ହାଇଦ୍ରାବାଦ: ଏସିଆ ମହାଦେଶର ବ୍ୟାଡମିଣ୍ଟନ ସ୍ପୋର୍ଟ୍ସ କର୍ତ୍ତୃପକ୍ଷ 'ବ୍ୟାଡମିଣ୍ଟନ ଏସିଆ' ପକ୍ଷରୁ ଜାରି ହୋଇଥିବା ମାନଚିତ୍ରକୁ ନେଇ ତେଜିଲା ବିବାଦ । ଏଥିରେ ଭାରତର କିଛି ସୀମାବର୍ତ୍ତୀ ଅଞ୍ଚଳକୁ ପଡ଼ୋଶୀ ଦେଶର ବୋଲି ଦର୍ଶାଯାଇଛି । ଏହାପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ତୁରନ୍ତ ଏହାକୁ ସଂଶୋଧିତ କରିବା ଲାଗି ଦାବି ହୋଇଛି । ଏହି ବିବାଦୀୟ ମାନଚିତ୍ରରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କିଛି ଅଂଶ ଓ ଅରୁଣାଚଳ ପ୍ରଦେଶ କିଛି ଅଞ୍ଚଳ ଗାଏବ ଥିବା ଦେଖିବାକୁ ମିଳିଛି ।
ଏହି ବିବାଦୀୟ ମାନଚିତ୍ରରେ ୫ଟି ଶ୍ରେଣୀ ରହିଛି ଯେପରିକି ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ପୂର୍ବ ଏସିଆ ଓ କେନ୍ଦ୍ର ଏସିଆ । ଏଥିରେ ଦକ୍ଷିଣ ଏସିଆରେ ଭାରତକୁ ସ୍ଥାନିତ କରାଯାଇଛି । ମାତ୍ର ଭାରତର ମାନଚିତ୍ରକୁ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶ ବିନା ଦର୍ଶାଯାଇଛି । ଅରୁଣାଚଳ ପ୍ରଦେଶରୁ ଗାଏବ ଥିବା ଅଂଶକୁ ଚୀନର ବୋଲି ଦର୍ଶାଯାଇଛି । ଏହାସହିତ ପୂର୍ବ ଏସିଆରେ ତାଜିକିସ୍ତାନ, କୀର୍ଗିଜିସ୍ତାନ ଓ ତିବ୍ବତକୁ ମାନଚିତ୍ରରୁ ସମ୍ପୂର୍ଣ୍ଣ ଭାବେ ଗାଏବ ରହିଛି । ଏଭଳି ବିବାଦୀୟ ମାନଚିତ୍ର 'ବ୍ୟାଡମିଣ୍ଟନ ଏସିଆ' ପକ୍ଷରୁ ଜାରି ହେବା ପରେ ବିଶେଷ କରି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଭାରତ ବ୍ୟାଡମିଣ୍ଟନ ଏସିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କ୍ରୀଡା ପ୍ରଶଂସକ ଦାବି କରିଛନ୍ତି ।