ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର 3 ରାଜ୍ୟସଭା ପ୍ରାର୍ଥୀ । ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ସଂସଦର ଉଚ୍ଚସଦନକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ଆସି 3 ସାଂସଦ ସେମାନଙ୍କ ରାଜ୍ୟସଭା ସାର୍ଟିଫିକେଟ ରିଟର୍ନିଙ୍ଗ ଅଫିସରଙ୍କ ନିକଟରୁ ଗ୍ରହଣ କରିଛନ୍ତି । ତେବେ ଏହାପରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ରଖି ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଛନ୍ତି ଅଶ୍ବିନୀ, ଦେବାଶିଷ ଓ ଶୁଭାଶିଷ ।
'ରାଷ୍ଟ୍ର ସେବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ': ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, "ରାଷ୍ଟ୍ର ସେବାର ସୁଯୋଗ ପୁଣିଥରେ ମିଳିଛି । କାର୍ଯ୍ୟ କରିବା ପାଇଁ ମହାପ୍ରଭୁ ଶକ୍ତି ଦିଅନ୍ତୁ ।"
'ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ଦାବି କରିବୁ': ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଆଜି ମୁଁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରେ ଆଗାମୀ ଦିନରେ କାର୍ଯ୍ୟ କରିବି । ଓଡିଶା ଯେଉଁ ମାନ୍ୟତା ପାଇବା କଥା ଓ ରାଜ୍ୟ ଯେଉଁ ଯେଉଁ କ୍ଷେତ୍ରରେ ପଛୁଆ ରହିଯାଇଛି ସେ ଦିଗରେ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସବୁ କ୍ଷେତ୍ରରେ ଓଡିଶା ଆଗକୁ ଯାଇଛି । ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ କ୍ରୀଡ଼ାରେ ନବୀନ ବାବୁଙ୍କ ସରକାର ଅନେକ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାରଙ୍କର ମଧ୍ୟ ଓଡିଶା ପ୍ରତି ଦାୟିତ୍ବ ରହିଛି । ସଂଘୀୟ ବ୍ୟବସ୍ଥାରେ ଭଲ ସମ୍ପର୍କ ରଖି କାର୍ଯ୍ୟ କରିବୁ । ଓଡିଶାର ହିତ ଓ ପ୍ରଗତି ପାଇଁ କାର୍ଯ୍ୟ କରିବୁ । ଓଡିଶାର ଦୀର୍ଘ ଦିନର ଦାବି ହେଉଛି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ଦାବି କରି ଆସିଛନ୍ତି । ତାହା ପଛରେ ଯଥାର୍ଥ କାରଣ ରହିଛି । ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିବୁ ।"