ହାଇଦ୍ରାବାଦ:ଚଳିତ ଆଇପିଏଲର 18ତମ ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦର ବିଜୟ । ଘରୋଇ ମାଟିରେ 6 ଓ୍ବିକେଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ଏସ ଆରଏଚ । ଚଳିତ ସିଜିନରେ ଚେନ୍ନାଇର ଦ୍ବିତୀୟ ପରାଜୟ ହୋଇଥିବା ବେଳେ ଦ୍ବିତୀୟ ବିଜୟ ହାସଲ କରିଛି ହାଇଦ୍ରାବାଦ । ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଅଭିଶେଖ ଶର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ଆଡେନ ମାକ୍ରରମଙ୍କ ଲଢୁଆ ଅର୍ଦ୍ଧଶତକ ।
ଶୁକ୍ରବାର ସନ୍ଧ୍ୟା 7ଟା 30ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଏସଆରଏଚ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ସିଏସକେ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 165 ରନ କରିଥିଲା । ଦଳ ପକ୍ଷରୁ ଶିବମ ଦୁବେ 45, ରାହାଣେ 32 ଓ ରବିନ୍ଦ୍ର ଜାଡେଜା ଅପରାଜିତ 31 ରନ କରିଥିଲେ । ଏହି ମ୍ୟାଚରେ ଚଳିତ ସିଜିନରେ ଧୋନିଙ୍କୁ ଦ୍ବିତୀୟ ଥର ବ୍ୟାଟିଂ କରିବାର ଦେଖିବାକୁ ସୁଯୋଗ ପାଇଥିଲେ ଦର୍ଶକ । 8 ନମ୍ବର ନୁହଁ ବରଂ 6 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏମଏସ ଧୋନି । ମାତ୍ର 2 ବଲରେ 1 ରନ କରି ଅପରାଜିତ ରହିଥିଲେ । ତାଙ୍କୁ ପଡିଆରେ ଦେଖିବା ମାତ୍ରେ ମାହି ମାହି ନାମରେ କମ୍ପି ଉଠିଥିଲା ଷ୍ଟାଡିୟମ ।