ନୂଆଦିଲ୍ଲୀ: ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଦ୍ବିତୀୟ ପଦକ ଜିତିଛି । 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଏବଂ ସରବଜୋତ ସିଂହ ଦେଶକୁ ଗର୍ବିତ କରିଛନ୍ତି । ଏହାପରେ ସାରାଦେଶରେ ଉତ୍ସବର ମାହୋଲ । ପ୍ୟାରିସକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ପୂର୍ବ ଅଲିମ୍ପିଆନ ଗୋଲ୍ଡ ମେଡାଲିଷ୍ଟ ଅଭିନବ ବିନ୍ଦ୍ରା ଏବଂ ବିଭିନ୍ନ ବର୍ଗର ଲୋକେ ସୋସିଆଲ ମିଡିଆରେ ଭାରତୀୟ ଷ୍ଟାର ଶୁଟର ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗର୍ବର ମୁହୂର୍ତ୍ତ କହିଲେ ରାଷ୍ଟ୍ରପତି:-
ଏହି ଦମଦାର ବିଜୟ ସହ ଭାରତକୁ ଦ୍ବିତୀୟ ପଦକ ଦେଇଥିବା ଭାରତୀୟ ଶୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ମୁହୂର୍ତ୍ତକୁ ରାଷ୍ଟ୍ରପତି ଦେଶ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି, '10 ମିଟର ଏୟାର ପିସ୍ତଲ ଶୁଟିଂ ମିଶ୍ରିତ ବର୍ଗ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଭିନନ୍ଦନ । ମନୁ ଭାକର ଇତିହାସ ସୃଷ୍ଟି କରିଛନ୍ତି, ସେ ଭାରତର ପ୍ରଥମ ମହିଳା ଶୁଟର ଭାବେ ଗୋଟିଏ ଅଲିମ୍ପିକ ଗେମ୍ସରେ ଦୁଇଟି ପଦକ ଜିତିଛନ୍ତି । ସେ ଆମକୁ ବହୁତ ଗର୍ବିତ କରିଛନ୍ତି । ଭବିଷ୍ୟତରେ ଆହୁରି ଅନେକ ସଫଳତା ପାଇଁ ମୁଁ ମନୁ ଏବଂ ସରବଜତ ସିଂହଙ୍କୁ ଶୁଭେଚ୍ଛା ଜଣାଉଛି ।
ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ:-
ଭାରତକୁ ଦ୍ବିତୀୟ ପଦକ ଭେଟି ଦେଇଥିବା ଷ୍ଟାର ଶୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ମୋଦି ଲେଖିଛନ୍ତି, "ଆମର ଶୁଟରମାନେ କ୍ରମାଗତ ଭାବରେ ଆମକୁ ଗର୍ବିତ କରୁଛନ୍ତି । ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଭିନନ୍ଦନ । ଉଭୟ ମହାନ କୌଶଳ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଭାରତ ଅତ୍ୟନ୍ତ ଆନନ୍ଦିତ । ମନୁଙ୍କ ପାଇଁ ଏହା ହେଉଛି ତାଙ୍କର କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ ପଦକ, ଯାହା ତାଙ୍କର ନିରନ୍ତର ଉତ୍କର୍ଷତା ଏବଂ ନିଷ୍ଠାକୁ ଦର୍ଶାଉଛି ।"