ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ 2024ର 11ତମ ଦିନ ଭାରତ ପାଇଁ ବେଶ ଭଲ ଥିଲା । କୌଣସି ମେଡାଲ ମ୍ୟାଚ୍ ଖେଳିନଥିଲେ ମଧ୍ୟ ମଙ୍ଗଳବାର ଦିନ ଭାରତର ସୁନା ପୁଅ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଜାଭେଲିନ୍ ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ପୁଅ କିଶୋର ଜେନା କିନ୍ତୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ । ଅନ୍ୟପଟେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ମହିଳା 50 କିଲୋଗ୍ରାମ ବର୍ଗରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେହିଭଳି ଆଜି (7 ଅଗଷ୍ଟ) ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । କାରଣ ଆଜି ସମସ୍ତହ୍କ ନଜର ରହିବ ଭାରତର ଭାରୋତ୍ତୋଳନକାରୀ ମିରବାଇ ଚାନୁ ଏବଂ ମହିଳା ଟେବୁଲ୍ ଟେନିସ୍ ଦଳ ଉପରେ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି ଭାରତର ଆଥଲେଟ୍ ଭାଗ ନେବାକୁ ଥିବା ବିଭିନ୍ନ ଇଭେଣ୍ଟ ଉପରେ,
7 ଅଗଷ୍ଟ (ବୁଧବାର) ପ୍ୟାରିସ ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାସୂଚୀ :-
ଗଲ୍ଫ:ପ୍ୟାରିସ ଅଲିମ୍ପିକ୍ସରେ ଆଜି ଗଲ୍ଫ ଇଭେଣ୍ଟରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ । ଗଲ୍ଫରେ ଅଦିତି ଅଶୋକ ଏବଂ ଦିଶା ଡଗର ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ -1 ଇଭେଣ୍ଟରେ ଭାଗନେବେ । ଏହି ଦୁଇ ମହିଳା ଗଲ୍ଫ ଖେଳାଳିଙ୍କ ଠାରୁ ଭାରତ ଭଲ ପ୍ରଦର୍ଶନ ଆଶା କରିଛି ।
- ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ ରାଉଣ୍ଡ -1 (ଅଦିତି ଅଶୋକ ଏବଂ ଦିଶା ଡଗର) - ଦିନ 12:30
ଟେବୁଲ ଟେନିସ: ମହିଳା ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତୀୟ ଦଳ ଆଜି କ୍ବାର୍ଟର ଫାଇନାଲ ମୈଦାନକୁ ଓହ୍ଲାଇବ । ଭାରତୀୟ ଦଳରେ ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ । ଭାରତୀୟ ଦଳ ରାଉଣ୍ଡ ଅଫ୍ 16ରେ ରୋମାନିଆ ଦଳକୁ ପରାସ୍ତ କରିଥିଲା ।
- ମହିଳା ଟେବୁଲ୍ ଟେନିସ୍ କ୍ବାର୍ଟର ଫାଇନାଲ (ଅର୍ଚ୍ଚନା କାମାଥ, ମନିକା ବତ୍ରା ଏବଂ ଶ୍ରୀଜା ଅକୁଲା) - ଦିନ 1:30
ଆଥଲେଟିକ୍ସ: ଅଲିମ୍ପିକ୍ସରେ ଆଜି ଭାରତର ସୁରଜ ପାୱାର ଏବଂ ପ୍ରିୟଙ୍କା ଗୋସ୍ବାମୀ ଆଥଲେଟିକ୍ସରେ ମିଶ୍ରିତ ମାରାଥନ୍ ରେସ୍ ୱାକ୍ ରିଲେରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଭାରତର ଜ୍ୟୋତି ୟାରାଜୀ ମହିଳା 100 ମିଟର ଦୌଡ଼କୁଦ (Hurdles) ରାଉଣ୍ଡ 1ରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ । ସେ ହିଟ୍ 4ରେ ଅଂଶଗ୍ରହଣ କରିବେ । ପୁରୁଷ ଟ୍ରିପଲ ଜମ୍ପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରବୀଣ ଚିତ୍ରାଭେଲ ଏବଂ ଅବଦୁଲ୍ଲା ନାରଙ୍ଗୋଲିଣ୍ଟେଭିଡା ଅଂଶଗ୍ରହଣ କରିବେ ।