ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କରିଛନ୍ତି ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ପାରାଲମ୍ପିକ୍ ଆଥଲେଟ୍ ଦେବେନ୍ଦ୍ର ଝାଝରିୟା । କେବଳ ରାଜନୀତିରେ ପ୍ରବେଶ କରିନାହାନ୍ତି, ପ୍ରଥମ ପର୍ଯ୍ୟାୟରେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ମଧ୍ୟ ଦେବେନ୍ଦ୍ରଙ୍କ ନାଁ ରହିଛି । ଅର୍ଥାତ 2024 ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍ରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଦେବେନ୍ଦ୍ର ଝାଝରିୟା । ରାଜସ୍ଥାନର ଚୁରୁ ସଂସଦୀୟ କ୍ଷେତ୍ରରୁ ଝାଝରିୟାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ପାରାଲମ୍ପିକ୍ରେ ଦୁଇ ଦୁଇ ଥରର ବିଜେତା ତଥା ଜାଭେଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝରିୟା ଭାରତୀୟ ପାରାଲମ୍ପିକ୍ କମିଟିର ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ 9 ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।
ଆସନ୍ତା ମାର୍ଚ୍ଚ 9 ତାରିଖରେ ହେବାକୁ ଥିବା ଭାରତୀୟ ପାରାଲମ୍ପିକ୍ କମିଟି (PCI) ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଦେବେନ୍ଦ୍ର ଝାଝରିୟାଙ୍କ ବ୍ୟତୀତ ଅନ୍ୟ କେହି ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି । ତେଣୁ ଏହି ପଦ ପାଇଁ ସେ ଅବାଧରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏପଟେ ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ଶାସକ ଭାରତୀୟ ଜନତା ପାର୍ଟି । ସେ ଭାରତର ପ୍ରଥମ ପାରା ଆଥଲେଟ୍ ଭାବେ ପଦ୍ମଭୂଷଣ ସମ୍ମାନ ମଧ୍ୟ ପାଇଛନ୍ତି । ଗତ 3 ପାରାଲମ୍ପିକ୍ରେ ସେ ଦେଶକୁ ମେଡଲ ଦେଇଛନ୍ତି । ଏପରିକି ରାଜସ୍ଥାନର ପ୍ରଥମ ପାରା ଆଥଲେଟ୍ ଭାବେ ମଧ୍ୟ ସେ ପଦ୍ମଭୂଷଣ ସମ୍ମାନ ପାଇଛନ୍ତି ।