ଓଡିଶା

odisha

ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଦ୍ବାରା ଆକାଶ ଛୁଇଁବ ପାକିସ୍ତାନର ଅର୍ଥନୀତି; ଭାରତୀୟ ଦଳ ନଗଲେ ପାକ୍‌ ସହିବ ବିପୁଳ କ୍ଷତି - Champions Trophy 2025

By ETV Bharat Sports Team

Published : Sep 17, 2024, 10:34 PM IST

Champions Trophy 2025 Pakistan : ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି 2025 ଆୟୋଜନ କରିବାକୁ ଯାଉଛି । ଏହି ହୋଷ୍ଟିଂରୁ ପାକିସ୍ତାନର ଅର୍ଥନୀତିରେ ବିପୁଳ ଅଭିବୃଦ୍ଧି ଘଟିବ । କେବଳ ଏତିକି ନୁହେଁ, ଯଦି ଭାରତୀୟ ଦଳ ପାକିସ୍ତାନ ଯିବାକୁ ପ୍ରତ୍ୟାଖ୍ୟାନ କରେ, ତେବେ ପାକିସ୍ତାନକୁ ମଧ୍ୟ ପ୍ରବଳ କ୍ଷତି ସହିବାକୁ ପଡିପାରେ । ଅଧିକ ପଢ଼ନ୍ତୁ

Rohit Sharma and Babar Azam
Rohit Sharma and Babar Azam (ANI Photo)

ହାଇଦ୍ରାବାଦ : ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ପାକିସ୍ତାନରେ ଆୟୋଜିତ ହେବ । ପାକିସ୍ତାନରେ ଏଥିପାଇଁ ଅନେକ ଉତ୍ସାହ ତ ଅଛି, ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଏଥିପାଇଁ ଷ୍ଟାଡିୟମର ନବୀକରଣଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଆବଶ୍ୟକତା ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ (PCB) । ଏହି ହୋଷ୍ଟିଂ ପାଇଁ ଆଇସିସି ବଜେଟ ମଧ୍ୟ ମଞ୍ଜୁର କରିଛି । ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ପାକିସ୍ତାନକୁ ଷ୍ଟାଡିୟମ ଗୁଡ଼ିକରେ ଲାଇଟ୍ ଏବଂ ଜେନେରେଟର ଭଡ଼ାରେ ଆଣି ଲଗାଇବାକୁ ପଡିବ, କାରଣ ନୂଆ କିଣିବା ପାଇଁ ବହୁତ ଖର୍ଚ୍ଚ ହେବ ଏବଂ ଏହା ବଜେଟ୍ ବାହାରେ ହୋଇପାରେ ।

ତେବେ ଭାରତ ଏହି ହାଇପ୍ରାଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନା ନାହିଁ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କାରଣ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ୟ ସ୍ଥାନରେ ଭାରତ ଖେଳିବାକୁ ଚାହୁଁଛି । ଅନ୍ୟପଟେ ଏହି ଇଭେଣ୍ଟ ଆୟୋଜନ କରି ପାକିସ୍ତାନ ବହୁତ ଲାଭବାନ ହେବାକୁ ଯାଉଛି । କାରଣ ଯେକୌଣସି ଦେଶ ଆଇସିସି ଇଭେଣ୍ଟ ଆୟୋଜନ କରି ଅର୍ଥନୀତିରେ ବିପୁଳ ଲାଭବାନ ହୋଇଥା'ନ୍ତି । ଯେତେବେଳେ 9ଟି ଦେଶର ଦଳ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନକୁ ଆସିବେ, ସେତେବେଳେ ନିଶ୍ଚିତ ଭାବେ ବିଭିନ୍ନ ଦେଶରୁ ପ୍ରଶଂସକମାନେ ସେମାନଙ୍କ ଦଳକୁ ସମର୍ଥନ କରିବାକୁ ପାକିସ୍ତାନ ଆସିବେ ।

ପର୍ଯ୍ୟଟକଙ୍କଠାରୁ ହେବ ଭରପୁର ରୋଜଗାର :-

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟିଂ ହେତୁ ପାକିସ୍ତାନରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିପାରେ । ଗୋଟିଏ ଦଳ ଅନେକ ମ୍ୟାଚ୍ ଖେଳିବ । ତଣୁ କୌଣସି ପ୍ରଶଂସକ ତାଙ୍କ ଦେଶ ଛାଡି କେବଳ ଗୋଟିଏ ମ୍ୟାଚ୍ ଦେଖିବା ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ । ସେଥିପାଇଁ ପ୍ରଶଂସକମାନେ ଅନେକ ଦିନ ପାଇଁ ଯୋଜନା କରି ପାକିସ୍ତାନ ଆସିବେ ଏବଂ ସେମାନଙ୍କୁ ସେଠାରେ ରହିବାକୁ ପଡ଼ିବ ।

ଏହି ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ପ୍ରାୟ 9ଟି ଦେଶର ପ୍ରଶଂସକ ପାକିସ୍ତାନ ଯାଇ ରହିବେ । ସେମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେଠାରୁ ସମସ୍ତ ପ୍ରକାର ସାମଗ୍ରୀ କିଣିବେ ମଧ୍ୟ, ଯାହା ପାକିସ୍ତାନର ଅର୍ଥନୀତିରେ ସୁଧାର ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । କେବଳ ଏତିକି ନୁହେଁ, ପାକିସ୍ତାନରେ ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ବୃଦ୍ଧି ପାଇବ । ଏଭଳି ପରିସ୍ଥିତିରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଅର୍ଥନୀତିରେ ବହୁତ ଲାଭବାନ ହୋଇପାରିବ ।

ଭାରତର ଗୋଟିଏ ନିଷ୍ପତି ପାକିସ୍ତାନ ପାଇଁ ହେବ ବଡ଼ କ୍ଷତି :-

ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ଭାରତର ପାକିସ୍ତାନ ଗସ୍ତ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ଯଦି ଭାରତୀୟ ଦଳ ପାକିସ୍ତାନ ନଯାଏ, ତେବେ ପାକିସ୍ତାନକୁ ହାଇବ୍ରିଡ ମଡେଲରେ ମ୍ୟାଚ୍ ଆୟୋଜନ କରିବାକୁ ପଡିପାରେ । ଏପରି ହେଲେ ଭାରତୀୟ ପ୍ରଶଂସକ ଖେଳ ଦେଖିବାକୁ ପାକିସ୍ତାନ ଯିବେନି ଏବଂ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିପାରେ । ଭାରତ ଏବଂ ପାକିସ୍ତାନ ଉଭୟ ପଡ଼ୋଶୀ ଦେଶ ହୋଇଥିବାରୁ ହଜାର ହଜାର ଭାରତୀୟ ପ୍ରଶଂସକ ସେଠାରେ ପହଞ୍ଚିବାର ସମ୍ଭାବନା ଅଛି । କିନ୍ତୁ ଯଦି ଭାରତୀୟ ଦଳ ପାକିସ୍ତାନରେ ଏହାର ମ୍ୟାଚ୍ ଖେଳେନାହିଁ ଏବଂ ମ୍ୟାଚ୍‌ ଅନ୍ୟ କେତେକ ସ୍ଥାନରେ ହାଇବ୍ରିଡ ମଡେଲରେ ଖେଳାଯାଏ, ତେବେ ଭାରତୀୟ ପ୍ରଶଂସକମାନେ ପାକିସ୍ତାନ ଯିବା ପରିବର୍ତ୍ତେ ଅନ୍ୟ ସ୍ଥାନ ଗସ୍ତରେ ଯିବେ । କେବଳ ଏତିକି ନୁହେଁ, ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନକୁ ଅତିରିକ୍ତ ବଜେଟ୍ ମଧ୍ୟ ଖର୍ଚ୍ଚ କରିବାକୁ ପଡିପାରେ ।

ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନରୁ କେଉଁ ଦେଶକୁ କେତେ ହୋଇଛି ଫାଇଦା ?

ଭାରତ (ଦିନିକିଆ ବିଶ୍ବକପ୍‌ 2023)

ଦିନିକିଆ ବିଶ୍ବକପ 2023 ଭାରତ ଆୟୋଜନ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପ୍ରକାଶିତ ଏକ ନୂଆ ଅର୍ଥନୈତିକ ରିପୋର୍ଟରୁ ଜଣାପଡିଛି ଯେ ଆଇସିସି ପୁରୁଷ ବିଶ୍ବକପ୍ 2023 ଭାରତୀୟ ଅର୍ଥନୀତିରେ $1.39 ବିଲିୟନ ଡଲାର୍ (11,637 କୋଟି ଭାରତୀୟ ଟଙ୍କା)ର ଅବିଶ୍ବସନୀୟ ଆର୍ଥିକ ଲାଭ କରିଛି । ଆୟୋଜକ ସହରଗୁଡିକରେ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ମ୍ୟାଚ୍‌ରେ ଯୋଗଦେବା କାରଣରୁ ରହିବା, ଭ୍ରମଣ, ପରିବହନ, ଖାଦ୍ୟ ଏବଂ ପାନୀୟରୁ $861.4 ମିଲିୟନ ଡଲାର ଆୟ କରିଥିଲା ଭାରତ ।

ଅଷ୍ଟ୍ରେଲିଆ (ଟି20 ବିଶ୍ବକପ୍‌ 2022)

ଗତ 2022 ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି20 ବିଶ୍ବକପରେ କ୍ରିକେଟ୍ ଅଷ୍ଟ୍ରେଲିଆର ଆୟ 9% ବୃଦ୍ଧି ହୋଇ $427 ମିଲିୟନ ଡଲାରରେ ପହଞ୍ଚିଥିଲା ।

ଇଂଲଣ୍ଡ (ଦିନିକିଆ ବିଶ୍ବକପ୍‌ 2019)

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରିପୋର୍ଟ ଅନୁଯାୟୀ, 2019 କ୍ରିକେଟ୍ ବିଶ୍ବକପ୍ ଆୟୋଜନ ବ୍ରିଟେନକୁ 350 ମିଲିୟନ୍ ଡଲାରରୁ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ପ୍ରଦାନ କରିଥିଲା ।

ଦକ୍ଷିଣ ଆଫ୍ରିକା (ଦିନିକିଆ ବିଶ୍ବକପ୍‌ 2003)

ଦକ୍ଷିଣ ଆଫ୍ରିକାରେ 2003 କ୍ରିକେଟ୍ ବିଶ୍ବକପ୍‌ର ଆୟୋଜକମାନେ ପ୍ରାୟ 300 ମିଲିୟନ୍ ରେଣ୍ଡ୍ ($35.5 ମିଲିୟନ୍ ଡଲାର୍) ଲାଭ ପାଇଥିଲେ ।

ବ୍ରିଟେନ (ଦିନିକିଆ ବିଶ୍ବକପ୍‌ 1999)

ବ୍ରିଟେନରେ 1999 ବିଶ୍ବକପ୍‌ରେ ଲାଭ ପ୍ରାୟ 13 ମିଲିୟନ୍ ପାଉଣ୍ଡ (ସେତେବେଳେ ପ୍ରାୟ 21 ମିଲିୟନ୍ ଡଲାର୍) ଥିଲା ।

ଭାରତୀୟ ପ୍ରଶଂସକଙ୍କୁ ପାକିସ୍ତାନ ଯିବାକୁ ମିଳିବ ଅନୁମତି ? :-

ପାକିସ୍ତାନରେ ମ୍ୟାଚ୍‌ ଦେଖିବା ପାଇଁ ଭାରତୀୟ ପ୍ରଶଂସକଙ୍କୁ ପାକିସ୍ତାନ ଭିସା ପ୍ରଦାନ କରିବ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ 2023 ଦିନିକିଆ ବିଶ୍ବକପ୍‌ରେ ଭାରତ ସୁରକ୍ଷା କାରଣରୁ ପାକିସ୍ତାନୀ ପ୍ରଶଂସକଙ୍କୁ ଭିସା ଦେଇନଥିଲା । କେବଳ ପାକିସ୍ତାନ କ୍ରିକେଟ୍ ଦଳ ସହ କେବଳ ଆଧିକାରୀକ ଲୋକମାନେ ଭାରତରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ଏଭଳି ପରିସ୍ଥିତିରେ ପାକିସ୍ତାନ ଭିସା ପ୍ରଦାନ କରୁଛି କି ନାହିଁ ତାହା ଦେଖିବାକୁ ପଡ଼ିବ ।

ଯେତେବେଳେ ପାକିସ୍ତାନ ପହଞ୍ଚିଥିଲେ ଭାରତୀୟ ପ୍ରଶଂସକ :-

1984-85ରେ ଯେତେବେଳେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍ ଖେଳିବାକୁ ପାକିସ୍ତାନ ଯାଇଥିଲା, ସେତେବେଳେ ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ଲାହୋର ଗସ୍ତ ପାଇଁ ଭିସା ଦିଆଯାଇଥିଲା । ଏହାର 19 ବର୍ଷ ପରେ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିଥିଲା ​​ଏବଂ ପାକିସ୍ତାନରେ ଭାରତର ଖେଳ ଦେଖିବା ପାଇଁ ପ୍ରାୟ 20,000 ପ୍ରଶଂସକମାନଙ୍କୁ ଭିସା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details