ଭୁବନେଶ୍ବର : ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ । ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରିଛନ୍ତି ଭାରତୀୟ ହକି ଦଳର ଟପ୍ ଡିଫେଣ୍ଡର । ଆଜି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଅମିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ସେ ସିଧାସଳଖ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ତେବେ ଏଠାରେ ଅମିତଙ୍କ ବାହାଘର ନେଇ ପ୍ରଶ୍ନ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଯଏଉଁଥିରେ ଲାଜେଇ ଯାଇଥିଲେ ଅମିତ ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ:ଭୁବନେଶ୍ବର ବିମାନବନ୍ଦରରୁ ସିଧା ଲୋକସେବା ଭବନରେ ପହଞ୍ଚିଥିଲେ ଅମିତ ରୋହିଦାସ । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଅମିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି । ସେ ଆମର ଗର୍ବ ଓ ଗୌରବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଲଗାତାର 2ଟି ଅଲିମ୍ପିକ୍ସରେ 2ଟି ପଦକ ଜିତିଛନ୍ତି । ଓଡ଼ିଆ ଅସ୍ମିତାକୁ ସେ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିବାହ କଥା ପଚାରିବାରୁ ଲାଜେଇଗଲେ ଅମିତ :-
ଅମିତ ରୋହିଦାସଙ୍କୁ ବିବାହ ନେଇ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । 'ବାହା ହେଇଛନ୍ତି କି' ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଲାଜେଇ ଯାଇଥିଲେ ଭାରତୀୟ ହକି ଦଳର ଟପ୍ ଡିଫେଣ୍ଡର ଅମିତ ରୋହିଦାସ । ସେ ମିଡିଆ ଆଗରେ ଏନେଇ ପ୍ରତିକ୍ରିୟା ରଖିବାବେଳେ ମଧ୍ୟ ଲାଜେଇ ଯାଇଥିଲେ । ଏପରିକି କେବେ ବାହା ହଉଛ ବୋଲି ଅମିତଙ୍କୁ 'ଇଟିଭି ଭାରତ' ଓଡ଼ିଶା ପ୍ରତିନିଧି ମଧ୍ୟ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ଅମିତି କହିଥିଲେ, "ଏବେ ସେ ବିଷୟରେ ମୁଁ କିଛି ଚିନ୍ତା କରିନି ।" ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପଚାରିଥିଲେ । ହେଲେ ମୁଁ ଏ ବିଷୟରେ ଏବେ କିଛି କହି ପାରିବିନି ବୋଲି ଅମିତ କହିଥିଲେ ।