ଓଡିଶା

odisha

ETV Bharat / sports

ଅଲିମ୍ପିକ୍ସରେ ଭାରତ ପାଇଁ ଡେବ୍ୟୁ କରିବେ ଏହି ଖେଳାଳି; ଓଡ଼ିଆ ପୁଅ ଉପରେ ମଧ୍ୟ ସମସ୍ତଙ୍କ ନଜର - Paris Olympics 2024

Paris Olympics 2024: ପ୍ୟାରିସ୍‌ରେ ଅନେକ ଭାରତୀୟ ଖେଳାଳି ଦେଶ ପାଇଁ ପ୍ରଥମ ଥର ଅଲିମ୍ପିକ୍ସରେ ଖେଳିବେ । ସେମାନଙ୍କ ମଧ୍ୟରୁ ଅନେକ ଦେଶ ପାଇଁ ମେଡଲ ଆଣିବାକୁ ମଧ୍ୟ ଦାବିଦାର ରହିଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ଓଡ଼ିଆ ଷ୍ଟାର ଜାଭେଲିନ ଫିଙ୍ଗାଳି କିଶୋର ଜେନା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jul 24, 2024, 7:31 PM IST

Paris Olympics 2024
Paris Olympics 2024 (ETV Bharat Odisha)

ହାଇଦ୍ରାବାଦ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହେବ ପ୍ୟାରିସ୍‌ ଅଲିମ୍ପିକ୍ସ 2024 ମହାକୁମ୍ଭ । 26 ଜୁଲାଇରୁ 11 ଅଗଷ୍ଟ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାକୁମ୍ଭକୁ ଅପେକ୍ଷା କରି ରହିଛନ୍ତି ବିଶ୍ବର ସମସ୍ତ କ୍ରୀଡ଼ାପ୍ରେମୀ । ତେବେ ଏଥର ଭାରତରୁ ଅନେକ ଯୁବ ଖେଳାଳି ରହିଛନ୍ତି, ପ୍ରଥମ ଥର ପାଇଁ ଅଲିମ୍ପିକ୍‌ ଖେଳିବେ । ଅର୍ଥାତ ଏମାନେ ପ୍ୟାରିସରେ ଭାରତ ପାଇଁ ଅଲିମ୍ପିକ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଖରୁ ପଦକ ପାଇବାକୁ ଅପେକ୍ଷା ରଖିଛି ଦେଶ । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଷ୍ଟାର ଜାଭେଲିନ ଥ୍ରୋୟର କିଶୋର ଜେନାଙ୍କ ସମେତ ଅନେକ ଭାରତୀୟ ଷ୍ଟାର ଆଥଲେଟ୍‌ ।

Paris Olympics 2024 (AP PHOTOS)

ପ୍ୟାରିସ ଅଲିମ୍ପିକ୍ସ 2024ରେ ଡେବ୍ୟୁ କରିବାକୁ ଯାଉଥିବା ଭାରତୀୟ ଖେଳାଳି, ଯେଉଁମାନଙ୍କ ନିକଟରୁ ରହିଛି ପଦକ ଆଶା:-

  • କିଶୋର ଜେନା- ଜାଭେଲିନ ଥ୍ରୋୟର
  • ସିଫ୍ଟ କୌର ସମରା- ଶୁଟିଂ
  • ଇଶା ସିଂହ- ଶୁଟଂ
  • ଧୀରଜ ବମ୍ମାଦେୱରା- ତୀରନ୍ଦାଜୀ
  • ପ୍ରୀତି ସାଇ ପାୱାର- ବକ୍ସିଂ
  • ଧିନିଧି ଦେସିଂଘୁ- ସ୍ବିମିଂ
  • ରୀତିକା ହୁଡ୍ଡା- କୁସ୍ତି
  • ଶ୍ରୀଜା ଅକୁଲା- ଟେବୁଲ ଟେନିସ
  • ଅନ୍ତିମ ପଙ୍ଘାଲ- କୁସ୍ତି
  • ରାଜ କୁମାର ପାଲ- ହକି
  • ତୁଲିକା ମାନ- ଜୁଡୋ

ମେଡାଲ ଦାବିଦାର ଏହି ଟପ୍‌ 10 ଭାରତୀୟ ଡେବ୍ୟୁଟାଣ୍ଟ:-

Paris Olympics 2024 (ETV Bharat Odisha)

କିଶୋର ଜେନା: ଦେଶର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ପରେ ଜାଭେଲିନ୍ ଥ୍ରୋରେ ଦ୍ବିତୀୟରେ ରହିଛନ୍ତି ଓଡିଆ ପୁଅ କିଶୋର ଜେନା । ସେ ଜାଭଲିନ ଥ୍ରୋ ଯାତ୍ରା 2014 -15ରେ ଆରମ୍ଭ କରିଥିଲେ । 2017 ସେପ୍ଟେମ୍ବରରେ କିଶୋର 72.77 ମିଟର ଜାଭଲିନ ଫିଙ୍ଗି 20 ବର୍ଷର ରେକର୍ଡ (65 ମିଟର) ଭାଙ୍ଗିଥିଲେ । ଆଉ ଏହା ତାଙ୍କୁ ବହୁତ ଆତ୍ମବିଶ୍ବାସ ପ୍ରଦାନ କରିଥିଲା । ତେବେ ଶ୍ରୀଲଙ୍କାରେ ବଦଳିଥିଲା କିଶୋରଙ୍କ ଭାଗ୍ୟ । ସେଠାରେ 84.38 ମିଟର ଜାଭେଲିନ ଥ୍ରୋ କରିଥିଲେ କିଶୋର । ଏହାପରେ କିଶୋର ଜେନା 2022 ଏସିଆନ ଗେମ୍ସ ଏବଂ 2023 ୱାର୍ଲ୍ଡ ଚମ୍ପିଆନସିପରେ ଭାଗ ନେଇ ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରକାଶ ଯେ, କିଶୋର ୱାର୍ଲ୍ଡ ଚମ୍ପିଆନସିପରେ 84.77 ମିଟର ଜାଭଲିନ ଫୋପାଡି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏପରିକି ଏସିଆନ ଗେମ୍ସରେ ମଧ୍ୟ 87.54 ମିଟର ଜାଭଲିନ ଫୋପାଡିଥିଲେ କିଶୋର । ତେଣୁ ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜଙ୍କ ସହ କିଶୋର ମଧ୍ୟ ଦେଶକୁ ତାଙ୍କର ପ୍ରଥମ ପଦକ ଭେଟି ଦେବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

ଇଶା ସିଂହ: ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିବାକୁ ଭାରତୀୟ ଶୁଟର ଇଶା ସିଂ ମଧ୍ୟ ଜଣେ ଦାବିଦାର । ହାଇଦ୍ରାବାଦର ଏହି 19 ବର୍ଷୀୟ ପିସ୍ତଲ ଶୁଟର ଗତ ବର୍ଷ ହାଙ୍ଗଝୌ ଏସିଆନ୍ ଗେମ୍ସରେ ଏକକ ବର୍ଗରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ ଅଲିମ୍ପିକ୍‌ କ୍ବାଲିଫାୟରରେ 10 ମିଟର ଏୟାର ପିସ୍ତଲ ଫାଇନାଲରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସରେ ମଧ୍ୟ ପଦକ ଜିତିବାକୁ ଆଶାବଦୀ ।

Paris Olympics 2024 (ANI PHOTOS)

ଧୀରଜ ବମ୍ମାଦେୱରା: ଅଲିମ୍ପିକ୍ସ 2024ରେ ଭାରତୀୟ ତୀରନ୍ଦାଜୀ ଧୀରଜ ବମ୍ମାଦେୱରା ଧମାଲ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆନ୍ଧ୍ରପ୍ରଦେଶର 23 ବର୍ଷୀୟ ତୀରନ୍ଦାଜୀ ଧୀରଜ ପ୍ୟାରିସରୁ ଦେଶକୁ ପଦକ ଆଣିବାକୁ ଯଥେଷ୍ଟ ଉଦ୍ୟମ କରିବେ । ସେ ଏସୀୟ ଗେମ୍ସରେ ପୁରୁଷ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ସେ ତୀରନ୍ଦାଜ କଣ୍ଟିନେଣ୍ଟାଲ୍‌ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ପ୍ୟାରିସ୍ ଅଲିମ୍ପିକ୍ସ କୋଟା ହାସଲ କରିଥିଲେ ।

Paris Olympics 2024 (ANI PHOTOS)

ପ୍ରୀତି ସାଇ ପାୱାର: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ବକ୍ସର ପ୍ରୀତି ସାଇ ପାୱାରଙ୍କଠାରୁ ଦେଶ ପଦକ ଆଶା ରଖିଛି । ସେ ଏସିଆନ୍ ଗେମ୍ସରେ ବକ୍ସିଂରେ ରୌପ୍ୟ ପଦକ ଜିତିଥିଲେ ଏବଂ ହାଙ୍ଗଝୌରେ ସେମିଫାଇନାଲରେ ପ୍ରବେଶ କରି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଥିଲେ । ବର୍ତ୍ତମାନ ପ୍ରୀତି ତାଙ୍କର ଡେବ୍ୟୁ ଅଲିମ୍ପିକ୍ସରେ ଧମାଲ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଧିନିଧି ଦେସିଂହୁ: ଭାରତର 14 ବର୍ଷୀୟ ଯୁବ ସନ୍ତରଣକାରୀ ଧିନିଧି ଦେସିଂହୁ ତାଙ୍କର ପ୍ରଥମ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବାକୁ ଦମ ଲଗାଇବେ । ସେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ସର୍ବକନିଷ୍ଠ ଖେଳାଳି । ସନ୍ତରଣରେ ସେ ନ୍ୟାସନାଲ ଗେମ୍ସ ଏବଂ ସିନିୟର ନ୍ୟାସନାଲ ଚମ୍ପିଆନସିପରେ ଚମତ୍କାର ପ୍ରଦର୍ଶନ କରି ପଦକ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଜୋର ଲଗାଇବେ ।

ରୀତିକା ହୁଡ୍ଡା: ଭାରତୀୟ କୁସ୍ତିଯୋଦ୍ଧା ରୀତିକା ହୁଡ୍ଡା ପ୍ୟାରିସରେ ଭାରତ ପାଇଁ ଡେବ୍ୟୁ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଦେଶ କୁସ୍ତିରେ ତାଙ୍କଠାରୁ ପଦକ ପାଇବାକୁ ଆଶା ରଖିଛି । ହରିୟାଣାର ରୀତିକା ମଧ୍ୟ ଏସୀୟ ରେସଲିଂ ଚମ୍ପିଆନସିପ୍ 2023ରେ ବ୍ରୋଞ୍ଜ ଜିତିଥିଲେ । ଏହା ସହିତ ସେ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ । ବର୍ତ୍ତମାନ ସେ ତାଙ୍କର ପ୍ରଥମ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ।

ଶ୍ରୀଜା ଅକୁଲା: ଭାରତର ଯୁବ ଟେବୁଲ୍ ଟେନିସ୍ ଖେଳାଳି ଶ୍ରୀଜା ଅକୁଲା ପ୍ୟାରିସ୍ ଅଲିମ୍ପିକ୍ସରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଟେବୁଲ ଟେନିସରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିବେ ବୋଲି ଆଶା କରାଯାଉଛି । ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ବିଶ୍ବ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ଦେଶ ପାଇଁ ପଦକ ପାଇବାକୁ ଦାବିଦାର ରହିବେ ।

ଅନ୍ତିମ ପଙ୍ଘାଲ: ଭାରତର ଯୁବ ରେସଲର ଅନ୍ତିମ ପଙ୍ଘାଲ ତାଙ୍କର ପ୍ରଥମ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି । ଦୁଇଥର କୁସ୍ତିରେ ସେ ଅଣ୍ଡର-20 ବିଶ୍ବ ଚମ୍ପିଆନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ଏହା ସହିତ ସେ ଏସିଆନ୍ ଗେମ୍ସ, ଏସିଆନ୍ ଚମ୍ପିଆନସିପ୍ ଏବଂ ସିନିୟର ୱାର୍ଲ୍ଡ ରେସଲିଂ ଚମ୍ପିଆନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପଦକ ଜିତିଛନ୍ତି ।

ରାଜ କୁମାର ପାଲ: ଭାରତୀୟ ହକି ଦଳର ମିଡଫିଲ୍ଡର ରାଜ କୁମାର ପାଲ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବେ । ସେ ଭାରତୀୟ ହକି ଦଳକୁ ଦମଦାର ଖେଳ ସହିତ ସ୍ବର୍ଣ୍ଣ ପଦକ ଜିତିବାରେ ସାହାଯ୍ୟ କରିବେ ବୋଲି ଆଶା କରାଯାଉଛି । ସେ ଦଳକୁ 2022ରେ ଜାକର୍ତ୍ତା ଏବଂ ଏସିଆ କପ୍‌ ଏବଂ 2021ରେ ବ୍ରୋଞ୍ଜ ପଦକ ଜିତିବାରେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ସେ ପ୍ୟାରିସରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦେବେ ବୋଲି ସମସ୍ତେ ଆଶାବାଦୀ ।

Paris Olympics 2024 (ANI PHOTOS)

ତୁଲିକା ମାନ: ଭାରତୀୟ ମହିଳା ଜୁଡୋ ଖେଳାଳି ତୁଲିକା ମାନ ପ୍ୟାରିସ ଅଲିମ୍ପିକ୍ସ 2024ରେ ନିଜର ଅଲିମ୍ପିକ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥର ପଦକ ଜିତିବା ପାଇଁ ତାଙ୍କଠାରୁ ଦେଶ ଆଶା ରଖିଛି । 25 ବର୍ଷୀୟା ତୁଲିକା ଜୁଡୋରେ ଭାରତକୁ ପ୍ରଥମ ପଦକ ଅପେକ୍ଷାର ଅନ୍ତ ଘଟାଇବେ ବୋଲି ବିଶ୍ବସ ରଖିଛନ୍ତି କ୍ରୀଡ଼ାପ୍ରେମୀ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ମେଡାଲ ଜିତିଲେ କୋଟିପତି ହେବେ ଖେଳାଳି; ଜାଣନ୍ତୁ କେଉଁ ଦେଶରେ କେତେ ମିଳେ ପୁରସ୍କାର - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details