କାନପୁର (ଉତ୍ତର ପ୍ରଦେଶ) : ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ଦ୍ବାରରେ ଭାରତ । 5ମ ଦିନ ଖେଳ ଆରମ୍ଭରୁ ବଂଲାଦେଶ ବ୍ୟାଟରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । 4ର୍ଥ ଦିନ ଖେଳ ପରେ ଭାରତଠାରୁ 26 ରନ ପଛରେ ରହି 5ମ ଦିନ ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ବାଂଲା ବ୍ୟାଟରମାନେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ଶେଷରେ କେବଳ 146 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ଏବେ ଆଜି ମ୍ୟାଚ୍ର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ କେବଳ 95 ରନ ଆବଶ୍ୟକ ରହିଛି ।
ଦୁଇଦିନ ହୋଇପାରିନଥିଲା ଖେଳ :-
ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ କେବଳ 35 ଓଭର ବ୍ୟାଟିଂ ସମ୍ଭବ ହୋଇଥିଲା । କାନପୁରରେ ଲଗାତାର ବର୍ଷା କାରଣରୁ ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳ ଶେଷ ହୋଇଥିଲା । ମ୍ୟାଚ୍ରେ ଟସ୍ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା । ଏହାପରେ କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଅସମ୍ଭବ ହୋଇଥିଲା ।
4ର୍ଥ ଦିନ ଟେଷ୍ଟରେ ଟି20 ମାଡ଼ :-
4ର୍ଥ ଦିନରେ ଲଞ୍ଚ ବ୍ରେକ୍ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ । ମୋମିନୁଲ ହକ୍ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛଥିଲେ । ଗୋଟିଏ ୱିକେଟ ହାସଲ କରି ଟେଷ୍ଟ କ୍ରିକେଟରେ 300 ୱିକେଟ ପୂରଣ କରିଥିଲେ ଜାଡେଜା ।
ଏହାପରେ ଭାରତ ବ୍ୟାଟିଂ କରିବାକୁ ଆସିଥିଲା । ହାତରେ ସମୟ ଅଳ୍ପ ଥିବାରୁ ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଧୂଆଁଧାର ଆରମ୍ଭ କରିଥିଲେ । କେବଳ 3 ଓଭରରେ 50 ରନ ପୂରଣ କରିଥିଲା ଭାରତ, ଯାହାକି ଟେଷ୍ଟ କ୍ରିକେଟରେ ଦ୍ରୁତତମ ଥିଲା । ଏହାପରେ ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ସତ, ହେଲେ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ଟେଷ୍ଟ କ୍ରିକେଟରେ ଦ୍ରୁତତମ 100, 150, 200 ଓ 250 ରନ କରିବାର ରେକର୍ଡ ମଧ୍ୟ କରିଥିଲା ଭାରତ । ଏହାପରେ 285 ରନରେ 9 ୱିକେଟ ହରାଇବା ପରେ ରୋହିତ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ।