ହାଇଦ୍ରାବାଦ: ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଛାଡପତ୍ର ହୋଇସାରିଛି । କିଛି ମାସ ପୂର୍ବରୁ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଛି । ସୋଏବଙ୍କ ତୃତୀୟ ବିବାହ ପରେ ମିର୍ଜା ପରିବାର ଏବଂ ସାନିଆଙ୍କ ଟିମ୍ ପକ୍ଷରୁ ବିବୃତ୍ତି ଜାରି କରି ଏହା ସ୍ପଷ୍ଟ କରାଯାଇଛି । ସାନିଆଙ୍କ ବାପା ଇମ୍ରାନ ମିର୍ଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଉଭୟଙ୍କ ବିବାହ ବିଚ୍ଛେଦ ନେଇ ନିଶ୍ଚିତ କରିଛନ୍ତି । ଏଥିସହ ସାନିଆ ନିଜର ପୂର୍ବତନ ସ୍ବାମୀ ସୋଏବଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ପରିବାର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ''ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ଠାରୁ ଦୂରେଇ ରଖିଛନ୍ତି । ତେବେ ଆଜି ସେମାନଙ୍କୁ କହିବାର ଆବଶ୍ୟକତା ରହିଛି ଯେ, ସୋଏବ ଏବଂ ତାଙ୍କ ଛାଡପତ୍ର ହେବାର କିଛି ମାସ ବିତିଗଲାଣି । ସୋଏବଙ୍କୁ ତାଙ୍କର ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛୁ । ତାଙ୍କ ଜୀବନର ଏହି ସମ୍ବେଦନଶୀଳ ଅବସ୍ଥାରେ, ଆମେ ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିବାକୁ ଚାହିଁବୁ ଯେ କୌଣସି କଳ୍ପନା ଜଳ୍ପନାରୁ ଦୂରେଇ ରୁହନ୍ତୁ ଏବଂ ତାଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ । ମିର୍ଜା ପରିବାର ଏବଂ ସାନିଆଙ୍କ ଟିମ ପକ୍ଷରୁ ଆପଣ ସମସ୍ତଙ୍କୁ ନିବେଦନ ।''