ଓଡିଶା

odisha

By ETV Bharat Sports Team

Published : 5 hours ago

ETV Bharat / sports

ଦ୍ବିତୀୟ ଟେଷ୍ଟରୁ ବାଦ ପଡ଼ିବେ ବୁମ୍‌ରା-ରାହୁଲ ! ଏମିତି ହୋଇପାରେ ଭାରତର ଚୂଡ଼ାନ୍ତ ଏକାଦଶ - IND vs BAN Test

IND vs BAN Test : ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବଦଳିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ । ବୁମ୍‌ରାଙ୍କୁ ବିଶ୍ରାମ ଓ ରାହୁଲଙ୍କୁ ବାଦ ଦେଇପାରନ୍ତି ରୋହିତ । ଅଧିକ ପଢ଼ନ୍ତୁ

Indian Cricket Team
Indian Cricket Team (IANS Photo)

ହାଇଦ୍ରାବାଦ : ବାଂଲାଦେଶ ବିପକ୍ଷରେ ଆରମ୍ଭ ହୋଇଥିବା 2 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଜିତି 1-0ରେ ଲିଡ୍‌ ହାସଲ କରିଛି ଭାରତୀୟ ଦଳ । ପ୍ରଥମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ, ଋଷଭ ପନ୍ତ ଓ ଶୁଭମନ ଗିଲଙ୍କ ଦମଦାର ଶତକ ପରେ ଅଶ୍ବିନଙ୍କ 6 ୱିକେଟ ସଫଳତା ସହ ଭାରତ ଭ୍ରମଣକାରୀ ଦଳକୁ 280 ରନର ବଡ଼ ବ୍ୟବଧାନରେ ହରାଇଥିଲା । ଏବେ କାନପୁରରେ ସେପ୍ଟେମ୍ବର 27ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ରୋହିତ ଆଣ୍ଡ କୋ' ।

ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ ପରିବର୍ତ୍ତନ :-

ସାଧାରଣତଃ କୌଣସି ଦଳ ବିଜୟୀ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥାନ୍ତି । ହେଲେ ସ୍ଥାନୀୟ ପରିସ୍ଥିତି ଓ ପିଚ୍‌ର ପ୍ରକାର ଏକ ପ୍ରଭାବ ପକାଇଥାଏ, ଯାହା ବିଜୟୀ ଦଳରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଥାଏ । ଯାହା ଆମକୁ ଭାରତ ବନାମ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିପାରେ । କାରଣ ପ୍ରଥମ ଟେଷ୍ଟ ଖେଳାଯାଇଥିବା ଚେନ୍ନାଇ ପିଚ୍‌ ଲାଲ୍‌ ମାଟିର ପିଚ୍‌ ଥିଲା, ଯାହା ପେସରଙ୍କୁ ସୁହାଏ । ତେଣୁ ଯସପ୍ରୀତ ବୁମ୍‌ରା, ଆକାଶ ଦୀପ ଓ ମହମ୍ମଦ ସିରାଜଙ୍କ ଭଳି 3 ଜଣ ଦକ୍ଷ ପେସରଙ୍କୁ ମୈଦାନକୁ ଓହ୍ଲାଇଥିଲେ ରୋହିତ । ହେଲେ କାନପୁରର ପିଚ୍‌ କଳା ମାଟି । ଏଥିରେ ବଲ ଭଲ ଭାବେ ବାଉନ୍ସ ହେବ ନାହିଁ । ତେଣୁ ଏଥିରେ ଦୁଇଜଣ ପେସରଙ୍କୁ ଖେଳାଇ ଜଣେ ଅଧିକ ସ୍ପିନରଙ୍କୁ ଦଳରେ ସୁଯୋଗ ଦେବାକୁ ଚିନ୍ତା କରିପାରେ ଟିମ୍‌ ମ୍ୟାନେଜମେଣ୍ଟ ।

ବୁମ୍‌ରାଙ୍କୁ ମିଳିବ ବିଶ୍ରାମ ! :-

ଭାରତୀୟ ଦଳରେ ସମ୍ଭବତଃ ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ଆକାଶ ଦୀପଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ କୁଲଦୀପ ଯାଦବ କିମ୍ବା ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ବୁମରାଙ୍କୁ ବିଶ୍ରାମ ଦେବା ଭୁଲ ହୋଇନପାରେ, କାରଣ ଭାରତୀୟ ଦଳ ପରିଚାଳନା ତାଙ୍କୁ ଯତ୍ନ ସହକାରେ ପରିଚାଳନା କରୁଛି । ଏହି ସିରିଜରେ ସ୍ଥାନ ପାଇବାକୁ ଅଧିକାଂଶ ଖେଳାଳିଙ୍କୁ ଦୁଲୀପ ଟ୍ରଫି ଖେଳିବାକୁ ପଡ଼ିଥିଲା, ହେଲେ ବୁମ୍‌ରାଙ୍କୁ ଏହି ସିରିଜ ଖେଳିବାକୁ କୁହାଯାଇନଥିଲା । ଆଗକୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ଗୁରୁତ୍ବପୂର୍ଣ୍ଣ ସିରିଜକୁ ଲକ୍ଷ୍ୟରେ ରଖି ବୁମ୍‌ରାଙ୍କୁ ଦ୍ବିତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ ।

ସର୍ଫରାଜ ଖାନଙ୍କୁ ମିଳିପାରେ ସୁଯୋଗ :-

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲେ । ହେଲେ ଟେଷ୍ଟରେ ବିରାଟ କୋହଲିଙ୍କ ଅଭିଜ୍ଞତା ରୋହିତଙ୍କୁ ଖୁବ ସହାୟକ ହେବ । ସେ ଦଳରେ ରହିବା ପ୍ରତିପକ୍ଷ ଦଳକୁ ଚାପରେ ପକାଇବ । ତେଣୁ କୋହଲିଙ୍କୁ ବାଦ ଦେବା ସମ୍ଭବ ହୋଇନପାରେ । ଅନ୍ୟପଟେ ଗିଲ୍‌ ଓ ପନ୍ତ ଉଭୟ ପ୍ରଥମ ଟେଷ୍ଟରେ ଶତକ ହାସଲ କରି ନିଜର ସ୍ଥାନ ପକ୍କା କରିଛନ୍ତି । ସେମାନେ ମଧ୍ୟ ନିଜ ସ୍ଥାନରେ ଖେଳିବେ । ତେବେ ଲୟରେ ନଥିବା କେଏଲ୍‌ ରାହୁଲଙ୍କୁ ଦ୍ବିତୀୟ ଟେଷ୍ଟରେ ସୁଯୋଗ ମିଳିନପାରେ । ତାଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ସୁଯୋଗ ଦେଇପାରେ ଦଳ ପରିଚାଳନା ।

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ :-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ/ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ/ଅକ୍ଷର ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details