କଟକ: ଫୁଟବଲ ଆସୋସିଏସନ ଅଫ ଓଡିଶା (FAO) ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବଜେପି ନେତା ସମୀର ଦେ । ଆସନ୍ତା ଜୁଲାଇ 21ରେ ହେବ ଫାଓ ବା ଓଡ଼ିଶା ଫୁଟବଲ ସଂଘର ନିର୍ବାଚନ । ଏହା ପୂର୍ବରୁ ଗତକାଲି (ଗୁରୁବାର) ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ରହିଥିଲା । ଯେଉଁଠାରେ ସଭାପତି ଭାବେ ସମୀର ଦେ ଓ ସମ୍ପାଦକ ଭାବେ ଆଶୀର୍ବାଦ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଛନ୍ତି । ଅନ୍ୟ ପଦବୀ ପାଇଁ ମଧ୍ୟ ଏକପ୍ରକାର ପ୍ରାର୍ଥି ଚୟନ ପ୍ରକ୍ରିୟା ଶେଷ ହୋଇଛି । ଅନ୍ୟପଟେ ଓଡ଼ିଶା ଫୁଟବଲ ସଂଘର ନବନିର୍ବାଚିତ ସଭାପତିଙ୍କ ଟାର୍ଗେଟରେ ଏବେ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ । ଖୁବଶୀଘ୍ର ଓସିଏ ମଧ୍ୟ ବିଜେଡି ହାତରୁ ବିଜେପି କବ୍ଜାକୁ ଯିବ ବୋଲି ଆଲୋଚନା ହେଉଛି ।
ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଓ ଆଶୀର୍ବାଦ:-
ରାଜ୍ୟରେ ବିଭିନ୍ନ କ୍ରୀଡ଼ା ସଙ୍ଘରେ ସବୁବେଳେ ସରକାରୀ ଦଳର ଦବଦବା ରହିଆସିଥିବା ନଜିର ରହିଛି । ସେହିକ୍ରମରେ ସରକାର ବଦଳିବା ପରେ ବଦଳିଛି କ୍ରୀଡା ସଂଘର ସମୀକରଣ । ଓଡ଼ିଶା ଫୁଟବଲ୍ ସଂଘରୁ ଆଉଟ୍ ହୋଇଛନ୍ତି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଏଣ୍ଟ୍ରି ମାରିଲେ ବରିଷ୍ଠ ବିଜେପି ନେତା ସମୀର ଦେ । ଆସନ୍ତା ଜୁଲାଇ 21ରେ ଫାଓ ବା ଓଡ଼ିଶା ଫୁଟବଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ସେହିଦିନ ଫଳାଫଳ ଘୋଷଣା ହେବାନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି । ତେବେ ଏହା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଯାଇଥିବାବେଳେ ସଂଘର ସଭାପତି ଭାବେ ବରିଷ୍ଠ ବିଜେପି ନେତା ସମୀର ଦେ ଓ ସମ୍ପାଦକ ଭାବେ ଆଶୀର୍ବାଦ ବେହରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଥିବା ସ୍ପଷ୍ଟ ହୋଇଛି ।
ସମୀରଙ୍କ ଟାର୍ଗେଟରେ ବବି:-
ତେବେ ଫୁଟବଲ ଆସୋସିଏସନ ଅଫ ଓଡିଶା (FAO) ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏବେ ସମୀରଙ୍କ ଟାର୍ଗେଟରେ ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଏବଂ ଏହାର ସଭାପତି ପ୍ରଣବ ପ୍ରକାଶ ଦାସ । ସମୀର କହିଛନ୍ତି, "ଓସିଏରୁ ସ୍ବେଚ୍ଛାକୃତ ଇସ୍ତଫା ନିଅନ୍ତୁ ବବି ଦାସ । ତାଙ୍କର ଓସିଏରେ କାର୍ଯ୍ୟକାଳ ଶେଷ ହେବାପାଇଁ ଗୋଟିଏ ବର୍ଷ ବାକି ରହିଛି । ତେଣୁ ବର୍ତ୍ତମାନ ସେ ଇସ୍ତଫା ନେବା ଦରକାର । ଏହାଛଡ଼ା ତାଙ୍କର ଓଡିଶା କ୍ରୀଡା ସଂଘରେ ରହିବାର ଉଦ୍ଦେଶ୍ୟ ରାଜନୈତିକ । କ୍ରୀଡାର ବିକାଶ ପାଇଁ କେବେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି । ଏହାଛଡ଼ା ଯେଉଁ ରାଜ୍ୟ ପ୍ରଶାସନିକ ଅଧିକାରୀ ଓସିଏ ଆସୁଥିଲେ, ସେଠାରେ ଅନେକ କାର୍ଯ୍ୟକ୍ରମ ହେବାନେଇ ଯୋଜନା କରୁଥିଲେ, ତାହା ମିଥ୍ୟା ଭଳି ପ୍ରତିତ ହେଉଛି ।" ଓସିଏରେ ଯେତେ ଟଙ୍କାର ଦୁର୍ନୀତି ହୋଇଛି, ତାହାର ସବିଶେଷ ତଥ୍ୟ ସମ୍ନାକୁ ଆସିବ ଓ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ସମୀର ଦେ ।