କାନପୁର (ଉତ୍ତର ପ୍ରଦେଶ) : ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟର 4ର୍ଥ ଦିନରେ ପ୍ରଥମ ଇନିଂସ୍ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଦିନ ବର୍ଷା ବ୍ୟାଘାତ କାରଣରୁ କେବଳ 35 ଓଭର ଖେଳି ପାରିଥିଲା । ଏଥିରେ ଭ୍ରମଣକାରୀ ଦଳ 3 ୱିକେଟ ହରାଇ 107 ରନ ସଂଗ୍ରହ କରିଥିଲା । ଏହାପରେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଶେଷରେ 4ର୍ଥ ଦିନ ଖେଳ ସମ୍ଭବ ହୋଇଛି । 4ର୍ଥ ଦିନରେ ଲଞ୍ଚ ବ୍ରେକ୍ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ମୋମିନୁଲ ହକ୍ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଛନ୍ତି । ଭାରତ ପକ୍ଷରୁ ଜସପ୍ରୀତ ବୁମ୍ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଗୋଟିଏ ୱିକେଟ ହାସଲ କରି ଇତିହାସ ରଚିଛନ୍ତି ରବିନ୍ଦ୍ର ଜାଡେଜା ।
ଅଢ଼େଇ ଘଣ୍ଟା ପୂର୍ବରୁ ସରିଥିଲା ପ୍ରଥମ ଦିନ ଖେଳ :-
ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶୀଘ୍ର ଶେଷ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳକୁ ବନ୍ଦ କରିଦିଆଯାଇଥିଲା । କାନପୁରରେ ବର୍ଷା କାରଣରୁ ଖେଳ ଅଧିକ ସମୟ ଖେଳାଯାଇପାରିନଥିଲା । ମ୍ୟାଚ୍ରେ ଟସ୍ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା ।
ଦ୍ବିତୀୟ ଓ ତୃତୀୟ ଦିନ ଖେଳ ସ୍ଥଗିତ ରହିଥିଲା :-
କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଦିନ ଖେଳ ହୋଇପାରିନଥିଲା । ଦ୍ବିତୀୟ ଦିନରେ ଗୋଟିଏ ବି ବଲ୍ ବୋଲିଂ ନହୋଇ ଖେଳକୁ ଶେଷ କରିଦିଆଯାଇଥିଲା । ଷ୍ଟାଡିୟମକୁ ଆସିବା ପରେ ମଧ୍ୟ ସ୍ଥିତି ବଦଳିବାର ସମ୍ଭାବନା ନଥିବାରୁ ଉଭୟ ଦେଶର ଖେଳାଳି ପୁଣି ଟିମ୍ ହୋଟେଲକୁ ଫେରିଯାଇଥିଲେ । ଏହାପରେ ତୃତୀୟ ଦିନ ଯଦିଓ ଆରମ୍ଭରୁ ବର୍ଷା ହୋଇନଥିଲା, ହେଲେ ଗ୍ରାଉଣ୍ଡ ଶୁଖିନଥିବାରୁ କିଛି ସମୟ ଅପେକ୍ଷା କରାଯାଇଥିଲା । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶେଷରେ ତୃତୀୟ ଦିନରେ ଖେଳ ମଧ୍ୟ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା ।