ଅଗରତାଲା: ଭାରତୀୟ ବ୍ୟାଟର ମୟଙ୍କ ଅଗ୍ରୱାଲ ଅସୁସ୍ଥ । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଲେ ମୟଙ୍କ । ସେ ରଣଜୀ ମ୍ୟାଚ୍ ଖେଳିବା ପାଇଁ ତ୍ରିପୁରା ଯାତ୍ରା କରିଥିଲେ । ସେଠାରୁ ଫେରିବା ସମୟରେ ବିମାନରେ ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ମୟଙ୍କ । ତାଙ୍କ ପାଟି ଓ ଗଳାରେ ଜଳାପୋଡ଼ା ଅନୁଭବ କରିଥିଲେ । ଯାହାପରେ ତାଙ୍କୁ ତୁରନ୍ତ ଅଗରତାଲାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ମୟଙ୍କ ଏବେ ବିପଦମୁକ୍ତ ଥିବା ଜଣାପଡ଼ିଛି ।
32 ବର୍ଷୀୟ ମୟଙ୍କ ରଣଜୀରେ କର୍ଣ୍ଣାଟକର ଅଧିନାୟକ ଅଛନ୍ତି । ସେ ତ୍ରିପୁରା ବିପକ୍ଷରେ ରଣଜୀ ମ୍ୟାଚ୍ ଜିତିଥିଲେ । ଏହାପରେ ଆଜି (ମଙ୍ଗଳବାର) କର୍ଣ୍ଣାଟକ ଫେରୁଥିଲେ । ସେଠାରୁ ଆଗାମୀ ମ୍ୟାଚ୍ ଖେଳିବାକୁ ସୁରଟ ଅଭିମୁଖେ ଯାତ୍ରା କରିଥାଆନ୍ତେ । ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍ କର୍ଣ୍ଣାଟକ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା । ହେଲେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଏବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି । ଅଗରତାଲାରେ ସେ ଯେଉଁ ହସ୍ପିଟାଲରେ ଅଛନ୍ତି, ସେଠାରେ ତ୍ରିପୁରା କ୍ରିକେଟ ଆସୋସିଏସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ହେଲେ ବର୍ତ୍ତମାନ ମୟଙ୍କ ଅଗ୍ରୱାଲଙ୍କ ଚିକିତ୍ସା ଜାରି ରହିଥିବାବେଳେ ସେ ଏବେ ବିପଦମୁକ୍ତ ଥିବା ଜଣା ପଡ଼ିଛି । ଆସନ୍ତାକାଲି (ବୁଧବାର) ମୟଙ୍କଙ୍କୁ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯିବ ଓ ସେ ବେଙ୍ଗାଲୁରୁ ଫେରିଯିବେ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ...ରଣଜୀ ଟ୍ରଫି 2024: ‘ପ୍ରଥମ ବିଜୟ ପରେ ଓଡ଼ିଶାର ମନୋବଳ ବଢିଛି’