ହାଇଦ୍ରାବାଦ:ଆଇପିଏଲର ସିଜିନ 17ର ଅଷ୍ଟମ ମୁକାବିଲାରେ ଛକା ଚୌକାର ବର୍ଷା । ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଗୋଟିଏ ମ୍ୟାଚରେ ରେକର୍ଡ ପରେ ରେକର୍ଡ ହୋଇଛି । ପରୁଷ ଟି 20ରେ ସର୍ବାଧିକ ସ୍କୋର ସହ ଆଇପିଏଲରେ ସର୍ବାଧିକ ଛକା ମଧ୍ୟ ହୋଇଛି । ହାଇଦ୍ରାବାଦର ଟିମ ବିସ୍ଫୋରକ ବ୍ୟାଟିଂ ବଳରେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ବୋଲରଙ୍କୁ ଧୂଳି ଚଟାଇଲେ ଏସଆରଏଚ ବ୍ୟାଟର । ଘରୋଇ ମାଟିରେ ମୁମ୍ବାଇକୁ 31 ରନରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଖାତା ଖୋଲିଛି ହାଇଦ୍ରାବାଦ । ହେନେରିକ କ୍ଲାସେନ ଅଭିଶେଖ ଶର୍ମା ଓ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଛନ୍ତି । କ୍ରମାଗତ ପରାଜିତ ହୋଇ ଫ୍ୟାନ୍ସଙ୍କୁ ନିରାଶ କରିଛି ଏମଆଇ ।
ପୁରୁଷ ଟି 20ର ଗୋଟିଏ ମ୍ୟାଚରେ ସର୍ବାଧିକ ରନ:ବୁଧବାର ସନ୍ଧ୍ୟା 7ଟା 30ରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ବୋଧ ହୁଏ ଏପରି ମ୍ୟାଚ ଆଇପିଏଲ ଇତିହାସରେ କେହି କେବେ ଏପରି ମ୍ୟାଚ ଦେଖିନଥିଲେ । ସର୍ବାଧିକ ଛକା ସହ ସର୍ବାଧିକ ରନ ଏହି ମ୍ୟାଚରେ ହୋଇଛି । ଯାହା ପୁରୁଷ ଟି 20ରେ ବିଶ୍ବ ରେକର୍ଡ ହୋଇଛି । ପ୍ରଥମେ ହାଇଦ୍ରାବାଦ ବ୍ୟାଟିଂ କରି 3 ଓ୍ବିକେଟ ହରାଇ 277 ରନ କରିଥିଲା । ଯାହା ଆଇପିଏଲରେ ସର୍ବାଧିକ ସ୍କୋର ବୋଲି କୁହାଯାଉଛି । ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 5 ଓ୍ବିକେଟ ହରାଇ 246 ରନ କରିଥିଲା । ଗୋଟିଏ ମ୍ୟାଚରେ ମୋଟ ସ୍କୋର 523 ହୋଇଥିଲା । ଯାହା ବିଶ୍ବରେ ଖେଳାଯାଇଥିବା ପୁରୁଷ ଟି 20 ମ୍ୟାଚରେ ସର୍ବାଧିକ ସ୍କୋର ।
ଗୋଟିଏ ମ୍ୟାଚରେ ସର୍ବାଧିକ ଛକା:ଏହି ମ୍ୟାଚରେ ସର୍ବାଧିକ ଛକା ବର୍ଷା ମଧ୍ୟ ହୋଇଥିଲା । ଗୋଟିଏ ମ୍ୟାଚରେ 38ଟି ଛକା ହୋଇଥିଲା । ପୂର୍ବରୁ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ 2018 ମସିହାରେ ହୋଇଥିବା ସିଜିନରେ 33 ଛକା ହୋଇଥିଲା । 2020ରେ ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ସର୍ବାଧିକ 33ଟି ଛକା ହୋଇଥିଲା । ପୁଣି 2023ରେ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ ହୋଇଥିବା ଏକ ମ୍ୟାଚରେ 33ଟି ଛକା ହୋଇଥିଲା । କିନ୍ତୁ ଚଳିତ ସିଜିନରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ରେକର୍ଡ ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚରେ ହୋଇଛି ।