କୋଲକାତା:ଇଣ୍ଡିଆ-ଇଂଲଣ୍ଡ T-20 ସିରିଜର ପ୍ରଥମ ମ୍ୟାଚରେ ଗୁରୁଙ୍କ ରେକର୍ଡ ଭାଙ୍ଗିଛନ୍ତି ଶିଷ୍ୟ । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଭିଷକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା କରିବା ସହ ନିଜ ଗୁରୁ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଅଭିଷେକ ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ:
କୋଲକାତା ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ- ଇଂଲଣ୍ଡ T-20 ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ରୋମାଞ୍ଚକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବାମ ହାତୀ ବ୍ୟାଟର ଅଭିଷେକ କେବଳ ୩୪ ବଲ ଖେଳି ୮ ଟି ଛକା ସହ ୭୯ ରନ ହାସଲ କରିଥିଲେ । ଅଭିଷେକ ଏହି ପାରିରେ ୮ଟି ଛକା ମାରି ଟି-୨୦ ମ୍ୟାଚରେ ଇଂଲଣ୍ଡ ବିପକ୍ଷ ଇନିଂସରେ ସର୍ବାଧିକ ଛକା ମାରିଥିବା ଭାରତୀୟ ଖେଳାଳି ହେବାର ସୌଭାଗ୍ୟ ହାସଲ କରିଛନ୍ତି । ଏଥିସହ ଯୁବରାଜ ସିଂହଙ୍କ ନାମରେ ଥିବା ଏହି ରେକର୍ଡକୁ ଭାଙ୍ଗିଥିଲେ । ଯୁବରାଜ ସିଂହ ୨୦୦୭ ମସିହାରେ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ସହ ସେହି ଇନିଂସରେ ୭ଟି ଛକା ମାରିଥିଲେ ।
୨୦ ବଲରେ ଅର୍ଦ୍ଧଶତକ :
ଏହାଛଡା, ଅଭିଷେକ ଶର୍ମା କେବଳ ୨୦ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ସେ ଇଂଲଣ୍ଡ ବିପକ୍ଷରୁ କମ ବଲ ଖେଳି ଅର୍ଦ୍ଧଶତକ ହାସଲ କରିବାରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂ ଟି-୨୦ ବିଶ୍ୱକପ ମ୍ୟାଚରେ ମାତ୍ର ୧୨ ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଯୁବରାଜ ଗୋଟିଏ ଓଭରରେ ୬ଟି ବଲରେ ୬ଟି ଛକା ମାରି ବିରଳ ରେକର୍ଡ କରିଥିଲେ ।
ଅଭିଷେକଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର:
୨୪ ବର୍ଷୀୟ ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ୧୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ୧୮୩.୦୬ ଷ୍ଟ୍ରାଇକ ରେଟ୍ ସହ ୩୩୫ ରନ ସେ ସଂଗ୍ରହ କରିଛନ୍ତି । ଏହି ଇନିଂସ ପରେ ଅନ୍ୟ ମ୍ୟାଚଗୁଡିକରେ ତାଙ୍କ ସ୍ଥାନ ପକ୍କା ହେବାର ସମ୍ଭାବନା ବେଶ ଅଧିକ ରହିଛି ।