ମୁମ୍ବାଇ:ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ପ୍ରକ୍ରିୟା ଜାରି ରହିଥିବା ବିଭିନ୍ନ ଦଳରୁ ନେତାଙ୍କ ଦଳବଦଳ କରିବାରେ ଲାଗିଛନ୍ତି । ହେଲେ ଦେଶବ୍ୟାପୀ ଭାରତୀୟ ଜନତା ପାର୍ଟି ଅନ୍ୟଦଳର ନେତାଙ୍କୁ ନିଜ ପାର୍ଟିରେ ସାମିଲ କରିବା ଧାରାରେ ଅନ୍ୟ ପାର୍ଟିଠାରୁ ବେଶ ଆଗରେ ରହିଛି । ବିଭିନ୍ନ ରାଜ୍ୟରେ ବହୁ ବରିଷ୍ଠ ନେତାମାନେ ସେମାନଙ୍କ ପୂର୍ବ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ଶିବରାଜ ପାଲଟିଙ୍କ ବୋହୂ ଅର୍ଚ୍ଚନା ପାଟିଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମୁମ୍ବାଇରେ ସେ ପାର୍ଟି କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ତେବେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢିବା ନେଇ ଆଶା କରାଯାଉଥିବା ବେଳେ ଏବେ ସୁଦ୍ଧା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।
କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲ 2004ରୁ 2008 ମଧ୍ୟରେ କେନ୍ଦ୍ରରେ UPA ସରକାର ଗୃହମନ୍ତ୍ରୀ ଥିଲେ । ପୂର୍ବରୁ ସେ ଲୋକସଭା ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ବୋହୁ ଅର୍ଚ୍ଚନା ପାଟିଲ ଏବେ ‘ଲାଇଫ କେୟାର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର’ରେ ଅଧ୍ଯକ୍ଷା ରହିଛନ୍ତି । ଶିବରାଜ ପୁଅ ତଥା ଅର୍ଚ୍ଚନାଙ୍କ ସ୍ବାମୀ ଶୈଳେସ ପାଟିଲ ଚନ୍ଦୁରକର ଏବେ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ରହିଛନ୍ତି । କଂଗ୍ରେସ ସହ ପରିବାରର ଘନିଷ୍ଠ ସମ୍ପର୍କ ଥିବା ସତ୍ତ୍ବେ ବୋହୂ ଅର୍ଚ୍ଚନା କିନ୍ତୁ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ ।