ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC) ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ଦିଏ ନାହିଁ । ତେବେ ବିଭିନ୍ନ ଦେଶର ସରକାର କିମ୍ବା ସଂଗଠନ ବା କ୍ରୀଡା ସଂଘମାନେ ଆଥଲେଟ୍ ମାନଙ୍କୁ ଅର୍ଥ ରାଶି କିମ୍ବା ଅନ୍ୟାନ୍ୟ ପୁରସ୍କାର ସହିତ ଉତ୍ସାହିତ କରିଥାଆନ୍ତି । ଏଥିରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି କୌଣସି ପ୍ରତିବନ୍ଧକ ଲଗାଇନଥାଏ । ବ୍ୟକ୍ତିଗତ ଭାବେ ସରକାର ଏବଂ ବେସରକାରୀ ସଂଗଠନ ମାନେ ପ୍ରାୟତଃ ଆଥଲେଟମାନଙ୍କୁ ନଗଦ ଅର୍ଥ, ସରକାରୀ ଚାକିରି ଓ ଜାତୀୟ ପୁରସ୍କାର ଭଳି ଅସାଧାରଣ ସମ୍ମାନରେ ସମ୍ମାନିତ କରିଥାଆନ୍ତି । କେତେକ ଦେଶରେ ଅର୍ଥରାଶି ବ୍ୟତୀତ, ଅଲିମ୍ପିକ ବିଜେତା ଆଥଲେଟଙ୍କୁ ବିଳାସପୂର୍ଣ୍ଣ କାର ଠାରୁ ଆପାର୍ଟମେଣ୍ଟ ଭଳି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ ।
ଅଲିମ୍ପିଆନମାନେ ସାଧାରଣତଃ ପଦକ ଜିତି ଫେରିବା ପରେ ନିଜ ଦେଶରେ ଆର୍ଥିକ ଏବଂ ବେଳେବେଳେ ଅଣ-ଆର୍ଥିକ ପୁରସ୍କାର ଗ୍ରହଣ କରନ୍ତି । ଉଦାହରଣ ସ୍ବରୂପ, ଟିମ୍ ୟୁଏସ୍ ପାଇଁ ସ୍ବର୍ଣ୍ଣ ପଦକ ବିଜେତାମାନେ ସେମାନଙ୍କ ସଫଳତା ପାଇଁ 37,500 ୟୁଏସ୍ ଡଲାର୍ ମିଳିଥାଏ । ସେହିପରି ସିଙ୍ଗାପୁରରେ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 737,000 ୟୁଏସ୍ ଡଲାର୍ ପୁରସ୍କାର ମିଳିଥାଏ । ଯାହା, ଆମେରିକା ସ୍ବର୍ଣ୍ଣପଦକ ବିଜେତାଙ୍କ ପୁରସ୍କାରର ପ୍ରାୟ 20 ଗୁଣ । ଏହା ବ୍ୟତୀତ ଅଲିମ୍ପିଆନମାନେ ସେମାନଙ୍କର କ୍ରୀଡ଼ା ଅଭ୍ୟାସ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ବିଜ୍ଞାପନ ଭଳି ଅନ୍ୟ ଉପାୟରେ ମଧ୍ୟ ପାଣ୍ଠି ସଂଗ୍ରହ କରିଥାନ୍ତି ।
ନଜର ପକାନ୍ତୁ ବିଭିନ୍ନ ଦେଶ ନିଜ ଶ୍ରେଷ୍ଠ ଅଲିମ୍ପିଆନଙ୍କୁ କିଭଳି ପୁରସ୍କୃତ କରନ୍ତି:-
ଭାରତ: ଭାରତ ସରକାର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ 75 ଲକ୍ଷ ଟଙ୍କା (ପ୍ରାୟ 90,000 ୟୁଏସ୍ ଡଲାର) ଆର୍ଥିକ ପୁରସ୍କାର ପ୍ରଦାନ କରିଥାନ୍ତି । ସେହିଭଳି ରୌପ୍ୟ ପଦକ ବିଜେତାଙ୍କୁ 50 ଲକ୍ଷ ଟଙ୍କା ଓ କାଂସ୍ୟ ପଦକ ବିଜେତାଙ୍କୁ 10 ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ଏହା ସହିତ ଭାରତୀୟ ଅଲିମ୍ପିକ ସଂଘ ଭାରତୀୟ ଅଲିମ୍ପିକ ବିଜେତାମାନଙ୍କୁ ଅଲଗା ଭାବେ 1 କୋଟି ଟଙ୍କା (ପ୍ରାୟ 120,000 ୟୁଏସ୍ ଡଲାର) ପୁରସ୍କାର ରାଶି ପ୍ରଦାନ କରିଥାଏ ।
ୟୁଏସ୍ଏ: US ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ କମିଟିର 'ଅପରେସନ୍ ଗୋଲ୍ଡ' କାର୍ଯ୍ୟକ୍ରମ ଅଧୀନରେ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ 37,500 ୟୁଏସ୍ ଡଲାର୍ ଦେଇ ପୁରସ୍କୃତ କରାଯାଇଥାଏ । ସେହିଭଳି ରୌପ୍ୟ ଓ କାଂସ୍ୟ ପଦକ ବିଜେତାମାନଙ୍କୁ ଯଥାକ୍ରମେ 22,500 ଓ 15,000 ୟୁଏସ୍ ଡଲାର ମିଳିଥାଏ । ଆଥଲେଟମାନଙ୍କୁ ପୁରସ୍କୃତ କରିବା ପାଇଁ ଆମେରିକା ଜାତୀୟ କ୍ରୀଡ଼ା ସଂଗଠନର ନିଜସ୍ବ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଆମେରିକାର ରେସଲିଂର 'ଲିଭିଙ୍ଗ୍ ଦ ଡ୍ରିମ୍ ମେଡାଲ୍ ଫଣ୍ଡ' ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 250,000 ୟୁଏସ୍ ଡଲାର ଏବଂ 'ୟୁଏସ୍ଏ ସୁଇମିଂ' ସ୍ବର୍ଣ୍ଣ ପଦକ ବିଜେତାଙ୍କୁ 75,000 ଡଲାର୍ ପୁରସ୍କାର ପ୍ରଦାନ କରିଥାନ୍ତି ।
ଇଣ୍ଡୋନେସିଆ: ଏକ ରିପୋର୍ଟ ଅନୁଯାୟୀ, 2021 ମସିହାରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଇଣ୍ଡୋନେସିଆର ବ୍ୟାଡମିଣ୍ଟନ ଆଥଲେଟ୍ ଗ୍ରାସିଆ ପୋଲି ଏବଂ ଆପ୍ରିୟାନି ରାହାୟୁଙ୍କୁ 5 ଗାଇ, ଗୋଟିଏ ରେଷ୍ଟୁରାଣ୍ଟ ଏବଂ ଏକ ନୂଆ ଘର ପୁରସ୍କାର ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ସରକାର ଏହି ଯୋଡିଙ୍କୁ ପ୍ରାୟ 350,000 ଡଲାରର ନଗଦ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ, ରିପୋର୍ଟ ଅନୁଯାୟୀ, ସୁଲାୱେସି ଦ୍ବୀପର ରାହାୟୁଙ୍କୁ ଜିଲ୍ଲା ମୁଖ୍ୟଙ୍କ ଦ୍ବାରା 5ଟି ଗାଇ ଏବଂ ଗୋଟିଏ ଘର ଦିଆଯାଇଥିଲା ।
ହଂକଂ: ହଂକଂ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ୍ ମଧ୍ୟ ଏହାର ଆଥଲେଟ ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥାଏ । ଖେଳାଳିମାନଙ୍କ ପ୍ରତିଯୋଗିତାରେ ପ୍ରଦର୍ଶନ ଉପରେ ଆଧାର କରି ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଥାଏ ହଂକଂ ସ୍ପୋର୍ଟସ୍ ଇନଷ୍ଟିଚ୍ୟୁଟ୍ । ପ୍ୟାରିସ୍ 2024 ଅଲିମ୍ପିକ୍ ଗେମ୍ସରେ ହଂକଂର ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା 768,000 ଡଲାର ପାଇବେ ।
ମାଲେସିଆ: ମାଲେସିଆ ଏକ ଖବରକାଗଜ 'ମଲୟ ମେଲ୍' ରିପୋର୍ଟ ଅନୁଯାୟୀ ମାଲେସିଆର ଯୁବ ଓ କ୍ରୀଡା ମନ୍ତ୍ରୀ ହନ୍ନା ୟୋହ ଫେବୃଆରୀରେ କହିଛନ୍ତି ଯେ ଅଲିମ୍ପିକ୍ ପୋଡିୟମରେ ପହଞ୍ଚୁଥିବା ଜାତୀୟ ଆଥଲେଟମାନଙ୍କୁ ଏକ ବିଦେଶୀ ନିର୍ମିତ ଦାମୀ କାର୍ ଦେଇ ପୁରସ୍କୃତ କରାଯିବ । ଦେଶର 'ରୋଡ୍ ଟୁ ଗୋଲ୍ଡ' (RTG) କମିଟି ଗୋଟିଏ କାର କମ୍ପାନୀରୁ ଏକ ପ୍ରସ୍ତାବ ଗ୍ରହଣ କରିଛି, ଯାହା ଆଥଲେଟ ମାନଙ୍କୁ ଏହାର ଯାନ ଯୋଗାଇବ ବୋଲି ରିପୋର୍ଟରେ ପ୍ରକାଶ ।