ହାଇଦ୍ରବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଶତକ ହାସଲ କରିବାରୁ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ ବଞ୍ଚିତ ହୋଇଥିଲେ ବି ରବୀନ୍ଦ୍ର ଜାଡେଜାଙ୍କ ଦମଦାର ଇନିଂସ୍ ବଳରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏହାର ପ୍ରଥମ ପାଳିରେ ୭ ୱିକେଟ୍ ହରାଇ ୪୨୧ ରନ କରିଛି । ଏହା ସହିତ ଇଂଲଣ୍ଡ ଠାରୁ ୧୭୫ ରନ ଲିଡ୍ରେ ରହିଛି ଟିମ୍ ଇଣ୍ଡିଆ ।
ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତୀୟ ସ୍ପିନରଙ୍କ ଆଗରେ କାମ କରିନଥିଲା ଇଂଲଣ୍ଡର ବାଜ୍ବଲ ରଣନୀତି । ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଅକ୍ଷର ପଟେଲ ୨ଟି ୱିକେଟ୍ ହାସଲ କରିଥିଲେ । ସେପଟେ ଯଶପ୍ରୀତ ବୁମ୍ରାଙ୍କ ୨ ୱିକେଟ୍ ଦଖଲ ପରେ ଇଂଲଣ୍ଡ ପାଳି ୨୪୬ ରନରେ ପ୍ରଥମ ଦିନରେ ହିଁ ସମାପ୍ତ ହୋଇଥିଲା । ଦଳ ପକ୍ଷରୁ କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ (୭୦)ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇନଥିଲେ ।
ଏହାପରେ ଇଂଲଣ୍ଡର ବାଜ୍ବଲ୍ ରଣନୀତିକୁ କିନ୍ତୁ ଭାରତ ସଫଳ କରୁଥିବା ଦେଖିବାକୁ ମିଳିଥିଲା । ଆରମ୍ଭରୁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ବିପକ୍ଷ ଦଳର ଅଭିଜ୍ଞ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ । ଅଧିନାୟକ ରୋହିତ ଶର୍ମା କେବଳ ୨୪ ରନ କରି ଆଉଟ୍ ହୋଇଯାଇଥିଲେ ମଧ୍ୟ ଗିଲ୍ଙ୍କ ସହ ମିଶି ବ୍ୟକ୍ତିଗତ ୭୬ ଓ ଦଳୀୟ ସ୍କୋର ୧୧୯ ରନରେ ପ୍ରଥମ ଦିନ ସାରିଥିଲେ ଜୟସ୍ବାଲ୍ ।