କଟକ: ନିରାଶ କଲା ଅନଲାଇନ ଟିକେଟ । ଆସନ୍ତା ୯ ତାରିଖ (ରବିବାର) ଦିନ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ ପାଇଁ ଆଜି (ରବିବାର) ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ଅପରାହ୍ନ ୪ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅନେକ ଦର୍ଶକ ଟିକେଟ ବୁକ କରିନପାରି ନିରାଶ ହୋଇଛନ୍ତି ।
ଗୋଟିଏ ଘଣ୍ଟାରେ ଶେଷ ହୋଇଗଲା ଟିକେଟ:
ଓସିଏ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଅପରାହ୍ନ ଠିକ ୪ଟା ବେଳେ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ପ୍ରଥମ ଅଧଘଣ୍ଟା ମଧ୍ୟରେ ୨ ଓ ୪ ନମ୍ବର ଗ୍ୟାଲେରୀ ଟିକେଟ ଶେଷ ହୋଇ ଯାଇଥିଲା । ଏହାପରେ ସ୍ପେଶାଲ ଏନ୍କ୍ଲୋଜର, ଏସି ଗ୍ୟାଲେରି ବକ୍ସ ଓ ନ୍ୟୁ ପାଭିଲିୟନ ଭଳି ଦାମୀ ଟିକେଟ ମଧ୍ୟ ଶେଷ ହୋଇଯାଇଥିଲା ।
ଅନଲାଇନ ଟିକେଟକୁ ନେଇ ନିରାଶ ଦର୍ଶକ:
ଟିକେଟ ବୁକିଂ କରିବାରେ ଅନେକ ଦର୍ଶକ ସଫଳ ହୋଇଥିବା ବେଳେ ଅଧିକାଂଶ ଦର୍ଶକଙ୍କୁ ନିରାଶ ହେବାକୁ ପଡିଛି । ଟିକେଟ ବୁକିଂ ପାଇଁ ଲଗ ଇନ କଲେ କିମ୍ବା ଧାଡିରେ ବି ରହିଲେ ନିଜ ପାଳି ଆସୁ ଆସୁ ଟିକେଟ ଶେଷ ହୋଇଯାଇଥିଲା । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି । ଟିକେଟ ବୁକିଂ ପାଇଁ ଧାର୍ଯ୍ୟ ହୋଇ ଥିବା district.inର ୱେବସାଇଟ ଏବଂ District Appରେ କ୍ୱିଉ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ଦର୍ଶକ । ତେବେ ଆସନ୍ତା ୫ ତାରିଖରେ କାଉଣ୍ଟରରେ ଟିକେଟ କିଣିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ଦର୍ଶକ ।
କଣ କହୁଛନ୍ତି ଦର୍ଶକ:
ଏନେଇ ଅନଲାଇନରେ ଟିକେଟ କରିବାରୁ ଚେଷ୍ଟା କରିଥିବା ଦର୍ଶକ କହିଛନ୍ତି," ଅନଲାଇନରେ ଟିକେଟ କରିବାକୁ ୪ଟାରୁ ୫.୩୦ ଯାଏ ଅପେକ୍ଷା କରିଥିଲୁ, ହେଲେ ଯେତେଥର ଚେଷ୍ଟା କଲେ ବି ଟିକେଟ ବୁକିଂ ହୋଇପାରିନଥିଲା । ଦୁଃଖ ଲାଗୁଛି ପାଖରେ ଷ୍ଟାଡିୟମ ଥାଇ ମଧ୍ୟ ଆମେ ଦେଖି ପାରିବୁ ନାହିଁ ଟିଭିରେ ଘରେ ବସି ମ୍ୟାଚ ଦେଖିବୁ ।"
ସେହିଭଳି ଆଉ ଜଣେ ଦର୍ଶକ ସତ୍ୟପ୍ରକାଶ ସାହୁ କହିଛନ୍ତି," ଅନଲାଇନ ଟିକେଟ ପାଇଁ ଯେତେ ଚେଷ୍ଟା କଲେ ବି ହୋଇପାରିନଥିଲା । ଅଫଲାଇନ ଟିକେଟ ପାଇଁ ଚେଷ୍ଟା କରିବୁ । ସବୁ ବର୍ଷ ଅଫଲାଇନ ଟିକେଟ ପାଇଁ ଲମ୍ବା ଲାଇନ ଲାଗେ । ଏବର୍ଷ ବି ଲାଗିପାରେ ।"