସଞ୍ଜୟ ମଞ୍ଜରେକରଙ୍କ ମନ୍ତବ୍ୟ ପୁଣିଥରେ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ :-
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ