ଓଡିଶା

odisha

ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: 'ଆମେରିକାରେ ବି ଏତିକି ସୁବିଧା ମିଳୁନଥିବ'; ଭାରତୀୟ ସଟ୍‌ଲର୍‌ଙ୍କ ଉପରେ ବର୍ଷିଲେ ପ୍ରକାଶ ପାଦ୍ୟୁକୋନ - Paris Olympics 2024 - PARIS OLYMPICS 2024

Paris Olympics 2024: 2008 ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରୁ ଖାଲି ହାତରେ ଫେରିବ ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (Getty Image)

By ETV Bharat Sports Team

Published : Aug 6, 2024, 1:57 PM IST

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କ ଅଭିଯାନ ଶେଷ ହୋଇଛି । ଗତକାଲି (ସୋମବାର) ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ମାଲେସିଆର ଲି ଜି ଜିଆଙ୍କ ବିରୋଧରେ ଯୁବ ଷ୍ଟାର ସଟଲର୍ ଲକ୍ଷ୍ୟ ସେନ୍ ହୃଦୟ ବିଦାରକ ପରାଜୟର ସମ୍ମୁଖୀନ ହୋଇଥିଲେ । ଏହାପରେ ଭାରତୀୟ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ ପାଦୁକୋନ ପ୍ୟାରିସରେ ଖରାପ ପ୍ରଦର୍ଶନକୁ ନେଇ ଲକ୍ଷ୍ୟ ସେନଙ୍କ ସମେତ ଭାରତୀୟ ସଟ୍‌ଲର୍‌ ମାନଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରକାଶ । ସେ କହିଛନ୍ତି ଯେ ବର୍ତ୍ତମାନ ଖେଳାଳିମାନେ ଆଗକୁ ବଢ଼ି ଜିତିବାର ସମୟ ଆସିଛି । ସେମାନଙ୍କୁ ଯଥେଷ୍ଟ ସାହାଯ୍ୟ ସହଯୋଗ ମିଳୁଥିବାରୁ ସେମାନେ କାହା ଉପରେ ଦୋଷ ଦେଇପାରିବେ ନାହିଁ ।

'ଖେଳାଳିମାନେ ଆଗକୁ ଆସିବାର ସମୟ' :-

ଅଲିମ୍ପିକ୍ସରେ ଭାରତର ଅଭିଯାନ ବିଷୟରେ ଆଲୋଚନା କରି ବ୍ୟାଡମିଣ୍ଟନ କିମ୍ବଦନ୍ତୀ ପ୍ରକାଶ କହିଛନ୍ତି, "ଆଥଲେଟମାନଙ୍କୁ ସାହାଯ୍ୟ କରିବାରେ ସରକାର ନିଜର ଭୂମିକା ସଠିକ ଭାବରେ ନିଭେଇଛନ୍ତି । ବର୍ତ୍ତମାନ ଖେଳାଳିମାନେ ଆଗକୁ ଆସିବାର ସମୟ ଆସିଛି । ଆମର ପ୍ରଦର୍ଶନକୁ ନେଇ ମୁଁ ଟିକେ ନିରାଶ ହୋଇଛି ଯେ ଆମେ ବ୍ୟାଡମିଣ୍ଟନରୁ ଗୋଟିଏ ପଦକ ଜିତି ପାରିଲୁ ନାହିଁ । ମୁଁ ଯେପରି ପୂର୍ବରୁ କହିଥିଲି, ଆମେ ତିନୋଟି ପଦକ ପାଇଁ ଦାବିଦାର ଥିଲୁ, ତେଣୁ ଅତି କମରେ ଗୋଟିଏ ପଦକ ମୋତେ ଖୁସି କରିଥାନ୍ତା । ଏଥର ସରକାର, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ଏବଂ କ୍ରୀଡା ମନ୍ତ୍ରଣାଳୟ ସମସ୍ତେ ଯଥାସମ୍ଭବ ଉଦ୍ୟମ କରିଛନ୍ତି ଏବଂ ମୁଁ ଭାବୁନାହିଁ ଯେ ସରକାର ଯାହା କରିଛନ୍ତି, ତାହାଠାରୁ ଅଧିକ କେହି କରିଥାନ୍ତେ । ତେଣୁ ମୁଁ ଭାବୁଛି ଖେଳାଳିମାନେ ମଧ୍ୟ ଏଥର ନିଜ ଦାୟିତ୍ବ ନେବା ଆବଶ୍ୟକ ।

'ଆମେରିକା ବି ଦେଉନି ଏତେ ସୁବିଧା' :-

ଲକ୍ଷ୍ୟ ସେନ୍‌ ମ୍ୟାଚ୍ ହାରିଯିବା ପରେ ପ୍ରକାଶ ଗଣମାଧ୍ୟମକୁ କହିଛନ୍ତି, "ଖେଳାଳିମାନେ ମଧ୍ୟ ଆତ୍ମସମୀକ୍ଷା କରିବା ଆବଶ୍ୟକ । ଆପଣ କେବଳ ଅଧିକ ସହଯୋଗ ପାଇଁ ଦାବି କରିପାରିବେ ନାହିଁ । ବୋଧହୁଏ ଖେଳାଳିମାନେ ଅଲିମ୍ପିକ୍ସରେ ପଦକ ଜିତିବା ପାଇଁ ଯଥେଷ୍ଟ ପରିଶ୍ରମ କରୁନାହାଁନ୍ତି । କେବଳ କୋଚ୍ ନୁହଁନ୍ତି, ଆପଣଙ୍କ ପାଖରେ କ୍ରୀଡା ବିଜ୍ଞାନ ସହାୟତା ଦଳ ଅଛି, ଖେଳାଳୀମାନଙ୍କର ନିଜସ୍ବ ଫିଜିଓ, S&C କୋଚ୍, ସେମାନଙ୍କର ନିଜସ୍ବ ପୁଷ୍ଟିକର ବିଶେଷଜ୍ଞ ଅଛନ୍ତି । ମୁଁ ଭାବୁନାହିଁ ଆମେରିକା ସମେତ ଅନ୍ୟ କୌଣସି ଦେଶରେ ଏପରି ସୁବିଧା ମିଳୁଛି । ଏସବୁ ଉପରେ ଖୋଲାଖୋଲି ଆଲୋଚନା କରିବା ଉଚିତ ।

2008ରେ ପ୍ରଥମ ଥର ପଦକ ଶୂନ୍ୟ ବ୍ୟାଡମିଣ୍ଟନ ଦଳ :-

ପ୍ରକାଶ ଥାଉ, 2008 ପରଠାରୁ ପ୍ରଥମ ଥର ପାଇଁ 2024ରେ ବିନା ପଦକରେ ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ଅଲିମ୍ପିକ୍ସରୁ ଫେରିବ । ଗତକାଲି (ସୋମବାର) ତିନି ସେଟ୍‌ ପର୍ଯ୍ୟନ୍ତ ଚାଲିଥିବା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍ ହାରିଯାଇଥିଲେ ଏବଂ ଭାରତର ବ୍ୟାଡମିଣ୍ଟନରେ ପଦକ ଜିତିବା ଆଶା ଭାଙ୍ଗିଗଲା । ଏହାପୂର୍ବରୁ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସରେ ରାଉଣ୍ଡ ଅଫ୍‌ 16ରେ ଚୀନ୍‌ର ହେ ବିଙ୍ଗ ଜିଆଓଙ୍କ ଠାରୁ ହାରିଥିବାବେଳେ ପୁରୁଷ ଯୁଗଳ କ୍ୱାର୍ଟର ଫାଇନାଲରେ ଭାରତୀୟ ଷ୍ଟାର ଯୋଡ଼ି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ମାଲେସିଆର ଆରୋନ ଚିଆ ଏବଂ ସୋ ୱୁଇ ୟିକଙ୍କଠାରୁ ହାରିଥିଲେ । ଅନ୍ୟପଟେ ଗ୍ରୁପ୍‌ ପର୍ଯ୍ୟାୟରେ ଅଶ୍ବିନୀ ପୋନ୍ନାପ୍ପା ଏବଂ ତନିଶା କ୍ରିଷ୍ଟୋ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ । ସେହିଭଳି ଏଚ୍‌ଏସ୍‌ ପ୍ରଣୟ ରାଉଣ୍ଡ ଅଫ୍‌ 16ରେ ନିଜ ଅଭିଯାନ ଶେଷ କରିଥିଲେ । ଲକ୍ଷ୍ୟ ତାଙ୍କର ପ୍ରଥମ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ପଦକ ଜିତିବାର ସୁଯୋଗ ହାତଛଡ଼ା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲ୍‌ ଟିକେଟ ପାଇଁ ଜର୍ମାନୀକୁ କଡ଼ା ଟକ୍କର ଦେବ ଟିମ୍‌ ଇଣ୍ଡିଆ; 1980 ଇତିହାସର ଘଟିବ ପୁନରାବୃତ୍ତି - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details