ମୁମ୍ବାଇ:ଭାରତ- ଇଂଲଣ୍ଡ ପଞ୍ଚମ T20 ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ଦୁର୍ଦ୍ଦଶ ବ୍ୟାଟିଂ । ମୁମ୍ବାଇ ସ୍ଥିତ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଇତିହାସ ରଚିଛନ୍ତି ଅଭିଷେକ ଶର୍ମା ।
ଅଭିଷେକଙ୍କ ଆକ୍ରାମକ ବ୍ୟାଟିଂ:
ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଭିଷେକଙ୍କ ଆକ୍ରାମକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ମୈଦାନକୁ ଛାଡିଥିଲା ଇଂଲଣ୍ଡ । ଓପନର ଭାବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ କରିଥିଲେ ।
ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ଖେଳାଳି:
ଆରମ୍ଭରୁ ହିଁ ଆକ୍ରାମକ ଭାବେ ଖେଳି ୧୭ ବଲରେ ୩ଟି ଚଉକା ଓ ୫ଟି ଛକା ସହ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ ଶର୍ମା । ଏଥିସହ ସବୁଠୁ କମ୍ ବଲରେ ଅର୍ଦ୍ଧଶତକ ହାସଲ କରିବାର ଦ୍ୱିତୀୟ ଭାରତୀୟ ଖେଳାଳି ବନିଥିଲେ । ତେବେ ଯୁବରାଜ ସିଂହ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ସଞ୍ଜୁ ସାମସନଙ୍କ ଏହି ରେକର୍ଡ ଭାଙ୍ଗିଲେ ଅଭିଷେକ:
ସେହିଭଳି ମାତ୍ର ୩୭ ବଲରେ ୫ଟି ଚଉକା ଓ ୧୦ଟି ଛକା ସହ ଶତକ ହାସଲ କରି ଅଭିଷେକ ଶର୍ମା ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ଦ୍ୱିତୀୟ ଦ୍ରୁତ ଶତକ ହାସଲକାରୀ ଭାରତୀୟ ବ୍ୟାଟମ୍ୟାନ ହୋଇଛନ୍ତି ଅଭିଷେକ । ସେ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ପୂର୍ବରୁ ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ମାତ୍ର ୩୫ ବଲ ଖେଳି ଶତକ ହାସଲ କରି ଦ୍ରୁତ ଶତକ ହାସଲକାରୀ ଭାରତୀୟ ଖେଳାଳି ଭାବେ ରେକର୍ଡ କରିଥିଲେ । ଏହାପରେ ସଞ୍ଜୁ ସାମସନ ୪୦ ବଲରେ ଶତକ ହାସଲ କରି ଦ୍ୱିତୀୟ ଦ୍ରୁତ ଶତକ ହାସଲକାରୀ ଭାରତୀୟ ଖେଳାଳି ହୋଇଥିଲେ । ହେଲେ ତାଙ୍କର ଏହି ରେକର୍ଡକୁ ଆଜି ଭାଙ୍ଗିଛନ୍ତି ଅଭିଷେକ ଶର୍ମା ।