ଓଡିଶା

odisha

ETV Bharat / politics

ନବୀନଙ୍କ ଉତ୍ତରାଧିକାରୀ ସଙ୍କଟ; AIADMK ଅବସ୍ଥା ଭୋଗିବ କି BJD ? - NAVEEN SUCCESSOR

ବିଜୁ ପଟ୍ଟନାୟକଙ୍କ ପରେ ‘ବିଜେଡି’ର ମଙ୍ଗ ଧରିଥିଲେ ନବୀନ, ଏବେ ନବୀନଙ୍କ ପରେ କି’ଏ । ପରିବାରର କେହି ଆଗ୍ରହୀ ନଥିବା ଚର୍ଚ୍ଚା । କଣ କହୁଛନ୍ତି ରାଜନୀତି ବିଷାରଦ ।

naveen patnaik
naveen patnaik (ETV BHARAT ODISHA)

By ETV Bharat Odisha Team

Published : Dec 28, 2024, 7:18 PM IST

Updated : Dec 28, 2024, 7:32 PM IST

ଭୁବନେଶ୍ବର:ଦେଶର ଅନ୍ୟତମ ଶ୍ରେଷ୍ଠ ଆଞ୍ଚଳିକ ଦଳ ମଧ୍ୟରେ ଅନ୍ୟତମ ‘ବିଜୁ ଜନତା ଦଳ’ । ନିର୍ବାଚନୀ ତଥା କ୍ଷମତା ରାଜନୀତି କ୍ଷେତ୍ରରେ ବେଶ ସଫଳ ଦଳ ଭାବେ ପରିଚୟ ସୃଷ୍ଟି କରିଛି ବିଜେଡି । ଲମ୍ବା ସମୟ ଧରି କ୍ରମାଗତ ରାଜ୍ୟରେ କ୍ଷମତାରେ ରହିଥିବା ‘ବିଜେଡି’ କେବଳ ୨୦୨୪ ସାଧାରଣ ନିର୍ବାଚନକୁ ଛାଡି ଦେଲେ, ସମ୍ମୁଖୀନ ହୋଇଥିବା ଅନ୍ୟ ସମସ୍ତ ନିର୍ବାଚନରେ ବିଜୟ ଲାଭ କରିଛି । କିନ୍ତୁ ବର୍ତ୍ତମାନ ଦଳ ଉତ୍ତରାଧିକାରୀ ସଙ୍କଟ ଦେଇ ଗତି କରୁଥିବା ଚର୍ଚ୍ଚା ହେଉଛି । କାରଣ ନବୀନଙ୍କ ପରେ କି’ଏ ଧରିବ ବିଜେଡି ମଙ୍ଗ ? ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ସ୍ପଷ୍ଟ ହୋଇନଥିବା ବେଳେ ବିଜେଡି ତାମିଲନାଡୁର AIADMK ପରି ଅବସ୍ଥା ଭୋଗି ପାରେ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କଲେଣି ।

  • ଜୟଳଳିତାଙ୍କ ଦେହାନ୍ତ ପରେ କଣ ହୋଇଥିଲା AIADMK ଅବସ୍ଥା:-

ତାମିଲନାଡୁରେ କ୍ଷମତାରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ଜେ.ଜୟଳଳିତା ଓ ଦଳ ‘AIADMK’ବେଶ ଲୋକପ୍ରିୟତା ହାସଲ କରିଥିଲା । ହେଲେ 2016 ଡିସେମ୍ବର 5 ତାରିଖରେ ଜୟଳଲିତାଙ୍କ ନିଧନ ପରେ ଦଳରେ ପରବର୍ତ୍ତୀ ନେତୃତ୍ବ ନେଇ ଘୋର ଗୋଷ୍ଠୀବାଦ ଦେଖିବାକୁ ମିଳିଥିଲା । ପନିର ସେଲଭମ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ନାଟକୀୟ ଢଙ୍ଗରେ କ୍ଷମତାରେ ହଟିଥିଲେ । ପରବର୍ତ୍ତୀ ସମୟରେ ଜୟଳଳିତାଙ୍କ ଏକାନ୍ତ ସହଯୋଗୀ ଶଶିକଳା ମଧ୍ୟ ଘୋଟାଲା ମାମଲାରେ ଗିରଫ ହେବା ସହ ପାର୍ଟିରୁ ବରଖାସ୍ତ ହୋଇଥିଲେ । ପରେ ଦଳର ଅନ୍ୟ ଜଣେ ନେତା ପଲାନି ସାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନିର୍ଦ୍ଦିଷ୍ଟ ଉତ୍ତରାଧିକାରୀ ନିର୍ଣ୍ଣୟ ହୋଇ ନପାରିବା କାରଣରୁ ଜୟଳଳିତାଙ୍କ ଦେହାନ୍ତ ପରେ AIADMK ରେ ପ୍ରବଳ ଗୋଷ୍ଠୀବାଦ ଓ ଦଳୀୟ ଅନ୍ତଃକନ୍ଦଳ ଦେଖିବାକୁ ମିଳିଥିଲା । ଫଳରେ ଦଳ ଏକାଧିକ ଗୋଷ୍ଠୀରେ ବିଭକ୍ତ ହେବା ସହ କ୍ଷମତାରୁ ମଧ୍ୟ ବଞ୍ଚିତ ହୋଇଥିଲା । ବିରୋଧୀ DMK ଏହାର ସୁଯୋଗରେ ରାଜ୍ୟରେ କ୍ଷମତା ହାତେଇଥିଲା ।

NAVEEN SUCCESSOR (ETV BHARAT ODISHA)
  • ସଂଗଠନ କାର୍ଯ୍ୟ କରିବାକୁ ବୟସ ନବୀନଙ୍କୁ ଅନୁମତି ଦେଉନାହିଁ ?

ବିଜେଡି ପ୍ରତିଷ୍ଠାକୁ ଦୀର୍ଘ ୨୮ ବର୍ଷ ହୋଇଗଲାଣି । ଜାତୀୟ ଓ ଅନ୍ୟ ଆଞ୍ଚଳିକ ଦଳ ଭଳି ବିଜେଡିକୁ ମଧ୍ୟ କ୍ୟାଡରଭିତ୍ତିକ ପାର୍ଟିରେ ପରିଣତ କରିବା ପାଇଁ ଅନେକ ଉଦ୍ୟମ ହୋଇଛି । ଏଥିପାଇଁ କିଛି ବର୍ଷ ତଳେ ଦଳରେ କିଛି ନୂଆ ପଦବୀ ସୃଷ୍ଟି କରିଥିଲେ ନବୀନ । ସଂଗଠନ ସମ୍ପାଦକ, ଦଳୀୟ ମୁଖ୍ୟାଳୟ ସମ୍ପାଦକ ପରି ପଦ ନୂଆ କରି ସୃଷ୍ଟି ହୋଇଛି । ଦଳକୁ ସୁଦୃଢ କରିବା ପାଇଁ ଏକାଧିକ ଛାମୁଆ ସଂଗଠନ ମଧ୍ୟ ସୃଷ୍ଟି ହୋଇଛି । ଯୁବ, ମହିଳା, ଛାତ୍ର, ଶ୍ରମିକ, କୃଷକ ଜନତା ଦଳ ଭଳି ଛାମୁଆ ସଂଗଠନ ଦଳରେ କାମ କରୁଛି । କିନ୍ତୁ ବର୍ତ୍ତମାନ ବଢି ଚାଲିଥିବା ବୟସ ସଂଗଠନ କାର୍ଯ୍ୟ ପ୍ରତ୍ୟେକ ଦିନ କରିବା ନବୀନଙ୍କୁ ଅନୁମତି ଦେଉନାହିଁ ।

  • ଦଳର ନେତୃତ୍ବ ପାଇଁ ନବୀନଙ୍କ ପରିବାରରୁ କେହିବି ସାମ୍ନାକୁ ଆସିନାହାନ୍ତି:

୧୬ ଅକ୍ଟୋବର ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ବୟସ ବଢ଼ିବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ କଥା । ନିତିଦିନିଆ ଦଳୀୟ କାର୍ଯ୍ୟ କରିବା ନବୀନଙ୍କ ପକ୍ଷେ ସମ୍ଭବ ନୁହେଁ । ଦଳର ନେତୃତ୍ୱ ନେବା ଲାଗି ନବୀନଙ୍କ ପରିବାରରୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ସାମ୍ନାକୁ ଆସି ନାହାନ୍ତି । ଗତବର୍ଷ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଦେହାନ୍ତ ହୋଇଥିବାବେଳେ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କର ବୟସ ବଢି ଚାଲିଛି । ଉତ୍ତରାଧିକାରୀ ଭାବେ ପ୍ରେମଙ୍କ ପୁଅ ତଥା ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କର ନାମ ଏକାଧିକ ଥର ଚର୍ଚ୍ଚା ହୋଇଥିଲେ ସୁଦ୍ଧା ତାଙ୍କର ରାଜନୀତିରେ କୌଣସି ରୁଚି ନଥିବା ମଧ୍ୟ କୁହାଯାଏ । ସେହିପରି ନବୀନଙ୍କ ଝିଆରୀ ଗାୟତ୍ରୀ ପଟ୍ଟନାୟକଙ୍କର ମଧ୍ୟ ସମାନ ଅବସ୍ଥା ବୋଲି କହୁଛନ୍ତି ରାଜନୀତି ସମୀକ୍ଷକ ।

naveen patnaik (ETV BHARAT ODISHA)
  • ବିଜେଡିର ନେତୃତ୍ବ କିଏ ନେବ ତାହା ଅସ୍ପଷ୍ଟ:

ପରିବାରରୁ କେହି ନବୀନଙ୍କ ଉତ୍ତରାଧିକାରୀ ହୋଇ ବିଜେଡିର ନେତୃତ୍ୱ ନେବା ସମ୍ଭାବନା କ୍ଷୀଣ ରହିଛି । ଦଳର ପରବର୍ତ୍ତୀ ନେତୃତ୍ୱ ବାବଦରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଚର୍ଚ୍ଚା ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ କହିଥିଲେ, ବିଜେଡି ଉତ୍ତରାଧିକାରୀ ବାବଦରେ ରାଜ୍ୟବାସୀ ନିଷ୍ପତ୍ତି ନେବେ । କିନ୍ତୁ ବିଜେଡିର ପ୍ରତିଷ୍ଠା ଦିବସରେ ସମାନ ପ୍ରଶ୍ନରେ ନବୀନ କହିଛନ୍ତି, "ମୁଁ ବହୁତ ଲମ୍ବା ସମୟ ଧରି ବିଜେଡିର ନେତୃତ୍ୱରେ ଅଛି । ପରବର୍ତ୍ତୀ ନେତୃତ୍ୱ ନେଇ ମୁଁ ଚିନ୍ତା କରିନାହିଁ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ । ଦଳର ଉତ୍ତରାଧିକାରୀ ନେଇ ନବୀନଙ୍କ ବଦଳୁଥିବା ମନ୍ତବ୍ୟ ଦ୍ବନ୍ଦ୍ୱ ସୃଷ୍ଟି କରୁଛି ।

naveen patnaik (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବିଜେଡି ପାଳିଲା ୨୮ ତମ ପ୍ରତିଷ୍ଠା ଦିବସ; ମାର୍ଗଦର୍ଶନ ଦେଲେ ନବୀନ - BJD FOUNDATION DAY

ଏହା ମଧ୍ୟ ପଢନ୍ତୁ-ପରାଜୟର କାରଣ କହିଲେ ନବୀନ, ‘ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବିଜେଡି’ - NAVEEN PATNAIK

  • ବିଜେଡି ଦଳରେ ନେତୃତ୍ୱ ସଙ୍କଟ ସୃଷ୍ଟି କରିବ କି ?

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ପ୍ରଶାସକ ଭି.କେ ପାଣ୍ଡିଆନଙ୍କୁ ଦଳର ନିର୍ବାଚନ ପରିଚାଳନା ଦାୟିତ୍ବ ଦେଇଥିଲେ ନବୀନ । ଦଳ ବିଜୟ ଲାଭ କରିଥିଲେ ହୁଏତ ପାଣ୍ଡିଆନଙ୍କୁ ଦଳ ପରିଚାଳନା ଦାୟିତ୍ବ ମିଳିଥାନ୍ତା ବୋଲି ଚର୍ଚ୍ଚା ହୁଏ । ତେବେ ଦଳ ନିର୍ବାଚନରେ କେବଳ ପରାଜୟର ସମ୍ମୁଖୀନ ହୋଇଛି । ରାଜନୀତିରୁ ପାଣ୍ଡିଆନ ଅବସର ଘୋଷଣା କରିଛନ୍ତି । ପାଣ୍ଡିଆନଙ୍କୁ ନେଇ ଦଳରେ ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି ହୋଇଛି । ପାଣ୍ଡିଆନ ବିଜେଡିର କ୍ଷମତା ଦଖଲ ଲାଗି ପ୍ରୟାସ କରୁଥିବା ଅଭିଯୋଗ ହୋଇ ଆସିଛି । ସେହିପରି ସଂଗଠନ ସମ୍ପାଦକ ଦାୟିତ୍ବରେ ଥିବା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ରାଜନୀତିରେ ପରାଜୟ, ଦଳ ଭିତରେ ବିରୋଧର ସମ୍ମୁଖୀନ ହେବାରେ ଲାଗିଛନ୍ତି । ତେଣୁ ତାଙ୍କୁ ନେତୃତ୍ୱରେ ଦଳ ଆଗକୁ ବଢିବ ତାହା ଆକଳନ ବାହାରେ ରହିଛି । ଆଗାମୀ ଦିନରେ ବିଜେଡି ଦଳରେ ନେତୃତ୍ୱ ସଙ୍କଟ ସୃଷ୍ଟି ହେବ ତାହା ଜଳଜଳ ଦିଶିବାରେ ଲାଗିଛି ।

ବିଜୁ ପଟ୍ଟନାୟକଙ୍କ ପରେ ଦଳର ନେତୃତ୍ବ ନେଇଥିଲେ ନବୀନ :

୧୯୯୭ ଡିସେମ୍ବର ୨୬ ତାରିଖରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବା ବିଜୁ ବାବୁ ନାଁ'ରେ ଗଠନ ହୋଇଥିବା ଦଳ ୨୭ ବର୍ଷ ପୂରଣ କରି ୨୮ରେ ପଦାର୍ପଣ କରିଛି । ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର ଲିଗାସିକୁ ଆଗକୁ ବଢାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ବିଜୁଙ୍କ ଅନୁଗତଙ୍କ ଦ୍ଵାରା ଗଠନ ହୋଇଥିବା ଦଳ ତାଙ୍କ ସାନ ପୁତ୍ର ନବୀନଙ୍କ ନେତୃତ୍ବରେ ବିଜେଡି ଆଗକୁ ବଢିଛି । ଲଗାତାର ଭାବେ ୨୪ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ଶାସନ ଡୋରୀ ସମ୍ଭାଳିଛନ୍ତି । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବଡ଼ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବିଜେଡି । କ୍ଷମତା ରାଜନୀତିରୁ ଅପସରିଯାଇଛି ବିଜେଡି ।

naveen patnaik (ETV BHARAT ODISHA)

ଓଡିଶାରେ ରାଜନୈତିକ ସଫଳତା ଓ କ୍ଷମତାର ଶିଖରରେ ପହଞ୍ଚିବା ପାଇଁ ସଂଘର୍ଷ, ସଂଗ୍ରାମ ଓ ଅନେକ ପରିଶ୍ରମ କରିଛି ଦଳ । ବିଜେଡି ଭାରତବର୍ଷରେ ଅନେକ ରାଜନୈତିକ ରେକର୍ଡ ପ୍ରତିଷ୍ଠା କରିଛି । ରାଜନୈତିକ ପଣ୍ଡିତଙ୍କ ଗଣନା, ପୂର୍ବାନୁମାନ ଓ ଆକଳନକୁ ଅନେକ ଥର ଭୁଲ ପ୍ରମାଣିତ କରିଛି ବିଜେଡି ନେତୃତ୍ୱଙ୍କର ରଣନୀତି । ଯାହା ଫଳରେ ବିଜେଡି ରାଜ୍ୟରେ ନିରଙ୍କୁଶ କ୍ଷମତା ଉପଭୋଗ କରିଛି । ବିଜୁଙ୍କ ନୀତି ଆଦର୍ଶ ଓ ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ଗଠନ ହୋଇଥିବା ଦଳ ରାଜ୍ୟକୁ ୨ ଦଶନ୍ଧୀରୁ ଅଧିକ ସମୟ ଲଗାତାର ଭାବେ ଶାସନ କରିଛି । ଯାହାକୁ କେହି କେବେ ଆକଳନ କରିନଥିଲେ ।

ଦେଶର ଜଣେ ଚର୍ଚ୍ଚିତ ରାଜନେତା ନବୀନ:

ଏକଦା ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ନବୀନ ଆଜି ଦେଶର ଜଣେ ଚର୍ଚ୍ଚିତ ରାଜନେତାରେ ପରିଣତ ହୋଇଛନ୍ତି । ନବୀନଙ୍କ ସଫଳ ରାଜନୈତିକ ଗୋଟି ଚାଳନା ବିରୋଧୀଙ୍କୁ ଚକମା ଦେବା ସହ ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ କରି ଗଢି ତୋଳିଥିଲା । ୨୭ ବର୍ଷର ସଫଳ ରାଜନୈତିକ ଯାତ୍ରାରେ ଦଳ ଲଗାତାର ୫ଟି ବିଧାନସଭା ନିର୍ବାଚନ ଜିତିବା ସହ ଓଡିଶାର ବିକାଶକୁ ତରାନ୍ବିତ କରିଥିଲା । ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ ସିଂ ଚାମଲିଂଙ୍କ ପରେ ଦେଶର ଦ୍ଵିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବା ଗୌରବର ରେକର୍ଡ ନବୀନଙ୍କ ନାମରେ ରହିଛି ।

‘ସିକ୍କିମ୍‌ ଡେମୋକ୍ରେଟିକ ଫ୍ରଣ୍ଟ’ ପକ୍ଷରୁ ଚାମଲିଂ ୧୨ ଡିସେମ୍ବର ୧୯୯୪ରୁ ୨୭ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ସିକ୍କିମର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ୨୪ ବର୍ଷ ୧୬ ଦିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି । ସେହିପରି ସିପିଆଇ (ଏମ) ପକ୍ଷରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ୨୩ ବର୍ଷ ୧୩୮ ଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ ଜ୍ୟୋତି ବସୁ । ସେହିପରି ନବୀନ ୨୨ ଜୁଲାଇ ୨୦୨୩ରେ ଜ୍ୟୋତିଙ୍କ ସମକକ୍ଷ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିଜୟ ହୋଇଥିଲେ ନବୀନ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥାନ୍ତେ । ଯଦି ନବୀନଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥାନ୍ତା, ତେବେ ୨୦୨୪ ଅଗଷ୍ଟ ମାସରେ ନବୀନ ଏହି ରେକର୍ଡ ନିଜ ନାଁ'ରେ କରିଥାନ୍ତେ । କିନ୍ତୁ ବିଜେଡି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।


୨୦୦୦ ମସିହାରେ ବିଜେଡିକୁ ମିଳିଥିଲା କ୍ଷମତା :


୧୯୯୭ ମସିହାରେ ଗଠନ ହୋଇଥିବା ବିଜେଡିକୁ ୨୦୦୦ ମସିହାରେ ମିଳିଥିଲା କ୍ଷମତା । ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ପାରିବାରିକ ଆସନ ଆସ୍କାରୁ ଲୋକସଭା ନିର୍ବାଚନ ଲଢ଼ି ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ନବୀନ । ୨୦୦୦ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଗଢ଼ିଥିଲେ ସରକାର । ୨୦୦୦ ମାର୍ଚ୍ଚ ୫ ତାରିଖରୁ ୪ ଜୁନ ୨୦୨୪ ପର୍ଯ୍ୟନ୍ତ ସେ ଲଗାତାର ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ରେ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ।

୨୦୦୦ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ କରି ପ୍ରଥମ ଥର ୮୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢିଥିଲା । ଆଉ ୬୮ ଟି ଆସନରେ ବିଜୟୀ ହୋଇ ମେଣ୍ଟ ସରକାରର ନେତୃତ୍ବ ନେଇଥିଲେ ନବୀନ । ପ୍ରଥମ ଥର ୫ ମାର୍ଚ୍ଚ ୨୦୦୦ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ । ୨୦୦୪ ମସିହାରେ ହୋଇଥିବା ତ୍ରୟୋଦଶ ବିଧାନସଭା ନିର୍ବାଚନରେ ପୁଣି ବିଜେଡି ୮୪ ଆସନରେ ପ୍ରତିଦ୍ବନ୍ଦିତା କରି ୬୧ ଟି ଆସନରେ ବିଜୟୀ ହୋଇଥିଲା। ନବୀନ ପୁଣି ୧୬ ମେ ୨୦୦୪ ରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ।

୨୦୦୯ ଚତୁର୍ଦ୍ଦଶ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଥିଲା ରାଜ୍ୟ ରାଜନୀତିର ସମୀକରଣ । ଏନଡିଏରୁ ବାହାରି ଆସିଥିଲା ବିଜେଡି । ୨୦୦୯ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି ଘୋଷଣା କରଥିଲେ ନବୀନ । ଦଳ ୧୨୯ ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ଅବଶିଷ୍ଟ ଆସନ ନୂଆ ସହଯୋଗୀଙ୍କୁ ଛାଡିଦେଇଥିଲା । ପ୍ରଥମ ଥର ପାଇଁ ବିଜେଡି ଆସନ ସଂଖ୍ୟାରେ ମାରିଥିଲା ସେଞ୍ଚୁରି । ୨୦୧୪ ନିର୍ବାଚନରେ ଦଳ ପ୍ରଥମ ଥର ୧୪୭ ଆସନରେ ନିର୍ବାଚନ ଲଢି ପାଇଥିଲା ବିପୁଳ ସଫଳତା । ୧୧୭ ଟି ଆସନରେ ବିଜୟୀ ହୋଇ ଜାତୀୟ ରାଜନୀତିରେ ଛାଇ ଯାଇଥିଲେ ନବୀନ । ୨୦୧୯ ନିର୍ବାଚନରେ ନବୀନ ମାରିଥିଲେ ହ୍ୟାଟ୍ରିକ ସେଞ୍ଚୁରି । ଦଳ ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଜୀବନର ପ୍ରଥମ ୫ ଦଶନ୍ଧି ଆତ୍ୟାଧୁନିକ ଜୀବନ ବିତାଇଥିବା ନବୀନ ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜନୀତିରେ ଥିଲେ ନବାଗତ । ନବୀନ ଜଣେ ଚତୁର ଓ ପ୍ରବୀଣ ରାଜନେତା ତାହା ବିରୋଧୀ ମଧ୍ୟ ସ୍ବୀକାର କରୁଛନ୍ତି । ନେତୃତ୍ୱକୁ ଆହ୍ବାନ ଦେଲା ଭଳି ନେତା ଦଳରେ ସୃଷ୍ଟି ହେଲେ ଆକ୍ସନ ନେଇ ନବୀନ ଶକ୍ତ ବାର୍ତ୍ତା ଦେଇଆସିଛନ୍ତି । ତାଙ୍କ ବ୍ୟତୀତ ଦଳରେ ଆଉ କାହାର ହୁକୁମ ଚାଲିବ ନାହିଁ ବୋଲି ସେ ଦବଦବା ଜାହିର କରି ଆସିଛନ୍ତି । ବିଜେଡି ଗଠନ ବେଳେ ପ୍ରମୁଖ ଭୂମିକା ଥିବା ନେତା ଏବେ ଦଳ ବାହାରେ ଅଛନ୍ତି । କିଛିଙ୍କର ଦେହାନ୍ତ ହୋଇଥିବା ବେଳେ ଆଉ କିଛିଙ୍କ ଭୂମିକା ଦଳରେ ବର୍ତ୍ତମାନ ନାହିଁ । ଦଳୀୟ ଶୃଙ୍ଖଳା ହେଉକି ତାଙ୍କ ସମକକ୍ଷ ହେବାକୁ ଯିଏ ପ୍ରୟାସ ନବୀନ ତାଙ୍କୁ ଦଳରୁ ବିଦାୟ ଦେଇଛନ୍ତି । ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଶ୍ରାକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଦାମୋଦର ରାଉତ, ପ୍ରଫୁଲ୍ଲ ଘଡାଇ ଭଳି ନେତା ଅଛନ୍ତି । ସେହିପରି ପ୍ୟାରୀ ମହାପାତ୍ରଙ୍କ ଅବସ୍ଥା କାହାକୁ ଅଛପା ନାହିଁ ।

  • ଆସ୍ଥା ନଥିବା ନେତାଙ୍କୁ ସୁରକ୍ଷା ଦେଉଛନ୍ତି ନବୀନ:

ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି,"ବିଜେଡି ଏକ ସମ୍ମିଳିତ ପ୍ରୟାସରେ ପ୍ରତିଷ୍ଠା ହୋଇଥିଲା । ଯେଉଁମାନେ ଦଳ ଗଢିଥିଲେ ସେମାନେ ଏବେ ଦଳରେ ନାହାଁନ୍ତି । ଦଳ ଲାଗି ଅଲୋଡ଼ା ହୋଇଯାଇଛନ୍ତି । ନିର୍ବାଚନ ହାରିବା ପରେ ଏବେ ଅଲୋଡ଼ା ନେତାଙ୍କୁ ଖୋଜା ଯାଉଛି । ବିଜେଡ଼ି ଅତୀତରେ ଅନେକ ଭୁଲ କରିଛି । ସେଥିପାଇଁ ଏବେ ପ୍ରାୟଶ୍ଚିତ କରିବାକୁ ପଡୁଛି । ଦଳ ଯେଉଁମାନଙ୍କୁ ଆଗକୁ ଆଣିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକପ୍ରିୟତା ହରାଇଛନ୍ତି । ବଦନାମ ହୋଇଛନ୍ତି । ନିର୍ବାଚନ ହାରିବା ପରେ ଦଳ ସମୀକ୍ଷା କରିବା ସହ ପଦକ୍ଷେପ ନେବା କଥା । ତାହା ବର୍ତ୍ତମାନ ହେଉନାହିଁ । ଯେଉଁଥିପାଇଁ ଦଳ ଭିତରେ ଅସନ୍ତୋଷ ରହିଛି । ଯାହାଙ୍କ ଉପରେ ବିଜେଡି ନେତା ଓ କର୍ମୀଙ୍କ ଆସ୍ଥା ନାହିଁ, ସେମାନଙ୍କୁ ଦଳ ପ୍ରମୋଟ କରୁଛି । ନବୀନ ବାବୁ ତାଙ୍କୁ ସୁରକ୍ଷା ଦେଇ ରଖିଛନ୍ତି । ଏହା ବିଜେଡିର ସବୁଠାରୁ ବଡ଼ ଭୁଲ ।"

  • ଦଳକୁ ଆଗକୁ ନେବାକୁ ହେଲେ ନୂଆ ନେତୃତ୍ୱର ଆବଶ୍ୟକତା ରହିଛି


ପ୍ରସନ୍ନ ଆହୁରି ମଧ୍ୟ କହିଛନ୍ତି, "ଯଦି ଉତ୍ତରାଧିକାରୀ କଥା କହିବା ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଗରୁ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ଓଡ଼ିଶାର ଜନସାଧାରଣ ସ୍ଥିର କରିବେ । ତାଙ୍କ ପରିବାରରୁ କେହି ହେବେନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଏହା ଥିଲା ନିର୍ବାଚନ ପୂର୍ବବତୀ ସ୍ଥିତି । ନିର୍ବାଚନ ହାରିବା ପରେ ସ୍ଥିତି ବଦଳିଛି । ବିରୋଧୀ ଦଳରେ ବସିଛି । ଦଳକୁ ଆଗକୁ ନେବାକୁ ହେଲେ ନୂଆ ନେତୃତ୍ୱର ଆବଶ୍ୟକତା ରହିଛି । ବିଜେଡିରେ ଅନେକ ନେତାଙ୍କୁ ନିଷ୍ପ୍ରଭ କରିଦିଆଯାଇଛି । ବର୍ତ୍ତମାନ ଜଣେ ଭଲ ନେତାଙ୍କୁ ବାଛିବାର ଆବଶ୍ୟକତା ରହିଛି । ପୁରୁଖା ନେତାଙ୍କ ମଧ୍ୟରୁ ଅନେକ ରାଜନୈତିକ ଦୃଷ୍ଟିରୁ ହଜି ଗଲେଣି । ନୂଆ ନେତା ଅନେକ ବଦନାମ ହୋଇଛନ୍ତି । ବିଜେଡି ନେତୃତ୍ୱ ସଙ୍କଟ ଆଡ଼କୁ ଅଗ୍ରସର ହେଉଛି । ହୋଇଥିବା ତ୍ରୁଟିର ସୁଧାର ଯଦି ବିଜେଡି ସଭାପତି ନକରନ୍ତି, ଦଳକୁ ଆହୁରି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ଆହୁରି ଅଧିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ।"

ଦଳର ନେତାଙ୍କୁ ପଚାରନ୍ତୁ କିଏ ହେବେ ଉତ୍ତରାଧିକାରୀ:


ସେ ଏହା ମଧ୍ୟ କହିଛନ୍ତି, "ବିଜେଡି ସଭାପତି କହିଥିଲେ ଓଡ଼ିଶାର ଜନସାଧାରଣ ତାଙ୍କ ଉତ୍ତରାଧିକାରୀ ସ୍ଥିର କରିବେ । ଓଡିଶାର ଜନସାଧାରଣ ସ୍ଥିର କରିବାର ଅବକାଶ ଶେଷ ହୋଇଛି । ଦଳ କ୍ଷମତାରୁ ଯାଇଛି, ଏହା ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟାପାର । ଜନସାଧାରଣ କହିଦେବେ ଓ ନବୀନ ପଟ୍ଟନାୟକ ଗ୍ରହଣ କରିବେ ସେ କଥା ନୁହେଁ । ନବୀନ ବାବୁ ପ୍ରଥମେ ଦଳର ନେତାଙ୍କୁ ବିଶ୍ୱାସକୁ ନିଅନ୍ତୁ । ଗତ କିଛି ବର୍ଷ ହେବ ନବୀନ ବାବୁ ଓ ନେତାଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା । ସେଥିପାଇଁ ଦଳକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା । ସମସ୍ତ ନେତାଙ୍କୁ ବିଶ୍ୱାସକୁ ନେଇ ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ଆଲୋଚନା କରିବେ, ତାହାଲେ ଗୋଟେ ନିର୍ଯାସ ବାହାରି ପାରିବ । ଏ କଥା ଓଡିଶା ବାସୀଙ୍କ ଉପରେ ନଛାଡି ଦଳର ନେତାଙ୍କୁ ପଚାରନ୍ତୁ, କିଏ ହୋଇପାରିବ ଉତ୍ତରାଧିକାରୀ ?

ସେ ଆହୁରି ମଧ୍ୟ କହିଛନ୍ତି, "ନବୀନ ବାବୁ ଯାହାଙ୍କୁ ଥୋପି ଦେବେ ତାଙ୍କୁ ଓଡିଶାବାସୀ ଓ ବିଜେଡି ନେତା ଗ୍ରହଣ କରିନେବେ ସେ ଅବସ୍ଥା ଆଉ ନାହିଁ । ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ବିଜୟ ମହାପାତ୍ର ବିଜେଡିରେ ପାଖେଇଛନ୍ତି । ତାଙ୍କ ପୁଅ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ପୁରୁଣା ନେତାଙ୍କୁ ନବୀନ ବାବୁ ଆଗକୁ ଆଣିବେ କି ନାହିଁ, ତାହା ବିରାଟ ପ୍ରଶ୍ନ । ବିଜୟ ମହାପାତ୍ରଙ୍କର ସାମର୍ଥ୍ୟ ଅଛି । ଆହୁରି ଅନେକ ନେତା ଅଛନ୍ତି, ଯେଉଁମାନେ ବିଜେଡ଼ିକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁନାହାନ୍ତି । ବିଜେଡିରେ ନେତାଙ୍କୁ ଦୁରେଇ ଦିଆଗଲା । ଅଫିସରଙ୍କୁ ପାଖେଇ ଅଣାଗଲା । ସେଥିପାଇଁ ଅନେକ ନେତା ବିଜେଡି ଉପରେ ଭରସା କରିପାରୁନାହାନ୍ତି । ତେଣୁ ବିଜେଡି ପାଇଁ ନେତୃତ୍ୱ ଖୋଜିବା ସହଜ କଥା ନୁହେଁ ।"

  • ବିଜେଡ଼ିର ମୌଳିକ ଆଦର୍ଶ ଆଉ ନାହିଁ

ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଦଳ ସଂଗଠନ କିଏ ବୁଝିବ ? ଦ୍ଵିତୀୟସ୍ତରର ନେତା ସୃଷ୍ଟି କରିବେ ନା ନାହିଁ ? ବିଜୁ ପଟ୍ଟନାୟକ ଦ୍ଵିତୀୟସ୍ତରର ନେତା ସୃଷ୍ଟି କରିଥିଲେ । ସେଥିପାଇଁ ପରବର୍ତ୍ତୀ ସମୟରେ ବିଜେଡି ସୃଷ୍ଟି ହୋଇ ପାରିଲା । ଯାହାର ନେତା ଭାବେ ନବୀନ ପଟ୍ଟନାୟକ ୨୪ ବର୍ଷ କ୍ଷମତାରେ ରହିଲେ । ବିଜେଡ଼ିର ମୌଳିକ ଆଦର୍ଶ ଆଉ ନାହିଁ । ସେହିପରି ପୂର୍ବତନ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି," ୨୫ ବର୍ଷ କ୍ଷମତାରେ ରହି ଦଳ ଓହରିଛି । ନବୀନ ପଟ୍ଟନାୟକ ଦାଇତ୍ୱରେ ଥିବା ପର୍ଯ୍ୟନ୍ତ ଅଛନ୍ତି, ଦଳ ଅଛି ଓ ରହିବ । ଆଞ୍ଚଳିକ ଦଳ କେବେ ମାଟିରେ ମିଶି ନାହିଁ । ରାଜନୀତିରେ ଉତ୍ଥାନ ଓ ପତନ ଥାଏ । ‘ବିଜେଡି’ ଭଲ ଅବସ୍ଥାରେ ଅଛି । ବିରୋଧୀ ଭାବେ କଡା ଜବାବ ଦେଉଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଉ ଏବେ ବିରୋଧୀ ଦଳ ନେତା ଭାବେ ନବୀନ କାର୍ଯ୍ୟ କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 28, 2024, 7:32 PM IST

ABOUT THE AUTHOR

...view details