ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଓ ଭାରତ 4ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜର ଦ୍ବିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ । ବୃଥାଗଲା ବରୁଣ ଚକ୍ରବର୍ତ୍ତୀଙ୍କ 5 ଓ୍ବିକେଟ । 3 ଓ୍ବିକେଟରେ ସୂର୍ଯ୍ୟବାହିନୀକୁ ପରାସ୍ତ କଲା ଘରୋଇ ଦଳ । ଫଳରେ ଦକ୍ଷୀଣ ଆଫ୍ରିକା 1-1ରେ ସିରିଜ ବରାବର କରିଛି । ଦଳ ପାଇଁ ସଙ୍କଟମୋଚକ ସାଜିଲେ ଟ୍ରିଷ୍ଟନ ଷ୍ଟବ ଓ ଗେରାଲ୍ଡ । ଭାରତର ସପକ୍ଷରେ ଯାଉଥିବା ମ୍ୟାଚକୁ ଛଡାଇ ନେଲେ ଏହି ଦୁଇ ବ୍ୟାଟର ।
ନିରାଶ କଲେ ଭାରତୀୟ ବ୍ୟାଟର:
ଟି 20 ସିରିଜର ଦ୍ବିତୀୟ ମ୍ୟାଚ ଗତକାଲି (ରବିବାର) ସେଣ୍ଟ ଜର୍ଜଙ୍କ ଓଭାଲରେ ଭାରତୀୟ ସମୟ 8ଟା 30ରେ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଦଳର ସମସ୍ତ ବ୍ୟାଟର ଦର୍ଶକଙ୍କୁ ନିରାଶ କରିଥିଲେ । ବିପକ୍ଷ ଦଳର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲେ ଭାରତୀୟ ବ୍ୟାଟର । 4 ଜଣ 10 ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଥିବା ବେଳେ ଜଣେ 0ରେ ଆଉଟ ହୋଇଥିଲେ । ଟପ୍ ଅର୍ଡର ରନ କରିବାରେ ପୁରା ବିଫଳ ହୋଇଥିଲା । ଦଳୀୟ ସ୍କୋର 15 ହୋଇଥିବା ବେଳେ 3ଟି ଓ୍ବିକେଟ ପଡିଥିଲା । 70 ରନ ବେଳକୁ 5ଟି ଓ୍ବିକେଟ ହରାଇଥିଲା ଭାରତ । ପ୍ରଥମ ମ୍ୟାଚରେ ଶତକ କରିଥିବା ସଞ୍ଜୁ ଦ୍ବିତୀୟ ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଅଭିଷେଖ 4, ସୂର୍ଯ୍ୟ 4, ତିଳକ ବର୍ମା 20 ଅକ୍ସର ପଟେଲ 27 ରନ କରିଥିଲେ । ମିଡିଲ ଅର୍ଡରରେ ହାର୍ଦ୍ଦିକ ବ୍ୟାଟିଂ କରିବାକୁ ଆସି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ, କିନ୍ତୁ ତାଙ୍କୁ ସାଥ ଦେଉଥିବା ଖେଳାଳି ଅଧିକ ସମୟ ପଡିଆରେ ତିଷ୍ଟି ପାରୁନଥିଲେ । ହାର୍ଦ୍ଦିକ ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 39 ରନ କରିଥିଲେ । 20 ଓଭରରେ ଦଳ 6ଟି ଓ୍ବିକେଟ ହରାଇ 124 ରନ କରିଥିଲା ।