ଭୁବନେଶ୍ବର: ରାଜ୍ୟରେ ଏଣିକି ସ୍କୁଲରେ ନାମ ଲେଖାଇବା ପାଇଁ ପିଲାଙ୍କୁ ଅତିକମରେ 6 ବର୍ଷ ହେବା ଜରୁରୀ । ଚଳିତ ଶିକ୍ଷାବର୍ଷ (2024-25) ଠାରୁ ଏହି ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି-2020 କାର୍ଯ୍ୟକାରିତା ଆଧାରରେ ଏହି ବୟସ ସଂଶୋଧିତ ନିୟମ ଲାଗୁ କରାଯାଇଛି । ଏନେଇ ‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।
- 6ବର୍ଷ ହୋଇନଥିଲେ ଶିଶୁବାଟିକା
ଜାରି ବିଜ୍ଞପ୍ତିରେ ବିଭାଗ ପକ୍ଷରୁ କୁହାଯାଇଛି, ସ୍କୁଲରେ ନାମ ଲେଖାଇବା ପାଇଁ ଶିଶୁଟିକୁ 6 ବର୍ଷ କିମ୍ବା ତଦୁର୍ଦ୍ଧ ହେବା ଜରୁରୀ । ସେପ୍ଟମ୍ବର ପହିଲା ସୁଦ୍ଧା ସେ 6 ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିଲେ ସ୍କୁଲ ଶିକ୍ଷାରେ ପ୍ରବେଶ କରିପାରିବେ । ସେହିପରି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରି-ସ୍କୁଲ ବା ‘ଶିଶୁବାଟିକା’ ଖୋଲାଯିବ । 5ରୁ 6 ବର୍ଷ ମଧ୍ୟରେ ଥିବା ଶିଶୁମାନେ ଏଠାରେ ନାମ ଲେଖାଇପାରିବେ । ସେମାନଙ୍କୁ ପ୍ରି-ସ୍କୁଲ ଶିକ୍ଷା ବା ପ୍ରାକ-ସ୍କୁଲ ଶିକ୍ଷା ପ୍ରଦାନ କରାଯିବ । ସେମାନେ 6 ବର୍ଷରେ ପହଞ୍ଚିଲେ, ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଯୋଗ୍ୟ ହେବେ । ଏହି ନିୟମ ଚଳିତ ଶିକ୍ଷାବର୍ଷଠୁ କାର୍ଯ୍ୟକାରୀ ହେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
- କାଲିଠୁ ତିନିଦିନିଆ କର୍ମଶାଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଓଡ଼ିଶାରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯିବ । ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବ ।
୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ରାଜ୍ୟ ପାଠ୍ୟକ୍ରମ ରୂପରେଖର ସଂଶୋଧନ ଆରମ୍ଭ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗୀକରଣ ସହିତ ପ୍ରାରମ୍ଭିକ ପର୍ଯ୍ୟାୟକୁ ଗ୍ରହଣ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ଶିଶୁର ପ୍ରଥମ ୧୫ ବର୍ଷ ଶିକ୍ଷା ( ୩-୧୮ ବର୍ଷ ବୟସ) ପର୍ଯ୍ୟାୟକ୍ରମେ ୫+୩+୩+୪ ଭିତ୍ତିରେ ପରିବର୍ତ୍ତନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟ (ଦୁଇ ଭାଗରେ, ଅର୍ଥାତ୍ ୩ ବର୍ଷ ଅଙ୍ଗନବାଡି, ୨ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ, ବୟସ ୩ ବର୍ଷରୁ ୮ ବର୍ଷ ), ପ୍ରସ୍ତୁତି ପର୍ଯ୍ୟାୟ (ତିନି ବର୍ଷ ଅର୍ଥାତ୍ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ, ବୟସ ୮ ବର୍ଷରୁ ୧୧ ବର୍ଷ), ମଧ୍ୟ ପର୍ଯ୍ୟାୟ (ତିନି ବର୍ଷ ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ବୟସ ୧୧ ବର୍ଷରୁ ୧୪ ବର୍ଷ), ମାଧ୍ୟମିକ ପର୍ଯ୍ୟାୟ (ଚାରି ବର୍ଷ ଅର୍ଥାତ୍ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ, ବୟସ ୧୪ ବର୍ଷରୁ ୧୮ ବର୍ଷ) । ନୀତି କାର୍ଯ୍ୟାନ୍ୱୟନର ପ୍ରଥମ ଭାଗରେ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ପରିବର୍ତ୍ତନ ଉପରେ ରାଜ୍ୟ ଧ୍ୟାନ ଦେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତି, ମଧ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟାନ୍ୱୟନ ଆରମ୍ଭ କରାଯିବ ।
ଏହା ମଧ୍ୟ ପଢନ୍ତୁ :- 'ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବା ଏକ ବଡ ଚ୍ୟାଲେଞ୍ଜ' NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? |
ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଥିଲେ । ଏହି ଟାସ୍କଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା । ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ (National Curriculum Frameworks) ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବ ।
ଇଟିଭି ଭାରତ, ଭୁବନେଶ୍ବର