କଟକ: ଆସନ୍ତାକାଲି ବାରବାଟୀରେ ରଣଜୀ ଟ୍ରଫିର ବିଗ ଫାଇଟ । କର ବା ମର ସ୍ଥିତିରେ ଓଡିଶା । 4ଟି ମ୍ୟାଚରୁ ବିଜୟ ଶୂନ୍ୟ ଥିବା ଘରୋଇ ଟିମ ଏବେ ବିଜୟ ଲକ୍ଷ୍ୟ ପାଇଁ ଆଜି ଅଣ୍ଟା ଭିଡ଼ିଛି । ଅନ୍ୟପଟେ ମହାରାଷ୍ଟ୍ର ମଧ୍ୟ ଏହି ମ୍ୟାଚକୁ ଜିତି କ୍ୱାଟର ଫାଇନଲରେ ପ୍ରବେଶ କରିବା ପାଇଁ ଆଜି କରିଛି ଜୋରଦାର ଅଭ୍ୟାସ ।ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଟପ୍ ରହିବ ବୋଲି ଆଶା କରାଯାଉଛି ।
ବିଜୟ ଲକ୍ଷ୍ୟରେ ଓଡିଶା ଦଳ:
ବାରବାଟୀରେ ଓଡିଶା ପାଇଁ ସୁଯୋଗ । ରଣଜୀ ଟ୍ରଫିରେ ବିଜୟ ସ୍ୱାଦ ଚାଖିବା ଅପେକ୍ଷାରେ ଟିମ ଓଡ଼ିଶା । ଆସନ୍ତାକାଲି ଘରୋଇ ମାଟିରେ କର ବା ମର ମ୍ୟାଚକୁ ଓହ୍ଲାଇବ ଓଡିଶା । ଯାହା ପାଇଁ ଆଜି ପ୍ରସ୍ତୁତି ଜୋରଦାର ରଖିଛି ଓଡ଼ିଶା ଟିମ । ଉଭୟ ବୋଲିଂ ଓ ବ୍ୟାଟିଂ ଲାଇନ ଅପକୁ ସୃଦୃଢ କରିବା ପାଇଁ ଆଜି ନେଟସରେ ଝାଳ ବୁହାଇଛି ଦଳ । ଯଦି ଓଡ଼ିଶାର ଏଯାବତ୍ ରଣଜୀ ଅଭିଯାନକୁ ନଜର ଦିଆଯାଏ , ତେବେ ମୋଟ 4ଟି ମ୍ୟାଚ ଖେଳି ଏଯାବତ ବିଜୟ ଶୂନ୍ୟ ରହିଛି ।
ସପ୍ତମ ସ୍ଥାନରେ ଓଡିଶା:
ପ୍ରଥମ ମ୍ୟାଚ ତ୍ରିପୁରା ସହ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେବା ପରେ ଜମ୍ମୁ କାଶ୍ମୀର ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଓଡିଶା ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଯାହା କ୍ରୀଡ଼ା ପ୍ରେମୀମାନଙ୍କୁ ନିରାଶ କରିଥିଲା । ବରୋଦା ବିପକ୍ଷରେ ଗୋଟିଏ ଇନିଂସ ଓ 93 ରନ ପରାଜୟ ଓ ମୁମ୍ବାଇ ବିପକ୍ଷରେ ସମାନ ଭାବରେ ଏକ ଇନିଂସ ସହ 103ରେ ଲଜ୍ଜାଜନକ ପରାଜୟ ହୋଇଥିଲା ଟିମ ଓଡିଶା । ଚଳିତ ସିଜିନରେ ଖେଳିଥିବା ଚାରି ମ୍ୟାଚରେ 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଓଡିଶା ।