କଟକ:ସୁପର ସଣ୍ଡେରେ ରୋହିତ ଶର୍ମାଙ୍କ ସୁପର ସୋ । ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ସହ ବାରବାଟୀରେ ଭାରତର ଦମଦାର ବିଜୟ । କଟକର ବାରବାଟୀ ଷ୍ଟାଡିମୟରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ସୁପର ଫାଇଟ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ୬ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ । ତେବେ ବାରବାଟୀରେ କ୍ୟାପଟେନ ହିଟ ମ୍ୟାନଙ୍କ ଛକା ଚଉକା ବର୍ଷା ଦେଖିବାକୁ ମିଳିଥିଲା ।
ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ:
ଆରମ୍ଭରୁ ହିଁ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ । ୧୩ ଓଭର ୪ ବଲରେ ପାର୍ଟନରସିପରେ ୧୦୦ ରନ କରିଥିଲେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିବା ବେଳେ ରୋହିତ ଶତକ ହାସଲ କରିଥିଲେ ।
ରୋହିତଙ୍କ ଶତକ ଓ ଗିଲଙ୍କ ଅର୍ଦ୍ଧଶତକ:
ଭାରତୀୟ ଟିମର ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମାଙ୍କ ଶତକ ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଇଣ୍ଡିଆକୁ ବିଜୟ ରାସ୍ତାକୁ ବାଟ କଢାଇ ନେଇଥିଲା । ଆରମ୍ଭରୁ ହିଁ ଆକ୍ରାମକ ଢଙ୍ଗରେ ଖେଳିଥିଲେ ଉଭୟ ଖେଳାଳି । ୫୨ ବଲରେ ୬ ଚଉକା ଓ ଗୋଟିଏ ଛକା ସହ ୬୦ ରନ କରି ଜାମି ଓଭରଟନଙ୍କ ବଲରେ ଆଉଟ ହୋଇଯାଇଥିଲେ ଶୁଭମନ ଗିଲ୍ । ଶୁଭମନ ଗିଲ ଓ ରୋହିତ ପାର୍ଟନର ଭାବେ ୧୦୦ ବଲରେ ୧୩୩ ରନ ଖାତାରେ ଯୋଡିଥିଲେ ।
କ୍ୟାପଟେନ ରୋହିତଙ୍କ ହିଟ୍ ମୁଡ:
ବାରବାଟୀରେ ଆଜି କ୍ୟାପଟେନ ରୋହିତଙ୍କ ରୋ-ହିଟ୍ ମୁଡ ଦେଖିବାକୁ ମିଳିଥିଲା । ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ ରୋହିତ । ୯୦ ବଲରେ ସେ ୧୨ଟି ଚଉକା ଓ ୭ଟି ଛକା ସହ ୧୧୯ ରନ ସଂଗ୍ରହ କରିଛନ୍ତିି । ଲିଭିଙ୍ଗଷ୍ଟୋନଙ୍କ ବଲରେ ଆଦିଲ ରସିଦଙ୍କ ହାତରେ କ୍ୟାଚ ଆଉଟ ହୋଇଯାଇଥିଲେ ରୋହିତ । ତେବେ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଦର୍ଶକମାନ ଭରପୁର ଉପଭୋଗ କରିଥିଲେ ।
ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ:
ବିସ୍ଫୋରକ ବ୍ୟାଟିଂ ବଳରେ ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବିରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୨୧ଟି ମ୍ୟାଚରେ ୪୧.୯୦ ହାରରେ ୧୫ ହଜାର ୭୫୮ ରନ କରିଛନ୍ତି । ସେହିପରି ତେନ୍ଦୁଲକର ୩୪୬ଟି ମ୍ୟାଚରେ ୪୮.୦୬ ହାରରେ ୧୫ହଜାର ୩୩୫ ରନ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ରୋହିତ ଶର୍ମାଙ୍କୁ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ମାତ୍ର ୫୦ ରନର ଆବଶ୍ୟକତା ଥିବା ବେଳେ ଏହି ରନ ଆଜି ପୂରଣ ହୋଇଯାଇଛି । ଆଜିର ମ୍ୟାଚରେ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି ରୋହିତ ଶର୍ମା ।