ଅହମ୍ମଦାବାଦ: ଆଜି ଆଇପିଏଲ 2024ର 59ତମ ମ୍ୟାଚ୍ ଗୁଜରାଟର ଅହମ୍ମଦାବାଦରେ ଖେଳାଯିବ । ଘରୋଇ ମୈଦାନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ପ୍ଲେ ଅଫ୍ ରେସରେ ରହିବାକୁ ହେଲେ ଆଜି ଗୁଜରାଟକୁ ମ୍ୟାଚ୍ ଜିତିବା ଜରୁରୀ । ନଚେତ ଦଳ ପ୍ଲେ ଅଫରୁ ବାଦ ପଡିବ । ଅନ୍ୟପଟେ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉଠିବା ସହ ପ୍ଲେ ଅଫ୍ ରେସ୍ରେ ଆଉ ପାଦେ ଆଗକୁ ଯିବା ପାଇଁ ଚେନ୍ନାଇ ସୁପୁର କିଙ୍ଗ୍ସ ମଧ୍ୟ ନିଜକୁ ପ୍ରସ୍ତୁତ କରିଛି ।
କର ବା ମର ସ୍ଥିତିରେ ଗୁଜରାଟ: ସନ୍ଧ୍ୟା 7ଟା 30ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ 11ଟି ମ୍ୟାଚ୍ ଖେଳି ମାତ୍ର 4ଟିରେ ବିଜୟୀ ହୋଇଛି । ମାତ୍ର 8 ପଏଣ୍ଟ ସହ ଗୁଜରାଟ ବର୍ତ୍ତମାନ ପଏଣ୍ଟ ଟେବୁଲର ଶେଷରେ ରହିଛି । ଦଳର ସମ୍ମାନ ବଞ୍ଚାଇବାକୁ ହେଲେ ଆଜି ଗିଲ୍ ବାହିନୀକୁ ଭଲ ପ୍ରଦର୍ଶନ କରିବା ଜରୁରୀ । ଚଳିତ ସିଜିନରେ ଚେନ୍ନାଇ ବିପକ୍ଷରେ ଗୁଜରାଟର ଏହା ଦ୍ବିତୀୟ ମ୍ୟାଚ୍ । ପୂର୍ବରୁ ମାର୍ଚ୍ଚ 26 ତାରିଖରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ମୁକାବିଲା ହୋଇଥିଲା । ଚେନ୍ନାଇ ଏହି ମ୍ୟାଚ୍ରେ 63 ରନରେ ବିଜୟୀ ହୋଇଥିଲା । ତେଣୁ ପୂର୍ବ ମ୍ୟାଚ୍ର ପ୍ରତିଶୋଧ ନେବାକୁ ଗୁଜରାଟ ସେନା ପ୍ରସ୍ତୁତ ହୋଇଛନ୍ତି । ପୂର୍ବ ଭୁଲକୁ ସୁଧାରି ଦଳ ବିଜୟୀ ହେବା ସହିତ ପ୍ଲେ ଅଫ୍ ରେସ୍ରେ ଜୀବିତ ରହିବ ବୋଲି ଆଶା ରଖିଛି ।