ଭୁବନେଶ୍ବର: ଓଡ଼ିଶାରେ ପୁଣି ଚାଲିବ ହକିର ଯାଦୁ । ଫେବୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ଏବଂ ମହିଳା ପ୍ରୋ ଲିଗ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମଧ୍ୟ ଏହି ହକି ପ୍ରୋ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଭାରତୀୟ ମହିଳା ଦଳ ୩ ତାରିଖରେ ଚୀନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ ୧୦ ତାରିଖରୁ ସ୍ପେନ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତୀୟ ପୁରୁଷ ହକି ଦଳ । ତେବେ ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ମହିଳା ହକି ଦଳ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଛି । ଅନ୍ୟପଟେ ଚୀନ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଉପଅଧିନାୟିକା ବନ୍ଦନା କାତାରିୟା ।
ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ ଖେଳିବାକୁ ଭାରତ ସମେତ ଚୀନ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟ ମୈଦାନକୁ ଓହ୍ଲାଇବେ । ଭାରତୀୟ ମହିଳା ଦଳ ପ୍ରଥମେ ୩ ତାରିଖରେ ଚୀନ, ୪ ତାରିଖରେ ନଦେରଲାଣ୍ଡ, ୭ ତାରିଖରେ ଅଷ୍ଟ୍ରେଲିଆ ଓ ୯ ତାରିଖରେ ଆମେରିକାକୁ ଭେଟିବ । ସେହିଭଳି ୧୦ ତାରିଖରୁ ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ଆରମ୍ଭ ହେବ । ଭାରତୀୟ ପୁରୁଷ ଦଳ ୧୦ ତାରିଖରେ ସ୍ପେନ, ୧୧ ତାରିଖରେ ନେଦରଲାଣ୍ଡ, ୧୫ରେ ଅଷ୍ଟ୍ରେଲିଆ ଏବଂ ୧୬ ତାରିଖରେ ଆୟରଲାଣ୍ଡକୁ ଭେଟିବ । ସମସ୍ତ ମ୍ୟାଚ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଉଭୟ ଷ୍ଟାଡିୟମରେ ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ମଧ୍ୟ ସରିଛି ।