ଓଡିଶା

odisha

ଭାରତକୁ ବଡ଼ ଝଟ୍‌କା; ଲକ୍ଷ୍ୟ ସେନ୍‌ଙ୍କ ପ୍ରଥମ ବିଜୟ ରଦ୍ଦ, ଜାଣନ୍ତୁ କାରଣ - Paris Olympics 2024

By ETV Bharat Sports Team

Published : Jul 29, 2024, 1:20 PM IST

Paris Olympics 2024 Lakshya Sen:

Paris Olympics 2024 Lakshya Sen
Paris Olympics 2024 Lakshya Sen (ANI Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ପ୍ରତ୍ୟେକ ଖେଳାଳି ଗୋଟିଏ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସେହିଭଳି ଉଦ୍ୟମରେ ପ୍ରଥମ ମ୍ୟାଚ୍‌ ଜିତି ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲେ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ । ହେଲେ ପ୍ରଥମ ମ୍ୟାଚ୍ ଜିତିବା ପରେ ମଧ୍ୟ ତାଙ୍କୁ ସେହି ମ୍ୟାଚ୍ ଆଉଥରେ ଖେଳିବାକୁ ପଡିବ, କାରଣ ଗୁଆଟେମାଲା ଖେଳାଳି କେଭିନ୍ କର୍ଡନଙ୍କ ବିପକ୍ଷରେ ଲକ୍ଷ୍ୟ ପାଇଥିବା ବିଜୟ ଏବେ ବାତିଲ ହୋଇଛି ।

ଲକ୍ଷ୍ୟଙ୍କ ଠାରୁ ହାରିଥିବା ଖେଳାଳି ଅଲିମ୍ପିକ୍ସରୁ ଓହରିଗଲେ:-

ବାସ୍ତବରେ, ଗୁଆଟେମାଲା ବ୍ୟାଡ୍‌ମିଣ୍ଟନ ତାରକା ଖେଳାଳି କେଭିନ୍ କର୍ଡନ ତାଙ୍କ କାନ୍ଧରେ ଆଘାତ ଯୋଗୁଁ ପ୍ୟାରିସ୍ ଅଲିମ୍ପିକ୍ସରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏହାପରେ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ଘୋଷଣା କରିଛି ଯେ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ଗ୍ରୁପ 'ଏଲ୍‌'ର ଉଦଘାଟନୀ ମ୍ୟାଚରେ କେଭିନ କର୍ଡନଙ୍କ ବିପକ୍ଷରେ ଷ୍ଟାର ଇଣ୍ଡିଆନ ସଟଲର ଲକ୍ଷ୍ୟ ସେନଙ୍କ ବିଜୟ ଗଣତି କରାଯିବ ନାହିଁ ।

ଆରମ୍ଭରୁ ହେବ ଖେଳ:-

ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ଏକ ବିଜ୍ଞପ୍ତିରେ କହିଛି, 'ଗୁଆଟେମାଲା ପୁରୁଷ ସିଙ୍ଗଲ୍ସ ଖେଳାଳି କେଭିନ କର୍ଡନଙ୍କ ହାତ କହୁଣୀରେ ଆଘାତ ଯୋଗୁଁ ସେ ପ୍ୟାରିସ 2024 ଅଲିମ୍ପିକ୍‌ ଗେମ୍ସରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟି ଏବଂ ବେଲଜିୟମର ଜୁଲିଏନ୍ କେରାଗି ବିପକ୍ଷରେ କର୍ଡନଙ୍କର ଅବଶିଷ୍ଟ ଗ୍ରୁପ୍ 'ଏଲ୍' ମ୍ୟାଚ୍‌ ଖେଳାଯିବ ନାହିଁ । ଏହି ଇଭେଣ୍ଟରେ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ପୁଣିଥରେ ଆରମ୍ଭରୁ ଖେଳାଯିବାକୁ ସ୍ଥିର ହୋଇଛି ।

ସବୁ ମ୍ୟାଚ୍‌ର ଫଳାଫଳ ଶୂନ୍ୟ ହେଲା:-

ବ୍ୟାଡ୍‌ ମିଣ୍ଟନର ୱାର୍ଲ୍ଡ ଗଭର୍ଣ୍ଣିଂ ବଡି କହିବା ଅନୁସାରେ, 'ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍‌ ପାଇଁ BWF ସାଧାରଣ ପ୍ରତିଯୋଗିତା ନିୟମାବଳୀ ଅନୁଯାୟୀ, ଗ୍ରୁପ୍ 'ଏଲ୍‌'ରେ ଗୁଆଟେମାଲା ଖେଳାଳି କର୍ଡନ୍‌ଙ୍କ ସହିତ ଖେଳାଯାଇଥିବା କିମ୍ବା ଏପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ର ଫଳାଫଳ ବର୍ତ୍ତମାନ ଶୂନ୍ୟ ବୋଲି ଗ୍ରହଣ କରାଯାଉଛି । କର୍ଡନ୍ ଖେଳରୁ ଓହରିଯିହା ପରେ ଖେଳର ସାମଗ୍ରିକ କାର୍ଯ୍ୟସୂଚୀ ଏବଂ ଗ୍ରୁପ୍ 'ଏଲ୍‌'ର ଫଳାଫଳ ପ୍ରଭାବିତ ହୋଇଛି । କର୍ଡନ୍ ଆଉଟ୍ ହେବା ପରେ, ଗ୍ରୁପ୍ 'ଏଲ୍' ବର୍ତ୍ତମାନ ଜୋନାଥନ୍ ଖ୍ରୀଷ୍ଟି, ଜୁଲିଆନ୍ କେରାଗି ଏବଂ ଲକ୍ଷ୍ୟ ସେନ୍‌ଙ୍କ ସମେତ 3 ଜଣ ଖେଳାଳିଙ୍କୁ ନେଇ ଗଠିତ ହେବ ।'

ଆରମ୍ଭରୁ ଖେଳିବେ ଲକ୍ଷ୍ୟ ସେନ୍‌:-

ପ୍ରକାଶ ଥାଉ, ଏହି ପରିବର୍ତ୍ତନ ଅର୍ଥ ନକ୍ଆଉଟ୍ ଷ୍ଟେଜ୍ ଗ୍ରୁପରେ ଲକ୍ଷ୍ୟ ସେନ୍‌ ଏକମାତ୍ର ଖେଳାଳି ଭାବେ 3ଟି ମ୍ୟାଚ୍‌ ଖେଳିବେ । କାରଣ ଏହା ପୂର୍ବରୁ ସେ ଗୋଟିଏ ମ୍ୟାଚ୍‌ ଖେଳି ସାରିଛନ୍ତି । ଅନ୍ୟପଟେ ଯେତେବେଳେ କ୍ରିଷ୍ଟି ଏବଂ କେରାଗି କେବଳ ଦୁଇଟି ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ । ଲକ୍ଷ୍ୟ ସେନ୍ ସୋମବାର କେରାଗିଙ୍କ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏବଂ ବୁଧବାର ତାଙ୍କ ଅନ୍ତିମ ଗ୍ରୁପ୍ ମ୍ୟାଚରେ ସେ ଖ୍ରୀଷ୍ଟିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଲକ୍ଷ୍ୟରେ ଲକ୍ଷ୍ୟ ସେନ୍‌; ବ୍ୟାଡ୍‌ମିଣ୍ଟନରେ ଭାରତକୁ ଦେଲେ ଚମତ୍କାର ଆରମ୍ଭ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details