ହାଇଦ୍ରାବାଦ:ଆଜିକାଲି ଡିପଫେକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଡିପଫେକ ଜାଲରେ ଛନ୍ଦି ହେଉଛନ୍ତି ଅନେକ ସେଲିବ୍ରିଟି । ନିକଟରେ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡିପଫେକ ମାମଲାର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ତାଲିକାରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାଁ ଯୋଡି ହୋଇଛି । କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଡିପଫେକର ଶିକାର ହୋଇଛନ୍ତି ବିରାଟ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେବାର ଲାଗିଛି । ଭିଡିଓରେ ବିରାଟଙ୍କ ଅବିକଳ ଚେହେରା ସହ ସ୍ୱରର ମଧ୍ୟ ନକଲ କରାଯାଇଛି । ଯାହାଫଳରେ ଜଣେ ସାଧାରଣ ଲୋକ ଜାଣିବା ମୁସ୍କିଲ ।
ଭିଡ଼ିଓରେ ବିରାଟ ଏକ ଅନଲାଇନ୍ ବେଟିଂ ଆପ୍ ଉପରେ କିଛି କହୁଥିବା ଦେଖିବାକୁ ମିଳୁଛି । କଥା କହିବାର ଶୈଳୀ ଓ ବିରାଟଙ୍କ ଚେହେରାକୁ ନକଲ କରାଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ସତ୍ୟାସତ୍ୟକୁ ଅନୁଧ୍ୟାନ କରାଯାଇଥିଲା । ଏହାପରେ କୋହଲିଙ୍କ ଏହି ସ୍ୱର ୨୦୧୮ର ବୋଲି ଜଣାପଡ଼ିଛି । କୋହଲି ଏକ ସାକ୍ଷାତକାରରେ ଏପରି କହିଥିବା ସୂଚନା ମିଳିଛି । ସେହି ସମୟର ସାକ୍ଷାତକାରର କୋହଲିଙ୍କ ସ୍ୱରକୁ ଡିପଫେକ୍ ଭିଡିଓରେ ବ୍ୟବହାର କରାଯାଇଛି । ଯେଭଳି ଭାବରେ ଦର୍ଶକମାନେ ଖୁବ୍ଶୀଘ୍ର ଏହାକୁ ବିଶ୍ୱାସ କରିପାରିବେ ସେହିଭଳି ଭିଡିଓଟିକୁ ତିଆରି କରାଯାଇଛି ।