ନୂଆଦିଲ୍ଲୀ:ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ହାଇବ୍ରିଡ ମଡେଲରେ ଆୟୋଜନ ହେବ ଚାମ୍ପିୟନ୍ସ ଟ୍ରଫି 2025 । ଏନେଇ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଖେଳିବାକୁ ଥିବା ମ୍ୟାଚ ପାକିସ୍ତାନ ନୁହଁ ବରଂ ଅନ୍ୟ ଦେଶରେ ଖେଳାଯିବ । ଆଇସିସି ବୋର୍ଡ ଆହୁରି ମଧ୍ୟ ସୁନିଶ୍ଚିତ କରିଛି ଯେ, 2024–2027 ମଧ୍ୟରେ ଭାରତ ଓ ପାକିସ୍ତାନରେ ଯେଉଁ ବି ଆଇସିସି ଇଭେଣ୍ଟ ଆୟୋଜନ କରାଯିବ ତାହା ବି ନିରପେକ୍ଷ ସ୍ଥାନରେ ଖେଳାଯିବ । ଆଗକୁ ହେବାକୁ ଥିବା ମହିଳା ବିଶ୍ବକପ 2025 (ଭାରତ), ପୁରୁଷ ଟି20 ବିଶ୍ବକପ 2026(ଭାରତ-ଶ୍ରୀଲଙ୍କା) ଏବଂ ମହିଳା ଟି 20 ବିଶ୍ବକପ 2028 (ପାକିସ୍ତାନ) ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ ।
ଭାରତ-ପାକିସ୍ତାନ ମ୍ୟାଚ କେଉଁଠାରେ ଖେଳାଯିବ ?
ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଫଳରେ କେଉଁ ଦେଶରେ ଭାରତର ମ୍ୟାଚ ଆୟୋଜନ କରାଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦୁବାଇ ନଚେତ କଲମ୍ବୋରେ ଆୟୋଜନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଯଦି ଭାରତ ଫାଇନାଲରେ ପହଞ୍ଚିବ ତେବେ ଫାଇନାଲ ମ୍ୟାଚ ମଧ୍ୟ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ଯଦି ଏପରି ନହୁଏ ତେବେ ଫାଇନାଲ ମ୍ୟାଚ ଲାହୋରରେ ଅନୁଷ୍ଠିତ ହେବ ।