ଓଡିଶା

odisha

ETV Bharat / sports

ଟେଷ୍ଟରେ ଭାରତର ଭୟଙ୍କର ରୂପ; ବାଂଲାଦେଶ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ, ବିଜୟ-ମନସ୍କ ଟିମ୍‌ ଇଣ୍ଡିଆ - IND vs BAN Test - IND VS BAN TEST

IND vs BAN 2nd Test Day 4 : 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଆରମ୍ଭ କରିଛି 2ୟ ପାଳି ବ୍ୟାଟିଂ । ଭାରତର ଟି20 ଷ୍ଟାଇଲ ବ୍ୟାଟିଂରେ ଭାଙ୍ଗିଛି ଅନେକ ରେକର୍ଡ । ଦେଖନ୍ତୁ 4ର୍ଥ ଦିନର ସମ୍ପୂର୍ଣ୍ଣ ମ୍ୟାଚ୍‌ ରିପୋର୍ଟ,

IND vs BAN 2nd Test
IND vs BAN 2nd Test (AP Photo)

By ETV Bharat Sports Team

Published : Sep 30, 2024, 5:42 PM IST

କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । ବର୍ଷା ପ୍ରଭାବିତ ମ୍ୟାଚ୍‌ର 4ର୍ଥ ଦିନ ବେଶ ରୋମାଞ୍ଚକର ଥିଲା । ପ୍ରଥମ ଦିନ କେବଳ 35 ଓଭର ଖେଳ ସମ୍ଭବ ହୋଇପାରିଥିବାବେଳେ 3 ୱିକେଟ ହରାଇ 107 ରନ କରିଥିଲା ବାଂଲାଦେଶ । ବର୍ଷା ପ୍ରଭାବରେ ଏହି ମ୍ୟାଚ୍‌ର ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଆରମ୍ଭ ହିଁ ହୋଇପାରିନଥିଲା । 4ର୍ଥ ଦିନ ଖେଳରେ ପ୍ରଥମେ ବାଂଲାଦେଶ 233 ରନରେ ଅଲ୍‌ ଆଉଟ୍‌ ହେବା ପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ଆସିଥିଲା । ଟି20 ଷ୍ଟାଇଲରେ ବିସ୍ଫୋରକ ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଥିଲା ଭାରତ ।

ଶେଷରେ 34.4 ଓଭର ଖେଳି ଭାରତ ପ୍ରଥମ ପାଳି 285/9 ରେ ଘୋଷଣା କରିଦେଇଥିଲା । ଏହାପରେ ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଆସି ବାଂଲାଦେଶ 11 ଓଭରରେ 2 ୱିକେଟ ହରାଇ 26 ରନ କରିଛି । ଏବେ ବି ଭାରତଠାରୁ 26 ରନ ପଛରେ ଅଛି ବାଂଲାଦେଶ । ମ୍ୟାଚ୍‌ର ଆଉ କେବଳ ଗୋଟିଏ ଦିନ ବାକି ଥିବାବେଳେ ବିଜୟ-ମନସ୍କ ହୋଇ ଖେଳୁଛି ଟିମ୍‌ ଇଣ୍ଡିଆ ।

ବାଂଲାଦେଶ ପ୍ରଥମ ପାଳି :-

ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ କେବଳ 35 ଓଭର ବ୍ୟାଟିଂ ସମ୍ଭବ ହୋଇଥିଲା । କାନପୁରରେ ଲଗାତାର ବର୍ଷା କାରଣରୁ ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳ ଶେଷ ହୋଇଥିଲା । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା ।

ଏହାପରେ କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଅସମ୍ଭବ ହୋଇଥିଲା । ଆଜି 4ର୍ଥ ଦିନରେ ଲଞ୍ଚ ବ୍ରେକ୍‌ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ । ମୋମିନୁଲ ହକ୍‌ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଗୋଟିଏ ୱିକେଟ ହାସଲ କରି ଟେଷ୍ଟ କ୍ରିକେଟରେ 300 ୱିକେଟ ପୂରଣ କରିଥିଲେ ଜାଡେଜା ।

ଭାରତ ପ୍ରଥମ ପାଳି :-

ହାତରେ ଆଉ କମ ସମୟ ଥିବାରୁ ବିଜୟ-ମନସ୍କ ହୋଇ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟେଷ୍ଟ ମ୍ୟାଚ୍‌ରେ ଆରମ୍ଭରୁ ଟି20ର ଭ୍ରମ ସୃଷ୍ଟି କରିଥିଲା ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ । କେବଳ 3 ଓଭରରେ ଅର୍ଦ୍ଧଶତକ ପୂରଣ କରି ରେକର୍ଡ କରିଥିଲା ଭାରତ । କେବଳ ଅର୍ଦ୍ଧଶତକ ନୁହେଁ, ଏହି ମ୍ୟାଚ୍‌ରେ ଦ୍ରୁତତମ 100, 150, 200 ଓ 250 ରନ ପୂରଣ କରିବାର ରେକର୍ଡ କରିଛି ଭାରତ । ଧୂଆଁଧାର ବ୍ଯାଟିଂ ସହ ଭାରତ କ୍ରମାଗତ ୱିକେଟ ମଧ୍ୟ ହରାଇ ଚାଲିଥିଲା । 285ରେ ବହୁମୂଲ୍ୟ 9 ୱିକେଟ ହରାଇସାରିଥିଲା ଭାରତ । ହାତରେ ଅଳ୍ପ ସମୟ ଥିବାରୁ ରୋହିତ ଏହି ସମୟରେ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ।

ଏହି ପାଳିରେ ଭାରତ ପକ୍ଷରୁ ଜୟସ୍ବାଲ ସର୍ବାଧିକ 72 ରନ କରିଥିବାବେଳେ କେଏଲ୍‌ ରାହୁଲ 68 ରନର ପାଳି ଖେଳିଥିଲେ । କୋହଲି 47 ରନର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ଅନ୍ୟପଟେ ବାଂଲାଦେଶ ବୋଲର ମେହିଡୀ ହାସନ ମିରାଜ ଓ ଶାକିବ ଅଲ ହାସନ ଉଭୟ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ହାସନ ମହମ୍ମୁଦ ଗୋଟିଏ ସଫଳତା ପାଇଥିଲେ ।

ବାଂଲାଦେଶ ଦ୍ବିତୀୟ ପାଳି :-

ଭାରତ 285ରେ ପ୍ରଥମ ପାଳି ଘୋଷଣା କରିବା ପରେ ବାଂଲାଦେଶ 52 ରନ ପଛରେ ରହି ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ହେଲେ ଭାରତକୁ ଆରମ୍ଭରୁ ଲଗାତାର ଦୁଇଟି ସଫଳତା ଦେଇଛନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମେ ଜାକିର ହାସନଙ୍କୁ LBW କରି ପାଭିଲିୟନ ଫେରାଇବା ପରେ ହାସନ ମହମ୍ମୁଦଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଅଶ୍ବିନ । ଏହା ସହିତ 4ର୍ଥ ଦିନ ଖେଳ ଶେଷ ହୋଇଥିଲା । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 26 ରନ କରି 2 ୱିକେଟ ହରାଇ ସାରିଛି । ଏହା ସହିତ ଏବେ ବି ଭାରତ 26 ରନ ଆଗରେ ରହିଛି ।

ଆଉ ଗୋଟିଏ ଦିନ ଖେଳ ବାକି ରହିଥିବାରୁ 5ମ ଅର୍ଥାତ ଅନ୍ତିମ ଦିନ ବେଶ ରୋମାଞ୍ଚକର ହବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details