କଟକ: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍ ଟିକେଟ୍ ମୂଲ୍ୟରେ ହ୍ରାସ କରିଛି ଓଡିଶା କ୍ରିକେଟ ଆସୋସିଏସନ୍ (OCA)। ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫେବ୍ରୁୁଆରୀ ୯ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଏହି ବହୁପ୍ରତୀକ୍ଷିତ ଏକଦିବସୀୟ ମ୍ୟାଚର ସୁପରିଚାଳନା ପାଇଁ ଆଜିର ବୈଠକରେ ଆଲୋଚନା ମଧ୍ୟ ହୋଇଛି ।
- କମିଲା ଟିକେଟ ଦର
ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଏହି ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦର କମିଥିବା ନେଇ ‘ଓସିଏ’ ପକ୍ଷରୁ କୁହାଯାଇଛି । ଗ୍ୟାଲେରୀ-୧ ଓ ୩ ପାଇଁ ଟିକେଟ୍ ଦର ପୂର୍ବରୁ ୧୨୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୧୦୦ ଟଙ୍କା ହ୍ରାସ କରାଯାଇ ୧୧୦୦ ଟଙ୍କା ରଖାଯାଇଛି । ସେହିଭଳି ଗ୍ୟାଲେରୀ-୨ ଓ ୪ ପାଇଁ ପୂର୍ବ ନିର୍ଦ୍ଧାରିତ ୧୦୦୦ ଟଙ୍କା ବଦଳରେ ୯୦୦ ଟଙ୍କା ରଖାଯାଇଛି । ଗ୍ୟାଲେରୀ ନମ୍ବର-୫ ପାଇଁ ପୂର୍ବରୁ ୧୫୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ବର୍ତ୍ତମାନ ତାହା ୧୨୦୦ ଟଙ୍କାକୁ ହ୍ରାସ କରାଯାଇଛି ।
- ନ୍ୟୁ-ପ୍ୟାଭିଲୟନ୍ ଓ କର୍ପୋରେଟ ବକ୍ସ ଦର ଅପରିବର୍ତ୍ତିତ
ସେହିଭଳି ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ପରିବର୍ତ୍ତେ ୭୦୦ ଟଙ୍କା ଓ ସ୍ପେଶାଲ ଏନକ୍ଲୋଜର ପାଇଁ ୭୦୦୦ଟଙ୍କା ବଦଳରେ ୬୦୦୦ ଟଙ୍କା କରାଯାଇଛି । ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା ବଦଳରେ ୮୦୦୦ ଟଙ୍କା ସ୍ଥିର କରିଛି ଓଡିଶା କ୍ରିକେଟ ସଂଘ । ପୂର୍ବଭଳି ନ୍ୟୁ-ପ୍ୟାଭିଲୟନ୍ ଓ କର୍ପୋରେଟ ବକ୍ସ ଦର ୧୦ ହଜାର ଟଙ୍କା ଓ ୨୦ ହଜାର ଟଙ୍କା ସହ ଅପରିବର୍ତ୍ତିତ ରହିଛି ।
ଏହାବ୍ୟତୀତ ଷ୍ଟାଡିୟମ ରଙ୍ଗ କାର୍ଯ୍ୟ, ପରିମଳ, ବିଦ୍ୟୁତ ଯୋଗାଣ ସମ୍ପର୍କରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି । ଆଗାମୀ ଦିନରେ ସରକାରଙ୍କୁ ଏହି ମ୍ୟାଚର ସୁପରିଚାଳନା ନେଇ ଆଲୋଚନା କରାଯିବ । ଏହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ସହାୟତାରେ ମ୍ୟାଚକୁ ଅନୁଷ୍ଠିତ କରାଯିବ ବୋଲି ‘ଓସିଏ’ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ଏହାମଧ୍ୟ ପଢନ୍ତୁ... OCAରୁ ବବି ଦାସ ଆଉଟ୍, ସଭାପତି ପଦରୁ ଦେଲେ ଇସ୍ତଫା ବିବାଦରେ ଛନ୍ଦିହେଲା OCA, ସିନିୟର କ୍ରିକେଟର ଆଣିଲେ ଚୟନ ଅନିୟମିତତା ଅଭିଯୋଗ INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA |
କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ଏହି ମ୍ୟାଚ ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ବସିଥିଲା । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ସେଠାରେ ଟିକେଟ୍ ଦର କମିବା ନେଇ ଆଲୋଚନା ହୋଇଥିଲା ଓ ଆଜି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରଯାଇଛି ।
ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି," ଓ୍ବାନ-ଡେ ଇଣ୍ଟରନ୍ୟାସନାଲ ମ୍ୟାଚ ପାଇଁ ସ୍ବତନ୍ତ୍ର ବାର୍ଷିକ ସାଧାରଣ ପରିଷଦ ଡକାଯାଇଥିଲା । ଟିକେଟ୍ ଦର କମାଇବା ପାଇଁ କ୍ରୀଡାମନ୍ତ୍ରୀ ପୂର୍ବରୁ ଓସିଏକୁ ଅନୁରୋଧ କରିଥିବା ବେଳେ ସେ ବିଷୟରେ ଆଲୋଚନା ହୋଇଥିଲା । ନୂଆ ଦରରେ ଟିକେଟ ଦର୍ଶକଙ୍କୁ ବିକ୍ରି କରାଯିବ ।"
ସିଟ୍ | ପୂର୍ବ ଦର | ବର୍ତ୍ତମାନ ଦର |
୧ ଓ ୩ ନଂ ଗ୍ୟାଲେରୀ | ୧୨୦୦ ଟଙ୍କା | ୧୧୦୦ ଟଙ୍କା |
୨ ଓ ୪ ନଂ ଗ୍ୟାଲେରୀ | ୧୦୦୦ ଟଙ୍କା | ୯୦୦ ଟଙ୍କା |
୫ ନଂ ଗ୍ୟାଲେରୀ | ୧୫୦୦ ଟଙ୍କା | ୧୨୦୦ ଟଙ୍କା |
୭ ନଂ ଗ୍ୟାଲେରୀ | ୮୦୦ ଟଙ୍କା | ୭୦୦ଟଙ୍କା |
ସ୍ପେଶାଲ ଏନକ୍ଲୋଜର | ୭୦୦୦ଟଙ୍କା | ୬୦୦୦ ଟଙ୍କା |
ଏସି ଗ୍ୟାଲେରୀ ବକ୍ସ | ୯୦୦୦ ଟଙ୍କା | ୮୦୦୦ ଟଙ୍କା |
ନ୍ୟୁ ପ୍ୟାଭିଲୟନ | ୧୦,୦୦୦ ଟଙ୍କା | ୧୦,୦୦୦ ଟଙ୍କା |
କର୍ପୋରେଟ ବକ୍ସ | ୨୦,୦୦୦ ଟଙ୍କା | ୨୦,୦୦୦ ଟଙ୍କା |
ଇଟିଭି ଭାରତ, କଟକ