ଓଡିଶା

odisha

ETV Bharat / sports

ଜୁଲାନାରୁ ଜିତିଲେ ଭିନେଶ ଫୋଗାଟ; ହରିୟାଣାରେ ଭୋଟ ଗଣତି ଜାରି - Haryana Election Results 2024

Wrestler Vinesh Phogat Wins from Julana : କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଜୁଲାନାରୁ ଜିତିଲେ ନିର୍ବାଚନ । ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ ମାତ ଦେଲେ ଫୋଗାଟ । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 7 hours ago

Vinesh Phogat
Vinesh Phogat (ETV Bharat Odisha)

ହାଇଦ୍ରାବାଦ : ଆସିବାରେ ଲାଗିଛି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ । ଗୋଟିଏ ପଟେ ସମସ୍ତ ଏକ୍‌ଜିଟ୍‌ ପୋଲକୁ ଚକ୍‌ମା ଦେଇ ବିଜେପି ବହୁମତ ଆଡ଼କୁ ବଢ଼ୁଥିବାବେଳେ ଜୁଲାନା ବିଧାନସଭା ଆସନରୁ ଜିତିଛନ୍ତି ରେସଲର ଭିନେଶ ଫୋଗାଟ । ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ ଚର୍ଚ୍ଚିତ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ । ତେବେ ବର୍ତ୍ତମାନ ସେ ଜୁଲାନା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଯୋଗେଶ କୁମାରଙ୍କୁ 5,961 ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି ।

ଶୁଭେଚ୍ଛା ଜଣାଇଲେ ବଜରଙ୍ଗ ପୁନିଆ :-

ଭିନେଶଙ୍କ ଜିତିବା ଖବର ଆସିବା ପରେ ତାଙ୍କ ସାଥୀ କୁସ୍ତିଯୋଦ୍ଧା ତଥା ଅନ୍ୟତମ କଂଗ୍ରେସ ନେତା ବଜରଙ୍ଗ ପୁନିଆ ମଧ୍ୟ 'ଏକ୍ସ'ରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭିନେଶଙ୍କ ଫଟୋ ପୋଷ୍ଟ କରି ବଜରଙ୍ଗ ଲେଖିଛନ୍ତି, 'ଏହି ବିଜୟ ପାଇଁ ଦେଶର ଝିଅ ଭିନେଶ ଫୋଗାଟଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ସଂଗ୍ରାମ କେବଳ ଗୋଟିଏ ଜୁଲାନା ଆସନ ପାଇଁ ନଥିଲା, କେବଳ 3-4 ଅନ୍ୟ ପ୍ରାର୍ଥୀଙ୍କ ସହ ନଥିଲା ବା କେବଳ ଅନ୍ୟ ଦଳ ମଧ୍ୟରେ ଲଢ଼େଇ ନଥିଲା । ଏହି ଲଢ଼େଇ ଦେଶର ଶକ୍ତିଶାଳୀ ଦମନକାରୀ ଶକ୍ତି ବିରୋଧରେ ଥିଲା । ଏବଂ ଏଥିରେ ଭିନେଶ ବିଜେତା ହୋଇଛନ୍ତି ।'

ଜନ୍ତର-ମନ୍ତରରେ କରିଥିଲେ ସଂଘର୍ଷ :-

ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ଫୋଗେଟ୍ କୁସ୍ତିରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା । ଏହାପୂର୍ବରୁ, ସାଥୀ ଖେଳାଳିଙ୍କ ସହ ଜନ୍ତର-ମନ୍ତରରେ WFI ବିରୋଧରେ ଆନ୍ଦୋଳନ ଯୋଗୁଁ ଭିନେଶ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ । ଯେଉଁଠାରେ ସେ ପୂର୍ବତନ WFI ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ମହିଳା ଖେଳାଳିଙ୍କ ଯୌନ ଶୋଷଣ ଅଭିଯୋଗ କରିଥିଲେ । ଏହି ପ୍ରସଙ୍ଗରେ ଅନେକ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦୀର୍ଘ ଦିନ ଧରି ଚାଲିଥିଲା ​​ଏବଂ ଦେଶରେ ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାଗ୍ୟ ଦେଲାନି ସାଥ :-

ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଷ୍ଟାର ରେସଲର ଭିନେଶ ଫୋଗାଟ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ୍‌ ରହିଥିଲା । କିନ୍ତୁ ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ତାଙ୍କର ଓଜନ ମାତ୍ର 100 ଗ୍ରାମ ଅଧିକ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଥିଲେ CAS । ଫଳରେ ଭିନେଶଙ୍କ ପଦକ ଆଶା ମଉଳି ଯାଇଥିଲା ।

ଭାରତରେ ହୋଇଥିଲା ଜୋରଦାର ସ୍ବାଗତ :-

ପ୍ୟାରିସ ଅଲିମ୍ପିକ୍ସରେ ବିଫଳ ହେବାପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଭିନେଶ ଫୋଗାଟ । ଦେଶବାସୀଙ୍କଠାରୁ ଭରପୁର ସମର୍ଥନ ପାଇଥିଲେ ରେସଲର । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭିନେଶଙ୍କ ସମର୍ଥନରେ ଟ୍ବିଟ କରି ଯାହା ସମ୍ଭବ ଭିନେଶଙ୍କ ପାଇଁ କରିବାକୁ ଭାରତୀୟ ଅଲିମ୍ପିକ୍ସ ସଂଘକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଭିନେଶ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ଭିନେଶଙ୍କୁ ଭବ୍ୟ ସ୍ବାଗତ କରିଥିଲେ ହରିୟାଣା କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ସିଂ ହୁଡା । ଏହାପରେ ଦିଲ୍ଲୀରୁ ହରିୟାଣା ଭିନେଶଙ୍କ ଗାଁ ପର୍ଯ୍ୟନ୍ତ ଭିନେଶଙ୍କୁ ରୋଡ ଶୋ'ରେ ନିଆଯାଇଥିଲା । ସେତେବେଳେ ମଧ୍ୟ କଂଗ୍ରେସ ନେତା ଭିନେଶଙ୍କ ସମର୍ଥନରେ ଯାଇଥିଲେ । ସେହି ସମୟରେ ଭିନେଶ କଂଗ୍ରେସରେ ମିଶି ରାଜନୀତିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

ବିଧାନସଭା ପଠାଇଲେ ହରିୟାଣା ଭୋଟର :-

ଭିନେଶଙ୍କ ଖ୍ୟାତି ଦେଖି କଂଗ୍ରେସ ଜୁଲାନାରୁ ତାଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଥିଲା । ଭିନେଶ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଏହା ପରେ ସେ ନିଜର କଠିନ ପରିଶ୍ରମ ସହିତ ନିଜ ଅଞ୍ଚଳରେ ପ୍ରଚାର କରିଥିଲେ । ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ କରାଯାଇଥିଲା କିନ୍ତୁ ଜୁଲାନା ଏବଂ ହରିୟାଣାର ଲୋକମାନେ ଭିନେଶଙ୍କୁ ରାଜନୀତିରେ ଯୋଗ୍ୟ ବୋଲି ପ୍ରମାଣ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details