ହାଇଦ୍ରାବାଦ:ଆଜି ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ୫ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦିନରେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ୬୪.୩ ଓଭର ସୁଦ୍ଧା ୨୪୬ ରନ୍ କରି ଅଲଆଉଟ ହୋଇଥିଲା । ଏହାପରେ ଭାରତ ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ଗୋଟିଏ ୱିକେଟ ହରାଇ ୧୧୯ ରନ୍ କରିଛି । ଓପନର ରୋହିତ ଶର୍ମା ୨୪ ରନ କରି ପାଭିଲିୟନ ଫେରିଥିବା ବେଳେ କ୍ରିଜରେ ଅଛନ୍ତି ଯଶସ୍ବୀ ଜୈଶୱାଲ(୭୬) ଓ ଶୁଭମନ ଗିଲ (୧୪) ।
ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ମୈଦାନକୁ ଓହ୍ଲାଇଥିଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ଜ୍ୟାକ କ୍ରଲି ଏବଂ ବେନ୍ ଡକେଟ୍ ଇନିଂସ ଆରମ୍ଭ କରିଥିଲେ । ଦଳ 15 ଓଭରରେ 58 ରନ୍ କରିଥିବା ବେଳେ ୨ ୱିକେଟ୍ ହରାଇଥିଲା । ୩୫ ରନ ସ୍କୋର କରିବା ପରେ ବେନ ଡକେଟ୍ ଭାରତୀୟ ସ୍ପିନର ଅଶ୍ବିନଙ୍କ ଶିକାର ହୋଇଥିଲେ ଏବଂ ଓଲି ପୋପ୍ 1 ରନ୍ ସ୍କୋର କରିବା ପରେ ଜାଡେଜାଙ୍କ ଶିକାର ହୋଇଥିଲେ । ପ୍ରଥମ ଦିନର ପ୍ରଥମ ଅଧିବେଶନ ଶେଷ ହେବା ପୂର୍ବରୁ ଇଂଲଣ୍ଡ ୨୮ ଓଭରରେ ୩ ୱିକେଟ୍ ହରାଇବା ପରେ ୧୦୮ ରନ୍ ସଂଗ୍ରହ କରିଥିଲା ।
ଇଂଲଣ୍ଡର ଦ୍ବିତୀୟ ସେସନର ଆରମ୍ଭ କରିଥିଲେ ଜୋ ରୁଟ୍ ଓ ଜନି ବେୟାରଷ୍ଟୋ । ଏହାପରେ ବେୟାରଷ୍ଟୋ ୩୭ ରନ୍ କରି ଭାରତୀୟ ବୋଲର ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ । ଏହାପରେ ରୁଟ୍ ୨୯ ରନ୍ କରି କ୍ୟାଚଆଉଟ୍ ହୋଇଥିଲେ । ୬୪.୩ ଓଭର ସୁଦ୍ଧା ଭାରତ ୨୪୬ ରନ୍ କରି ଅଲଆଉଟ୍ ହୋଇଥିଲା । ଅଧିନାୟକ ବେନ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ କରିଥିବା ବେଳେ ୬ଟି ଚୌକା, ୩ଟି ଛକା ମାରିଥିଲେ । ସେପଟେ ଭାରତୀୟ ବୋଲର ଜାଡେଜାଙ୍କୁ ୩ଟି ଏବଂ ଅଶ୍ବିନୀ ଓ ବୁମରାହଙ୍କୁ ୨-୨ ଲେଖାଏଁ ୱିକେଟ ମିଳିଥିଲା ।