ନୂଆଦିଲ୍ଲୀ:ପୁଣି କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିମୟକୁ ଫେରିବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ପୁରୁଷ ଓ ମହିଳା ହକି ପ୍ରୋ ଲିଗ ମ୍ୟାଚ । ଆସନ୍ତାକାଲି(ଶନିବାର)ଠାରୁ ଓଡିଶାରେ ଆରମ୍ଭ ହେବ ଏଫଆଇଏଚ ପ୍ରୋ ଲିଗ ହକି ମହିଳା ପ୍ରତିଯୋଗିତା । ଆଗାମୀ 10 ତାରିଖରେ ପୁରୁଷ ହକି ଦଳର ମ୍ୟାଚ ଖେଳାଯିବ । ଏହା ପୂର୍ବରୁ 24 ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଟିମ ଇଣ୍ଡିଆର ଭାର ତୁଲାଇବେ ହର୍ମନପ୍ରୀତ ସିଂହ । ଘୋଷଣା ହୋଇଥିବା ଏହି ଦଳରେ ଓଡିଶାର ଏକ ମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ଅନ୍ୟ କେଉଁ ଓଡିଆ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିପରି ପିଆ ଶ୍ରୀଜେଶ ଏବଂ କ୍ରିଷ୍ଣା ବାହାଦୂର ପାଠକ ଗୋଲକିପର ରହିବେ । ଉପ ଅଧିନାୟକ ରହିଛନ୍ତି ହାର୍ଦ୍ଦିକ ସିଂ ।
ଆଗାମୀ ଦିନରେ ଭୁବନେଶ୍ବର ଓ ରାଉରକେଲାରେ ହକି ପ୍ରୋ ଲିଗ ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରରେ ଫେବୃଆରୀ 10ରୁ 16 ଓ ରାଉରକେଲାରେ 19ରୁ 25 ତାରିଖ ମଧ୍ୟରେ ମ୍ୟାଚ ଖେଳାଯିବ । 10 ତାରିଖରେ ସ୍ପେନ ବିପକ୍ଷରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ସ୍ପେନ ବ୍ୟତିତ ଆୟାର୍ଲାଣ୍ଡ, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଟିମକୁ 2 ଥର ଲେଖାଏଁ ଭେଟିବ ଭାରତ ।