ହାଇଦ୍ରାବାଦ : ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟଙ୍କୁ ଫାଇନାଲ ମ୍ୟାଚ୍ରୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଚାଲିଛି ଶୁଣାଣି । ଏହି ପ୍ରସଙ୍ଗରେ କୋର୍ଟର ନିଷ୍ପତ୍ତିକୁ ସମଗ୍ର ଦେଶ ଅପେକ୍ଷା କରିଛି । ଦେଶବାସୀ ଚାହାଁନ୍ତି ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗାଟ ରୌପ୍ୟ ପଦକ ପାଆନ୍ତୁ ଏବଂ ଖାଲି ହାତରେ ଦେଶକୁ ନ ଫେରନ୍ତୁ । ଭିନେଶ ଏବଂ ତାଙ୍କ ଓକିଲ CAS ଆଗରେ ଯୁକ୍ତି ରଖିଛନ୍ତି ଯେ ଭିନେଶ ଆଇନଗତ ଭାବେ ଲଢ଼ି ଫାଇନାଲରେ ପହଞ୍ଚିଛନ୍ତି, ତେଣୁ ସେ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ ।
100 ଗ୍ରାମ ଅଧିକ ଓଜନ ପାଇଁ ହୋଇଥିଲେ ଅଯୋଗ୍ୟ :-
ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ ।
ଭିନେଶ କହିଲେ କାହିଁକି ବଢ଼ିଲା ଓଜନ :-
ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭିନେଶ କହିଛନ୍ତି ଯେ ମ୍ୟାଚ୍ ମଧ୍ୟରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଓଜନ ହ୍ରାସ କରିବାକୁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ । ଅଲିମ୍ପିକ୍ ଗ୍ରାମ ଏବଂ ପ୍ରତିଯୋଗିତା ଆୟୋଜନ ସ୍ଥାନ ମଧ୍ୟରେ ଦୂରତା ହେତୁ ତାଙ୍କର କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ବ୍ୟସ୍ତ ଥିଲା । ଏହି କାରଣରୁ ସେ ଏଥିରେ ଧ୍ୟାନ ଦେବାର ସୁଯୋଗ ପାଇଲେ ନାହିଁ ଏବଂ ଅଭିଯାନର ପ୍ରଥମ ଦିନ ପରେ ଫାଇନାଲ୍ ପୂର୍ବରୁ ତାଙ୍କ ଓଜନ ବୃଦ୍ଧି ପାଇଥିଲା । 100 ଗ୍ରାମ ଓଜନ ବୃଦ୍ଧି ପ୍ରାୟ ଅମୂଳକ । ଖରାଦିନେ ଶରୀରର ଫୁଲିଯିବା ହେତୁ ଓଜନ ସହଜରେ ବଢ଼ିପାରେ, କାରଣ ଉତ୍ତାପ ଶରୀରରେ ଅଧିକ ଜଳ ଜମା କରିଥାଏ । ଅତିରିକ୍ତ ଭାବରେ ଏହା ମାଂସପେଶୀ ଜନିତ ବୃଦ୍ଧି ହେତୁ ମଧ୍ୟ ହୋଇପାରେ, କାରଣ ଭିନେଶ ଗୋଟିଏ ଦିନରେ ତିନୋଟି ମ୍ୟାଚ୍ ଖେଳିଥିଲେ ।